ଡୁମେରଚୁଆଁ ଏମ୍‌ଆଇ ଡେମ୍‌ରୁ ହାତୀ ଶାବକର ମୃତ ଦେହ ଉଦ୍ଧାର

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ସହର ଉପକଣ୍ଠସ୍ଥ ଡୁମେରଚୁଅାଁ ଏମ୍‌ଆଇ ଡେମ୍‌ ପରିସରରୁ ଏକ ହାତୀ ଶାବକର ମୃତ ଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଏହି ଖବର ପାଇ କଂଟାବଂଜି ଫରେଷ୍ଟ ରେଂଜ ବିଭାଗ ଶନିବାର ଭୋର୍‌ ସକାଳୁ ଖବର ପାଇ ଘଟଣାସ୍ଥଳରେ ପହଂଚି ଅଧିକ ଅନୁସଂଧାନ କରିଛି । ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ରାତିରେ ଖଗସା ପଂଚାୟତର ପାଟିମାଲ, ଲାଲଝରା, ଖଗସା, ହିଆଁଲ ପଂଚାୟତର ମାଲପାମୁଣ୍ଡା, କର୍ଲାବାହାଲି ଗ୍ରାମ ଗୁଡିକରେ ୨୯ ଟିକିଆ ହାତୀପଲ ପଶି ଆସି ଚାଷୀଙ୍କ ଖେତରେ ଥିବା ଧାନ, ହରଡ, କୋଲଥ, ବିରି, ଆଖୁ ଚାଷ କିଆରୀକୁ ଦଳି ଚକଟି ଖାଇ ନଷ୍ଟ କରିବା ଖବର ଜଂଗଲ ବିଭାଗକୁ ଦେଲା ପରେ ଜଂଗଲ ବିଭାଗ ଉକ୍ତ ହାତୀପଲକୁ ରାତିରେ ବାଣ ଫୁଟାଇ, ବାଦ୍ୟ ଯନ୍ତ୍ର ବଜାଇ ଘଉଡାଇଥିଲେ । ଏହି ଘଉଡାଇବା ମଧ୍ୟରେ ରାତିରେ ଡୁମେରଚୁଆଁ ଗ୍ରାମ ତଥା କଂଟାବାଂଜି ଜେଏମଜେ ସ୍କୁଲ ଯାଏ ଚାଲିଆସିଥିଲେ ହାତୀ । ପୁନର୍ବାର ସ୍ଥାନୀୟ ପୋଲିସ ଏବଂ ଜଂଗଲ ବିଭାଗ ସହରମୁହାଁ ହେଉଥିବା ହାତୀପଲକୁ ଘଉଡାଇବା ମଧ୍ୟରେ ଡୁମରଚୁଆଁ ଡେମ୍‌ ଆଡକୁ ଚାଲି ଯାଇଥିଲେ । ରାତିରେ ଡୁମେରଚୁଆଁ ଡେମ୍‌ ନିକଟରେ ଚାଷ ହୋଇଥିବା ହରଡ କିଆରିରେ ପଶି ହରଡ ଖାଇବା ସହ ନିକଟରେ ଥିବା ଡେମ୍‌କୁ ପାଣି ପିଇବାକୁ ଯାଇଥିବା ଅନୁମାନ କରାଯାଉଛି । ପାଣି ପିଇବାକୁ ଯାଇଥିବା ହାତୀପଲ ମଧ୍ୟରୁ ଏକ ହାତୀ ଶାବକ ପାଣିରେ ପଶି ଯାଇ ବାହାରକୁ ବାହାରି ପାରି ନ ଥିଲା । ଫଳରେ କାଦୁଆରେ ପଶି ଯାଇ ମୃତ୍ୟୁ ହୋଇଥିବା ସଂଦେହ କରାଯାଉଛି । ମୃତ ହାତୀ ଶାବକ ୬ ମାସରୁ ଏକ ବର୍ଷ ବୟସ ହୋଇଥିବା ଜଂଗଲ ବିଭାଗ ଦେଇଥିବା ସୂଚନାରୁ ଜଣାଯାଏ । ଏହି ହାତୀ ପଲରେ ବଡ ହାତୀ ୨୬ଟି ଥିବା ବେଳେ ୩ଟି ଶାବକ ଥିବାର ଜଣାପଡିଛି । ମୃତ ହାତୀ ଶାବକର ଉଦ୍ଧାର କରାଯାଇ ସ୍ଥାନୀୟ କଂଟାବାଂଜି ପ୍ରାଣୀ ଚିକିତ୍ସକ ସିଦ୍ଧାର୍ଥ କୁମାର ସେଠ ଘଟଣାସ୍ଥଳକୁ ଯାଇ ଶବ ବ୍ୟବଛେଦ କଲା ପରେ କଂଟାବାଂଜି ପୋଲିସ ଏସଡିପିଓ ସରୋଜ କୁମାର ମହାପାତ୍ର, ଥାନା ଅଧିକାରୀ ସତ୍ୟଜିତ କନ୍ଦନକେଲ, ଏସଆଇ ହୀରା ଖାଲକୋ, ଫରେଷ୍ଟ ରେଂଜ ଅଧିକାରୀ ଶ୍ରଦ୍ଧାଦେବ ବଡମାଲି, ଡେପୁଟି ରେଂଜର ସାଧୁ ଚରଣ ପ୍ରଧାନ, ଫରେଷ୍ଟର ଘନଶ୍ୟାମ ପଶାୟତ, ବିନୋଦ ବିହାରି ଧରୁଆ, ଗୁଣନିଧି ପରିଡା, ଆଦିତ୍ୟ ମିଶ୍ର ସହ ଜଂଗଲ ବିଭାଗ ଅନ୍ୟ ଅଧିକାରୀ ଓ ପାରା ଫୋର୍ସଙ୍କ ଉପସ୍ଥିତିରେ ହାତୀ ଶାବକର ମୃତ ଦେହକୁ ଜେସିବି ସାହାର୍ଯ୍ୟରେ ଗାତ ଖୋଳି ପୋତିଛନ୍ତି । ଏହି ହାତୀ ଶାବକର ମୃତ୍ୟୁରେ କଂଟାବାଂଜି ଫରେଷ୍ଟ ରେଂଜ କେସ ନଂ.୨୦/୧୯.୧୨.୨୦ ରୁଜୁ କରି ଅଧିକ ଅନୁସଂଧାନ କରୁଥିବା ଜଣାପଡିଛି ।

Leave A Reply

Your email address will not be published.