jayashree

ଶ୍ରମ ମନ୍ତ୍ରୀଙ୍କ ଦ୍ୱରା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲାର ବିଦ୍ୟା ଭବନ ସମେତ ବିଭିନ୍ନ ନୂତନ କୋଠାର ଉଦ୍‌ଘାଟନ ସହିତ ବିଭିନ୍ନ ପ୍ରକଳ୍ପ ପାଇଁ ଶିଳାନ୍ୟାସ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲାର ବିଦ୍ୟା ଭବନ ସମେତ ବିଭିନ୍ନ ନୂତନ କୋଠାର ଉଦ୍‌ଘାଟନ ଏବଂ ବିଭିନ୍ନ ପ୍ରକଳ୍ପ ପାଇଁ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ଦ୍ୱରା ଶିଳାନ୍ୟାସ ହୋଇଯାଇଛି । ଏହି କ୍ରମରେ ମହାବିଦ୍ୟାଳୟର ବର୍ଦ୍ଧିତ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ନୂତନ ପାଠ୍ୟକ୍ରମ ସୌଧ ବା ବିଦ୍ୟାଭବନ ସ୍ନାତକୋତ୍ତର କମ୍ପ୍ୟୁଟର ସାଇନ୍ସ ବିଭାଗର ପ୍ରଥମ ମହଲା ଛାତ୍ରମାନଙ୍କ ପାଇଁ ଯୁବ ବିନୋଦନ କେନ୍ଦ୍ର ଓ ବ୍ୟାୟାମଗାର ପୂରାତନ ଛାତ୍ର ସଂଘର କାର୍ଯ୍ୟାଳୟ ଏବଂ ସମର ଶିକ୍ଷାର୍ଥୀ ବାହିନୀର କାର୍ଯ୍ୟାଳୟକୁ ଅତିଥିମାନଙ୍କ ଗହଣରେ ମନ୍ତ୍ରୀ ଶ୍ରୀ ନାୟକ ଉଦ୍‌ଘାଟନ କରିଥିଲେ । ଏହା ମଧ୍ୟରୁ ବିଦ୍ୟାଭବନର ନିର୍ମାଣ ରାଜ୍ୟ ସରକାରଙ୍କ ଅନୁଦାନ ପାଣ୍ଠିରେ ହୋଇଥିଲା ବେଳେ ବିନୋଦନ କେନ୍ଦ୍ର ମହାନଦୀ କୋଲ୍ ଫିଲ୍ଡସ କମ୍ପାନୀର ସିଏସ୍‌ଆର୍‌ ପାଣ୍ଠିରୁ ନିର୍ମାଣ ହୋଇଛି । ଅନ୍ୟ ସମସ୍ତ କୋଠା ମହାବିଦ୍ୟାଳୟର ନିଜସ୍ୱ ସମ୍ବଳରୁ ନିର୍ମାଣ ହୋଇଛି । ସେହିଭଳି ଓଡ଼ିଶା ସରକାରଙ୍କ ଅନୁଦାନରୁ ପ୍ରାୟ ୧କୋଟି ୮୦ ଲକ୍ଷ ଟଙ୍କା ଅର୍ଥ ବ୍ୟୟରେ ହେବାକୁ ଥିବା ମହାବିଦ୍ୟାଳୟର ପୂର୍ବ ଓ ଦକ୍ଷିଣ ପଟ ପାଚେରୀ ସହିତ ସ୍ୱୟଂଶାସିତ ପରୀକ୍ଷା ପରିଚାଳନା ବିଭାଗର ପାଚେରୀ ନିର୍ମାଣ ନିମନ୍ତେ ଶିଳାନ୍ୟାସ ହୋଇଯାଇଛି । ଏହି ଅବସରରେ ବିଦ୍ୟାଭବନ ପରିସରରେ ଏକ ସଭାର ଆୟୋଜନ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସଭାରେ ପ୍ରଫେସର ବେହେରା ସମସ୍ତଙ୍କୁ ସ୍ୱାଗତ କରି ନୂତନ ନିର୍ମାଣ ନିମନ୍ତେ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ମୁଖ୍ୟ ଅତିଥି ଶ୍ରୀ ନାୟକ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ସମସ୍ତେ ଜଣେ ଜଣେ ଭଲ ମଣିଷ ହେବା ସହ ନିଜ ନିଜର ପରିବାର ଓ ଶିକ୍ଷାନୁଷ୍ଠାନର ନାମ ବୃଦ୍ଧି ନିମନ୍ତେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ଛାତ୍ରଛାତ୍ରୀମାନଙ୍କୁ ଜଣେ ଜଣେ ଉତ୍ତମ ନାଗରିକଭାବେ ପରିଣତ କରିବା ପାଇଁ ନିଷ୍ଠାପର ଉଦ୍ୟମ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ଅନ୍ୟତମ ଅତିଥିଭାବେ ରାଉରକେଲା ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ମନୋଜ କୁମାର ମହାନନ୍ଦ ଯୋଗଦେଇ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ଭିତ୍ତିଭୂମି ବିକାଶ ନିମନ୍ତେ ସେ ସମସ୍ତ ଚେଷ୍ଟା ଓ ଉଦ୍ୟମ କରୁଥିବା ଓ ଏଥିପାଇଁ ସମସ୍ତଙ୍କ ସହଯୋଗ ଓ ସାହାଯ୍ୟ କାମନା କରିଥିଲେ । ଏଥିରେ ମହାବିଦ୍ୟାଳୟର ପୂରାତନ ଛାତ୍ର ସଂସଦର ସଭାପତି ବିଭୁତି ପୁହାଣ ଗତ କିଛିବର୍ଷ ଧରି ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ ନିମନ୍ତେ ମନ୍ତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଉପାଧ୍ୟୁତ୍ତର ଛାତ୍ର ବିଶ୍ୱଜିତ ପଲାଇ ଛାତ୍ରଛାତ୍ରୀଙ୍କ ପକ୍ଷରୁ ନିଜର ବକ୍ତବ୍ୟ ମାଧ୍ୟମରେ ମନ୍ତ୍ରୀ ଓ ଶ୍ରୀ ମହାନନ୍ଦଙ୍କୁ ସାଧୁବାଦ ଜଣାଇଥିଲେ । ଏଥିରେ ସ୍ଥାନୀୟ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଭାଗିରଥି ସାହୁ ଓ ପ୍ରମୋଦ ମହାପାତ୍ରଙ୍କ ସମେତ ପୂରାତନ ଛାତ୍ର ସଂସଦର ଆବାହକ ତଥା ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମର ଶେଷରେ ଶ୍ରୀ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସଭାକାର୍ଯ୍ୟକୁ ଇଂରାଜୀ ବିଭାଗର ସହକାରୀ ପ୍ରାଧ୍ୟାପକ ପ୍ରଦୀପ ଖେସ୍‌ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପୂରାତନ ଛାତ୍ର ସଂସଦର ଡି ଅଭିକ କୁମାର ଏବଂ ପ୍ରତୀକ ଭୁୟାଁ ପ୍ରମୁଖ ସଦସ୍ୟମାନେ ସକ୍ରୀୟ ସହଯୋଗ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Leave A Reply

Your email address will not be published.