ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲା ମିଳିତ କୃଷକ ମଞ୍ଚର ସମାବେଶରେ କଂପିଲା ବଲାଙ୍ଗିର କଚେରୀ ଛକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲା ମିଳିତ କୃଷକ ମଞ୍ଚର ସମାବେଶରେ କଂପିଲା ବଲାଙ୍ଗିର କଚେରୀ ଛକ । ଆଜି ଚାଷୀମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲା ମିଳିତ କୃଷକ ମଞ୍ଚର ଆହ୍ୱାନ କ୍ରମେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏହି ଅବସରରେ ବଲାଙ୍ଗିର କଚେରୀ ଛକରେ ଏକ ବିଶାଳ ଚାଷୀ ସମାବେଶର ଆୟୋଜନ କରାଯାଇଥିବା ବେଳେ ଚାଷୀନେତାଙ୍କ ଅଗ୍ନିବର୍ଷୀ ଅଭିଭାଷଣରେ କଂପି ଉଠିଛି କଚେରୀ ଛକ । ଏହି ଅବସରରେ ମିଳିତ କୃଷକ ମଞ୍ଚ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ମଂଚ ପକ୍ଷରୁ ଉଠାଯାଇଥିବା ଦାବୀ ଗୁଡ଼ିକ ହେଲା- ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୫ ହଜାର ଟଙ୍କାକୁ ବୃଦ୍ଧି କରାଯାଉ, କପାର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଉ, ଚାଷୀର ସମସ୍ତ ଧାନକୁ ବିନା ସର୍ତ୍ତରେ କ୍ରୟ କରାଯାଉ, ଧାନର କଟ୍‌ନୀ ଛଟ୍‌ନୀ ସଂପୂର୍ଣ୍ଣ ବନ୍ଦ ହେଉ, ରୋଗପୋକକୁ ଆଖି ଆଗରେ ରଖି କୃଷିଜାତ ଦ୍ରବ୍ୟର ସଠିକ୍‌ ତଦନ୍ତ କରାଯାଇ ବୀମା ରାଶି ପ୍ରଦାନ କରାଯାଉ, କୃଷି ପାଇଁ ବ୍ୟବହୃତ ହେଉଥିବା ବିଜୁଳି ବିଲ୍‌କୁ ସଂପୂର୍ଣ୍ଣ ଛାଡ଼ କରାଯାଉ, ଚାଷ ପାଇଁ ବ୍ୟବହୃତ ହେଉଥିବା କିରୋସିନୀ ପମ୍ପ ପାଇଁ ଚାଷୀଙ୍କୁ ରିହାତି ଦରରେ କିରୋସିନୀ ଯୋଗାଇ ଦିଆଯାଉ, ଚାଷୀଙ୍କ ଧାନ ବିକ୍ରି ହେଉଥିବା ବସ୍ତା ଫେରସ୍ତ କରାଯାଉ, ପ୍ରତ୍ୟେକ ସୋସାଇଟିରେ ସପ୍ତାହକ ସାତ ଦିନ ଧାନକ୍ରୟର ବ୍ୟବସ୍ଥା କରାଯାଉ, ପ୍ରତ୍ୟେକ ସୋସାଇଟିରେ ସିସିଟିଭି କ୍ୟାମେରାର ସଦ୍‌ଉପଯୋଗ କରାଯାଉ, ଚାଷୀର ଟ୍ରାକ୍ଟର ସହିତ ଟ୍ରଲିର କମର୍‌ସିଆଲ୍‌ ଟେକ୍ସ ଛାଡ଼ କରାଯାଉ । ତାଲିକାଭୁକ୍ତ ନଥିବା ଅନ୍ୟ କୃଷିଜାତ ଦ୍ରବ୍ୟ ମୁଗ, ବିରି, ଚିନାବାଦାମ, ମକା ଇତ୍ୟାଦିର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଉ । ବଲାଙ୍ଗିର ଓ ସୋନପୁର ଜିଲ୍ଲା ମଳିତ କୃଷକ ମଞ୍ଚର ଆବାହକ ଆକାଶ ମିଶ୍ର, ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘର ସଭାପତି ଯତି ପଧାନ, ସାଧାରଣ ସଂପାଦକ ଚଗଲା ପରିଚ୍ଛା, ସୋନପୁର ଜିଲ୍ଲା ସଭାପତି ବିପ୍ରଚରଣ ସାହୁ, ବିଶିଷ୍ଟ ଚାଷୀ ନେତା ଅରୁଣ କୁମାର ମିଶ୍ର ଏବଂ ବିଭୂଦତ୍ତ ମିଶ୍ରଙ୍କ ସହ ଆହୁରି ଅନେକ ଚାଷୀନେତା ନିଜ ନିଜ ଅଭିଭାଷଣରେ ସରକାରଙ୍କୁ କଟୁ ସମାଲୋଚନା କରିଥିବା ବେଳେ ସହସ୍ରାଧିକ ଚାଷୀ ଏହି ସମାବେଶରେ ସମବେତ ହୋଇ ନିଜ ଦାବୀ ଉପସ୍ଥାପନ କରିଛନ୍ତି ।

Leave A Reply

Your email address will not be published.