jayashree

ଟିଟିଲାଗଡ ଉଠା ଦୋକାନୀ ସଂଘର୍ଷ ସମିତି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ, ବିଜେପି ଦଳର ସମର୍ଥନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କିଛି ଦିନ ତଳେ ଟିଟିଲାଗଡ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗଦେବା ପରେ ରାସ୍ତା କଡ଼ରେ ବସୁଥିବା ଉଠା ଦୋକାନୀଙ୍କୁ ଉଠିବାକୁ ନିର୍ଦେଶ ଦେବା ସହ ନମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ଏହାର ତୀବ୍ର ବିରୋଧ କରିଥିଲେ ଉଠା ଦୋକାନୀମାନେ । ଉଠା ଦୋକାନୀଙ୍କ ସମସ୍ୟାର ସମାଧାନ ନିମନ୍ତେ ଟିଟିଲାଗଡ ବିଜେପି ପକ୍ଷରୁ ଉଠା ଦୋକାନୀମାନଙ୍କୁ ସମର୍ଥନ କରାଯାଇଛି । ଗୁରୁବାର ଅପରାହ୍ନ ୧୨ଟା ସମୟରେ ବିଜେପି କାର୍ଯ୍ୟାଳୟରେ ଉଠା ଦୋକାନୀ ଏବଂ ବିଜେପି ନେତୃତ୍ଵ ବୃନ୍ଦ ଏକଜୁଟ ହୋଇ ସେଠାରୁ ଏକ ରାଲି ବାହାର କରି ସହର ପରିକ୍ରମା କରିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଏହି ରାଲିରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ, ବିଜେପି ନେତା ମହେନ୍ଦ୍ର ଠାକୁର, ନଗର ସଭାପତି ପ୍ରଶାନ୍ତ ଷଡଙ୍ଗୀ, ସାଂସଦ ପ୍ରତିନିଧି ଆଲୋକ ନାୟକ, ବିଜେପି ନେତା ଅଶୋକ ମିଶ୍ର, ଅଶୋକ ଭୋଇଙ୍କ ସମେତ ୮୦ ଜଣ ଉଠା ଦୋକାନୀ ସାମିଲ ହୋଇଥିଲେ । ଏହି ଅବସରରେ ଲୋକ ପ୍ରତିନିଧି ହୋଇ ଲୋକଙ୍କ ସମସ୍ୟାର ସମାଧାନ ନକରି ମତେ ଭୋଟ ନଦେଲେ ନ ଦେବ, ମୁଁ ତୁମ ପାଇଁ କିଛି କରିପାରିବି ନାହିଁ ବୋଲି ମନ୍ତ୍ରୀ କହିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ଉଠା ଦୋକାନୀମାନଙ୍କ ପକ୍ଷରୁ ପ୍ରଶ୍ନ କରାଯାଇଛି । ଉଠା ଦୋକାନୀମାନଙ୍କୁ ଆଗ ଥଇଥାନ କରନ୍ତୁ, ଭେଣ୍ଡିଂ ଜୋନ୍‌ ନିର୍ମାଣ କରନ୍ତୁ, ତାପରେ ଏମାନଙ୍କ ଜବର ଦଖଲ ଉଚ୍ଛେଦ କରନ୍ତୁ ବୋଲି ବିଜେପି ନେତା ମୁକେଶ ଜୈନ କହିଥିଲେ । ଯୁବ ନେତା ନରସିଂହ ସିଂ ଆଗାମୀ ନିର୍ବାଚନରେ ପରାଜୟ ବରଣ କରି କେନ୍ଦ୍ରାପଡ଼ା ଯିବାକୁ ପ୍ରସ୍ତୁତ ରହିଥାନ୍ତୁ ବୋଲି ନିଜ ଅଭିଭାଷଣରେ କହିଥିଲେ । ଅନ୍ୟ ନେତା ତଥା ଉଠା ଦୋକାନୀ ମାନେ ମଧ୍ୟ ଆମକୁ ଆଗ ଥଇଥାନ ନକଲେ ଆଗାମୀ ଦିନରେ ଯାହାବି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ, ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଚେତେଇ ଦେଇଛନ୍ତି । ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢୀଙ୍କ ଅନୁପସ୍ଥିତିରେ ସହାୟକ ଜିଲ୍ଲାପାଳ ଶ୍ରୀ ଦେହୁରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ପ୍ରତିବାଦ ସଭାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଥାନାଧିକାରୀ ମନୋଜ କୁମାର ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।

Leave A Reply

Your email address will not be published.