jayashree

ଇଭିଏମ୍ ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଇଭିଏମ୍ ଓ ଭିଭିପାଟ ସଚେତନ ରଥକୁ ଗୁରୁବାର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ । ଆସନ୍ତା ସାଧାରଣ ନିର୍ବାଚନରେ ଅନେକ ନୂଆ ଓ ଯୁବବର୍ଗର ଭୋଟର୍‌ ଭୋଟ ଦେବାକୁ ଯାଉଥିବା ବେଳେ ଇଭିଏମ୍‌ର ବ୍ୟବହାର ଓ ଭିଭିପାଟର ବିଶ୍ୱସନୀୟତା ସଂପର୍କରେ ସେମାନଙ୍କୁ ସଚେତନ କରିବା ଆବଶ୍ୟକ ହୋଇପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ରାଜ୍ୟ ବ୍ୟାପି ଇଭିଏମ୍ ଓ ଭିଭିପାଟ ସଂପର୍କରେ ଭୋଟରଙ୍କୁ ସଚେତନ କରିବାକୁ ଏକ ଅଭିଯାନ ଆରମ୍ଭ କରାଯିବା ସହିତ ପ୍ରତି ଗାଁ, ପ୍ରତି ପଞ୍ଚାୟତକୁ ଇଭିଏମ୍ ସଚେତନତା ରଥ ବୁଲିବାକୁ ଧାର୍ଯ୍ୟ କରାଯାଇଛି । ଏହି କ୍ରମରେ ଗୁରୁବାର କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଯୋଗଦେଇ ଇଭିଏମ୍ ଓ ଭିଭିପାଟ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ତ୍ରିଲୋଚନ ପାତ୍ର, ଧର୍ମଗଡ଼ ଉପଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ନିର୍ବାଚନ ଶାଖା ଦାୟିତ୍ୱରେ ଥିବା ଡେପୁଟି କଲେକ୍ଟର ରମେଶ ପଣ୍ଡା, ଆସିଷ୍ଟାଣ୍ଟ କଲେକ୍ଟର ମମତା ଦାଶଙ୍କ ପ୍ରତ୍ୟକ୍ଷ ତବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଇଭିଏମ୍‌ ଓ ଭିଭିପାଟ ପ୍ରଦର୍ଶନ କେନ୍ଦ୍ର ଜିଲ୍ଲାପାଳ ଉଦ୍‌ଘାଟନ କରିଥିଲେ । ସେଭଳି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗୋଟିଏ ଇଭିଏମ୍ ଓ ଭିଭିପାଟ ପ୍ରଦର୍ଶନ କେନ୍ଦ୍ରକୁ ଅତିରିକ୍ତ ଉପଜିଲ୍ଲାପାଳ ଜୟଦେବ ଦାସଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଉଦ୍‌ଘାଟନ କରିଥିଲେ । ଆଜିଠାରୁ ଆସନ୍ତା ଫେବୃୟାରୀ ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ୧୩ ଗୋଟି ବ୍ଲକର ସମସ୍ତ ପଞ୍ଚାୟତ ଜୁନାଗଡ଼, କେସିଙ୍ଗା, ଧର୍ମଗଡ଼ ଏନ୍ଏସି ତଥା ଭବାନୀପାଟଣା ପୌରାଞ୍ଚଳରେ ୧ଟି ଇଭିଏମ୍ ଓ ଭିଭିପାଟ ସଚେତନତା ରଥ ପରିକ୍ରମା କରିବା ସହିତ ଲୋକଙ୍କୁ ଇଭିଏମ୍‌ରେ ଭୋଟଦାନ ଓ ଭିଭିପାଟର ବିଶ୍ୱସନୀୟତା ସଂପର୍କରେ ସଚେତନ କରାଇବ ବୋଲି ଜିଲ୍ଲା ନିର୍ବାଚନ ଶାଖା ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.