ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଶୁଭାରମ୍ଭ ହେଲା ଜୟ ଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବା । ଆଜି ସନ୍ଧ୍ୟାରେ ସ୍ଥାନୀୟ ନୂତନ ବସ୍ ଟର୍ମିନାଲଠାରେ ଏହି ସେବା ଆରମ୍ଭ ହୋଇଯାଇଛି । ସବୁଜ ପତାକା ଦେଖାଇ ଏହି ସେବା ଆରମ୍ଭ କରାଯାଇଥିଲା । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଜିଲ୍ଲାପାଳ ଚଞ୍ଚଳ ରାଣା, ରାଜ୍ୟ ଗୃହ ନିର୍ମାଣ ବୋର୍ଡର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ, ବଲାଙ୍ଗିର ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ପୌରାଧ୍ୟକ୍ଷ ଲିକା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ପର୍ଯ୍ୟାୟରେ ଏହି ସେବା ଆରମ୍ଭ ହୋଇଥିବା ଜିଲ୍ଲା ଗୁଡିକ ହେଲା- ବଲାଙ୍ଗିର, ବରଗଡ, ଗଞ୍ଜାମ, ଝାରସୁଗୁଡା, କୋରାପୁଟ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ । ଏହି ବସ୍ ଗୁଡ଼ିକ ଜିଲ୍ଲା ସଦରମହକୁମାରୁ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଚାଲିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା’ମାନଙ୍କ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍ରେ ଟିକେଟର ମୂଲ୍ୟ ମାତ୍ର ୫୦ ପ୍ରତିଶତ ରହିବ । ସେ କହିଥିଲେ ଯେ ଲକ୍ଷ୍ମୀ ବସ୍ ଯୋଜନାରେ ମା’ମାନଙ୍କ ପାଇଁ ଟିକେଟ ଦାମ୍ ମାତ୍ର ୫ ଟଙ୍କା ରହିଛି । ଏହା ମା’ମାନଙ୍କ ପାଇଁ ବହୁ ସୁବିଧା ଆଣିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ୫-ଟି ଉପକ୍ରମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ୍ ସେବା ଯୋଜନା ଅଧିନରେ ଏହି ବସ୍ ସେବା ଆରମ୍ଭ ହୋଇଛି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଲେ ଯେ ସାଧାରଣ ଲୋକଙ୍କ ପ୍ରତିଶୃତି ପୂରଣ କରିବାରେ ମୁଖ୍ୟମନ୍ତ୍ରୀଙ୍କର ତୁଳନା ନାହିଁ । ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ଏକ ମାଇଲଷ୍ଟୋନ । ସେ କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ସବୁ କାର୍ଯ୍ୟକ୍ରମ ମହିଳାମାନଙ୍କୁ ଅଧିକ ସଶକ୍ତ କରୁଛି । ମୁଖ୍ୟମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମର ମଙ୍ଗ ଧରି ୫-ଟି ଅଧ୍ୟକ୍ଷ ସବୁ ଯୋଜନା ସଫଳ କରୁଛନ୍ତି ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ସ୍ୱାଗତ ଭାଷଣ ଦେଇଥିଲେ । ବିଧାୟକ ଭୂପିନ୍ଦର ସିଂହ, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।