ବଲାଙ୍ଗିର, (କେପିଏନ୍ଏସ୍) : ଜେଲ୍ ହାଜତ୍ରେ କୁବେର ବଲାଙ୍ଗିର ଆୟୁର୍ବେଦ କଲେଜ ଏଣ୍ଡ ହସ୍ପିଟାଲ୍ ଅଧ୍ୟକ୍ଷ ପ୍ରଫେସର ଡା. ସୁଦର୍ଶନ ବେହେରା । ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ୍ ହେବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ୍ ନାମଂଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତ ଝାରପଡ଼ା ଜେଲ୍କୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଥିବା କୁବେର ପ୍ରଫେସର ଡା.ବେହେରାଙ୍କ ଘରୁ ଅପର୍ଯ୍ୟାପ୍ତ ସଂପତ୍ତି ଠାବ କରିବାରେ ସଫଳ ହୋଇଥିଲା ଭିଜିଲାନ୍ସ ବିଭାଗ । ତାଙ୍କ ପାଖରୁ ପ୍ରାୟ ସାଢେ ୪ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସଂପତ୍ତି ହୋଇଥିବା କୁହାଯାଉଛି । ସମ୍ବଲପୁର, ବଲାଙ୍ଗିର, ପୁରୀ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଏକାଥରକୁ ଚଢ଼ାଉ କରି ଅଧ୍ୟକ୍ଷଙ୍କ ୨୮ଟି ପ୍ଲଟ୍, ୩ଟି ନଭଶ୍ଚୁମ୍ବୀ ଅଟ୍ଟାଳିକା, ୩ଟି ଦାମୀ କାର୍ ସହ ଆହୁରି ଅନେକ ସଂପତ୍ତି ରହିଥିବା ଭିଜିଲାନ୍ସ ଜାଣି ପାରିଥିଲା । ସୂଚନା ଅନୁସାରେ ପ୍ରଫେସର ବେହେରା ପୁରୀ ସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜ ଓ ହସ୍ପିଟାଲ୍ରେ ଅବସ୍ଥାପିତ ଥିବା ସମୟରେ ବିନା ଯୋଗ୍ୟତାରେ ଛାତ୍ରଛାତ୍ରୀଙ୍କୁ ଆୟୁର୍ବେଦ ପାଠ ପଢ଼ାଉଥିବା ନେଇ ଅଭିଯୋଗ ହେବା ପରେ ତାଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା ଓ ପ୍ରଫେସର ବେହେରାଙ୍କୁ ବଲାଙ୍ଗିର ସରକାରୀ ଆୟୁର୍ବେଦ କଲେଜ ଏଣ୍ଡ୍ ହସ୍ପିଟାଲ୍କୁ ବଦଳି ହୋଇଥିଲା ।
Next Post