ଭୁବନେଶ୍ୱର : ଟ୍ୱିନ୍ ସିଟି ପବନରେ ମାଡ଼ିଗଲାଣି ପ୍ରଦୂଷଣ । ଏୟାର କ୍ୱାଲିଟି ଇନଡେକ୍ସ ୩୦୦ ପାର୍ କରିଗଲାଣି । ଅପରାହ୍ନ ୪ଟା ସୁଦ୍ଧା ଭୁବନେଶ୍ୱରରେ ଏକ୍ୟୁଆଇ ୩୧୧ ଥିବାବେଳେ କଟକରେ ଥିଲା ୩୨୦ । ଉଭୟ ମହାନଗରରେ ବାୟୁ ପ୍ରଦୂଷଣ ସ୍ତର ଅତି ଖରାପ ଶ୍ରେଣୀର । ନିଜେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏ ତଥ୍ୟ ରଖିଛି । ଖାଲି ସେତିକି ନୁହେଁ ଦିନ ହେଉ କି ରାତି ପ୍ରଦୂଷଣ କମିବାର ନାଁ ଧରୁନି । ବରଂ ସନ୍ଧ୍ୟାରୁ ଆହୁରି ବଢ଼ିଯାଉଛି । ରବିବାର ରାତି ୧୧ଟା ବେଳର ଅନଲାଇନ୍ ମନିଟରିଂ ରେକର୍ଡ ଅନୁସାରେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ଏକ୍ୟୁଆଇ ୩୨୪ ଛୁଇଁଥିଲା । ପଟିଆରେ ଥିଲା ୩୦୯ । କଟକ ସିଡିଏ ଅଞ୍ଚଳରେ ମଧ୍ୟ ଏକ୍ୟୁଆଇ ବଢ଼ି ୩୩୬ରେ ପହଞ୍ଚିଥିଲା । ଏଥିରୁ ଅନୁମାନ କରାଯାଇପାରେ ରାତିରେ ଶୋଇଲାବେଳେ ବି ସୁସ୍ଥ ପବନ ଟିକିଏ ମିଳୁନି ଟ୍ୱିନ୍ ସିଟିବାସୀଙ୍କୁ । ସକାଳୁ ସନ୍ଧ୍ୟା ଯାଏଁ ଧୂଳିଧୂଆଁ ଓ ଗାଡ଼ିମୋଟରର ଘୋ ଘା ଶବ୍ଦ ନୟାନ୍ତ କରୁଥିବା ବେଳେ ରାତିରେ ବି ପ୍ରଦୂଷଣ ସ୍ତର ଖସୁନି । ଏଭଳି ସ୍ଥିତି ଲମ୍ବା ସମୟ ପାଇଁ ଲାଗି ରହିଲେ ଶ୍ୱାସ ଓ ହୃଦରୋଗୀଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇପାରେ । ନବଜାତ ଶିଶୁ, ଗର୍ଭବତୀ ଓ ବୟସ୍କ ଏଭଳି ପ୍ରଦୂଷଣରୁ ଦୂରେଇ ରହିବା ଆବଶ୍ୟକ । ଓଡ଼ିଶାରେ ପ୍ରଦୂଷଣ ସ୍ତର ବର୍ତ୍ତମାନ ଉପରମୁହାଁ । ଦିଲ୍ଲୀକୁ ପଛରେ ପକାଇ ଦେଲାଣି ଆମ ବାୟୁ ପ୍ରଦୂଷଣ । ରାଜ୍ୟର ୭ଟି ସହରରେ ବାୟୁ ପ୍ରଦୂଷଣ ସ୍ତର ସାଂଘାତିକ ସ୍ତରରେ ପହଞ୍ଚିଲାଣି । ରବିବାର ବାଲେଶ୍ୱର ପାଲଟିଛି ଦେଶର ତୃତୀୟ ସର୍ବାଧିକ ପ୍ରଦୂଷିତ ସହର ।
Prev Post
Next Post