ବଲାଙ୍ଗିର ସୁଦପଡ଼ାସ୍ଥିତ ମଦଭାଟିରେ ଚାଲିଛି ଆଇଟି ରେଡ଼୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୁଦପଡ଼ାସ୍ଥିତ ମଦଭାଟିରେ ଚାଲିଛି ଆଇଟି ରେଡ଼୍‌ । ଗତକାଲି ସକାଳୁ ଆୟକର ବିଭାଗର ଏକ କୋଡ଼ିଏ ଜଣିଆ ଟିମ୍‌ ବଲାଙ୍ଗିର ସୁଦପଡ଼ାର ମଦଭାଟି ଉପରେ ରେଡ୍‌ କରିଥିବା ବେଳେ ସୁରକ୍ଷା ପାଇଁ ସିଆଇଏସ୍‌ଏଫ୍‌ ଜବାନ୍‌ମାନେ ନିୟୋଜିତ ହୋଇଛନ୍ତି । ୯ଟି ଆଲମାରିରେ ଥାକ ଥାକ କରି ସଜା ହୋଇଥିବା ବିଡ଼ା ବିଡ଼ା ଟଙ୍କା ସୁଦପଡ଼ା ମଦଭାଟିରେ ଆଇଟି ଅଧିକାରୀଙ୍କ ହାତରେ ଲାଗିଛି । ବସ୍ତା ବସ୍ତା ଟଙ୍କା ଗତକାଲି ଟ୍ରକ୍‌ରେ ଲୋଡ଼୍‌ କରାଯାଇ ଏସ୍‌ବିଆଇକୁ ନିଆଯାଇଥିବା ଜଣାପଡ଼ିଛି । ସବୁଠୁ ବଡ଼ କଥା ହେଲା, ପଛୁଆ ଜିଲ୍ଲା ଭାବେ ପରିଚିତ ବଲାଙ୍ଗିରର ଏକ ମଦଭାଟିରୁ ଏତେ ପରିମାଣର ଟଙ୍କା ଆଇଟି ଅଧିକାରୀଙ୍କ ହାତରେ ଲାଗିବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ଏବେ ଆଇଟି ବିଭାଗ ଦ୍ୱାରା ଜବତ୍‌ ଟଙ୍କା ଗଣାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲେ ସୁଦ୍ଧା କେବଳ ଗଣିବା ପାଇଁ ଚାରି ପାଞ୍ଚ ଦିନ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି । ତେବେ ସୁଦପଡ଼ା ମଦଭାଟିରୁ ଜବତ୍‌ ହୋଇଥିବା ଟଙ୍କା ୨ ଶହ କୋଟିରୁ ଅଧିକ ହେବ ବୋଲି ମଧ୍ୟ ଆଲୋଚନା ହେଉଛି । ତେବେ ଗତକାଲିଠାରୁ ଆଇଟି ଅଧିକାରୀମାନେ ବଲାଙ୍ଗିର ସୁଦପଡ଼ା ମଦଭାଟି ଓ କ୍ଲବ୍‌ପଡ଼ାରେ ଥିବା ମଦଭାଟି କର୍ମଚାରୀଙ୍କ ବାସଗୃହ ଉପରେ ଚଢ଼ାଉ ଜାରି ରଖିଛନ୍ତି । ଆହୁରି ଅନେକ ଟଙ୍କା ସହ ଆପତ୍ତିଜନକ ଟିକସ୍‌ ଫାଙ୍କି ସଂକ୍ରାନ୍ତୀୟ କାଗଜପତ୍ର ଜବତ୍‌ ହେବ ବୋଲି ମଧ୍ୟ ଆଶା କରାଯାଉଛି ।

Leave A Reply

Your email address will not be published.