jayashree

ଛତ୍ରପୁରର ଡାକ୍ତର ଗୋପାଳ ପଟ୍ଟନାୟକଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହର ବାସିନ୍ଦା ବିଶିଷ୍ଟ ଶଲ୍ୟ ଚିକିତ୍ସା ବିଶେଷଜ୍ଞ ଡ଼ା.ଗୋପାଳ ପଟ୍ଟନାୟକ ତାଙ୍କ ବ୍ରହ୍ମପୁରସ୍ଥ ବାସଭବନରେ ଗତକାଲି ଦେହାନ୍ତ ହୋଇଯାଇଛି । ସୋମବାର ମଧ୍ୟରାତ୍ରୀ ୧ ଘଣ୍ଟା ସମୟରେ ହୃଦ୍‌ଘାତରେ ତାହାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ବୋଲି କୁହାଯାଏ । ମୃତ୍ୟୁ ବେଳକୁ ତାଙ୍କୁ ୬୨ବର୍ଷ ବୟସ ହୋଇଥିଲା । ଅଦ୍ୟାବଧି ସେ ରାୟଗଡ଼ା ସହରର ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଥିଲେ । ଛତ୍ରପୁର ସଦର ଉପଖଣ୍ଡ ଚିକିତ୍ସାଳୟରେ ସେ ବହୁ ବର୍ଷ ଧରି ଡାକ୍ତର ଭାବେ ଅବସ୍ଥାପିତ ଥିଲେ । ସେ ଜଣେ ସ୍ୱନାମଧନ୍ୟ ଡାକ୍ତର ଭାବେ କାର୍ଯ୍ୟକରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଛତ୍ରପୁର ମାଟିରେ ସେ ଜନ୍ମଗ୍ରହଣ କରି ଛତ୍ରପୁରର ଗୌରବ ଓ ଖ୍ୟାତି ଅର୍ଜନ କରି ଜଣେ ସ୍ୱତନ୍ତ୍ର ବ୍ୟକ୍ତିତ୍ୱର ପରିଚିୟ ସୃଷ୍ଟି କରିଛନ୍ତି । ସେ ଜଣେ ନିଷ୍ଠାପର ଡାକ୍ତର ଓ ଉତ୍ତମ ଚିକିତ୍ସକ, ପରୋପକାରୀ ଭାବେ ବେଶ୍‌ ଜଣାଶୁଣା ଥିଲେ । ମଙ୍ଗଳବାର ପୂର୍ବାହ୍ନରେ ଛତ୍ରପୁର ମେନ୍‌ରୋଡ଼ସ୍ଥ ତାଙ୍କ ଜନ୍ମସ୍ଥାନ ତଥା ନିଜସ୍ୱ ବାସଭବନକୁ ତାଙ୍କ ମର ଶରୀରକୁ ଅଣାଯାଇଥିଲା । ବହୁ ଲୋକ ସେଠାରେ ତାଙ୍କ ଶେଷ ଦର୍ଶନ କରିଥିଲେ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସାଂଗକୁ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ତାଙ୍କୁ ସେଠାରୁ ପୁରୀ ସ୍ୱର୍ଗଦ୍ଵାର ନିଆଯାଇ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ମୃତ୍ୟୁ ଶର୍ଯ୍ୟାନିକଟରେ ତାଙ୍କ ପତ୍ନୀ ଡାକ୍ତର ସ୍ମିତା ପଟ୍ଟନାୟକ, ପୁଅ ଆଶିଷ ପଟ୍ଟନାୟକ, ଝିଅ ସ୍ନିଗ୍ଧା ପଟ୍ଟନାୟକ, ଜାମାତା ବି.ଶ୍ରୀଚରଣ, ସମାଜସେବୀ ପ୍ରଫୁଲ୍ଲ ପଟ୍ଟନାୟକ, ବାଲ୍ୟ ବନ୍ଧୁ ଦେବେନ୍ଦ୍ର ନାଥ ସାହୁ, କେ.ବଳରାମ ରେଡ୍ଡୀ, ଏସ.ରାମ ପ୍ରଭାକର ଡି. ଲାଚ୍ଛନାଙ୍କ ଏବଂ ତାଙ୍କର ବହୁ ସାଙ୍ଗସାଥୀଙ୍କ ସମେତ ବହୁ ଆତ୍ମୀୟ ସ୍ୱଜନ, ବନ୍ଧୁବର୍ଗ ଉପସ୍ଥିତ ଥିଲେ । ଦେବେନ୍ଦ୍ର ମିଶ୍ର, ରମେଶ ସାହୁ, ସୁରେନ୍ଦ୍ର ବେହେରା, ରବୀନ୍ଦ୍ରନାଥ ପଣ୍ଡା, ଲୋକନାଥ ସାହୁ, ସମେତ ବହୁଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଶେଷ ଦର୍ଶନ କରି ଅମର ଆତ୍ମାପ୍ରତି ଶେଷ ସମ୍ମାନ ଜଣାଇଥିଲେ ।

Leave A Reply

Your email address will not be published.