jayashree

ଅଜଣା ଗାଡ଼ି ଧକ୍କାରେ ଶଗଡ଼ଘାଟ ରାମ ମନ୍ଦିର କମିଟି ସଭାପତି ତଥା ଯୁବ ସମାଜସେବୀ ଝସକେତନ ସାହୁଙ୍କ ମୃତ୍ୟୁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଳକ ଶଗଡ଼ଘାଟ ପଞ୍ଚାୟତ ରାମ ମନ୍ଦିର କମିଟିର ସଭାପତି ତଥା ସମାଜସେବୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ଝସକେତନ ସାହୁ (୪୬) । ସୂଚନାମତେ ଶଗଡ଼ଘାଟର ୩ ଜଣବ୍ୟକ୍ତିଙ୍କ ପାଇଁ ଖୋଲାନ ସିଏସ୍‌ସି ସେଣ୍ଟରରୁ ଟିଭି ଔଷଧ ଆଣିବାକୁ ଯାଇଥିଲେ । ଖୋଲାନରୁ ଫେରୁଥିବା ସମୟରେ ତୁଲାଙ୍ଗ ଓଭରବ୍ରିଜ ନିକଟରେ ଏକ ଅଜଣାଗାଡ଼ି ଧକ୍କା ଦେଇ ଚମ୍ପଟ ମାରିଥିବା ବେଳେ ଘଟଣାସ୍ଥଳରେ ହିଁ ସେ ଟଳି ପଡିଯାଇଥିଲେ ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ଏହି ଖବର ପାଇଁ ତୁଲାଙ୍ଗ ଗାଁର ଯୁବକମାନେ ଝସକେତନଙ୍କୁ ଉଦ୍ଧାର କରି ୧ଠ୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଅଧଘଣ୍ଟା ବିଳମ୍ବରେ ଘଟଣା ସ୍ଥଳରେ ପହଞ୍ଚିଥିଲା । ଝସକେତନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ଉପଖଣ୍ଡ ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା । ଡାକ୍ତର ପ୍ରାରମ୍ଭିକ ଚିକିତ୍ସା କରିବା ପରେ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ ଓ କଲେଜକୁ ସ୍ଥାନାନ୍ତର କରିଥିଲେ । ବଲାଙ୍ଗିରରେ ଅତି ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ପ୍ରକାଶ ଯେ ବଲାଙ୍ଗିରରୁ ବୁର୍ଲା ଯିବା ରାସ୍ତାରେ ଝସକେତନଙ୍କର ମୃତ୍ୟୁ ହୋଇଯାଇଥିଲା । ଆମ୍ବୁଲାନ୍ସ ଗାଡ଼ିରେ ଥିବା ଫାର୍ମାସିଷ୍ଟ ବରଗଡ଼ ଜିଲ୍ଲା ସାଲେଭଟା ଗାଁ ନିକଟରେ ପ୍ରାଣବାୟୁ ଚାଲିଯାଇଥିବା ସନ୍ଦେହ କରିଥିଲେ । ଏହାପରେ ସନ୍ଧ୍ୟା ୮ ଘଣ୍ଟା ସମୟରେ ବରଗଡ଼ ଜିଲ୍ଲା ସରକାରୀ ଡାକ୍ତରଖାନାକୁ ନେଇଥିଲେ । ବରଗଡ଼ରେ ଡାକ୍ତର ଦେଖିବା ପରେ ଝସକେତନଙ୍କୁ ମୃତ୍ୟୁ ଘୋଷଣା କରିବା ସହ ଶବ ବ୍ୟବଚ୍ଛେଦ କରିବା ପାଇଁ କହିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ, ପୁତ୍ର ଓ ଭାଇ ପରିଜନ ଉପସ୍ଥିତ ଥିଲେ । ଶୁକ୍ରବାର ଦିନ ଶବ ବ୍ୟବଚ୍ଛେଦ ପାଇଁ ରାତିରେ ବିଳମ୍ବ ହେବାରୁ ଶନିବାର ଦିନରେ ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ । ଏଥିସହ ସେ ଜଣେ ମିଷ୍ଠାଭାଷୀ, ସରଳ ହୃଦୟ, ସମାଜସେବୀ ପରୋଉପକାରୀ ଓ ଧର୍ମପ୍ରାୟଣ ବ୍ୟକ୍ତିତ୍ୱର ଧନୀ ଥିଲେ । ତାଙ୍କ ଶବ ସନ୍ଧ୍ୟା ୪ ଘଣ୍ଟା ସମୟରେ ଶଗଡ଼ଘାଟ ପହଞ୍ଚିବା ପରେ ଏ ସମ୍ପର୍କୀୟ ଖବର ପାଇ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶହ ଶହ ସଂଖ୍ୟାରେ ରୁଣ୍ଡ ହୋଇଥିଲେ । ଶିକ୍ଷକ ଅମୀୟ ହୋତା, ନରେନ୍ଦ୍ର ଭୋଇ, ଯଦୁମଣି ସାହୁ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ନବୀନ ଜୈନ, ବିକାଶ ସେନା, ସଭାପତି ଇଂ ଅମ୍ଲାନ ଷଡ଼ଙ୍ଗୀ ଏବଂ ତହସିଲ ସାହୁ, ଅକ୍ଷୟ ପୋଢ଼, ଅରୁଣ ପୋଢ଼, ପ୍ରବୀର ମାଝୀ ନିତେଇ ସାହୁ, ରାଜେଶ ସାହୁ, ରାଜକିଶୋର ଭୋଇ ଶ୍ରଦ୍ଧାଞ୍ଜଳି ଅର୍ପଣରେ ଉପସ୍ଥିତ ଥିଲେ । ଏଭଳି ଆତ୍ମାବିୟୋଗରେ ଟିଟିଲାଗଡ଼ ବ୍ଳକ ଅଞ୍ଚଳ ତଥା ତାଙ୍କ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପୁଅ ଆଲୋକ ସାହୁ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.