ଧରସିଂମାଝୀ ମାନଧାତାଙ୍କ ଆଠଗାଁ ମହଲର ବିକାଶ ପାଇଁ ୩ କୋଟି ୧୨ ଲକ୍ଷ ଟଙ୍କା ମଞ୍ଜୁର

  • ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ କୃତଜ୍ଞତା ଜଣାଇଲା ସ୍ମୃତିକମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ପ୍ରଥମ ସହିଦ ତଥା ଆଠଗାଁ ଜମିଦାର ଧରସିଂମାଝୀ ମାନଧାତାଙ୍କ ସ୍ମୃତିପୀଠ ଆଠଗାଁ ଜମିଦାରୀମହଲ, ପୁଡାପାଠ-ବସ୍ତେନ ମନ୍ଦିର ଓ ରାନୀବନ୍ଧର ପୁନଃ ଉଦ୍ଧାର ତଥା ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ୩ କୋଟି୧୨ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଗତ ଅଗଷ୍ଟ ମାସରେ ବଲାଙ୍ଗିର ଜିଲ୍ଲାକୁ ୫ଟି ସଚିବଙ୍କ ଗସ୍ତ ସମୟରେ ଧରସିଂମାଝୀ ମାନଧାତା ସ୍ମୃତିକମିଟିର ସଭାପତି ଲକ୍ଷ୍ମଣ କୁମାର ମେହେରଙ୍କ ନେତୃତ୍ୱରେ ସ୍ମୃତିକମିଟି ତଥା ଗ୍ରାମବାସୀ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ଡିପିଆର ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ପଠାଯାଇଥିଲା । ଏବେ ରାଜ୍ୟସରକାର ଏହି ଅର୍ଥ ମଞ୍ଜୁର କରି ଟେଣ୍ଡର କରାଇଛନ୍ତି । ସେଥିପାଇଁ ଆଜି ସ୍ମୃତିକମିଟି ଓ ଆଠଗାଁ ଗ୍ରାମବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ସେହିପରି ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳିର ବିକାଶ ପାଇଁ ରାଜ୍ୟ ସରକାର ୬କୋଟି ୬୬ଲକ୍ଷ ଟଙ୍କା ଓ ଭୀମଡୁଙ୍ଗୁରୀଠାରେ ୧୦ଲକ୍ଷ ଟଙ୍କାର ଅନୁଦାନରେ ଧରମସିଂମାଝୀ ମାନଧାତାଙ୍କ ଏକ ପୂର୍ଣ୍ଣାୟବୟବ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଅର୍ଥ ମଞ୍ଜୁର କରିଥିବାରୁ ମଧ୍ୟ ଭୀମପାହାଡ ମହୋତ୍ସବ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପର୍ଯ୍ୟଟନମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରାଯାଇଛି । ଆଜି ଭୀମଡୁଙ୍ଗୁରୀ ପର୍ଯ୍ୟଟନ କ୍ଷେତ୍ର କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଧନ୍ୟବାଦ ଜ୍ଞାପନ କରାଯାଇଛି । ଆଠଗାଁ ଧରମସିଂ ମାଝୀମାନଧାତା ସ୍ମୃତିକମିଟିର ସଭାପତି ଲକ୍ଷ୍ମଣକୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ବିଳନୀରେ ସ୍ମୃତିକମିଟିର କାର୍ଯ୍ୟକାରୀ ସଭାପତି ତଥା ସାମ୍ବାଦିକ ମୁକେଶ ବହିଦାର, ଉପସଭାପତି ତଥା ଜିଲ୍ଲା ଯୁବବିଜେଡି ସଭାପତି ରାଜେନ୍ଦ୍ରକୁମାର ହୋତା, ଆଠଗାଁର ବରିଷ୍ଠ ନାଗରିକ ସୁଦାମ ଷାଣ୍ଢ, ପପୁନ ବେହେରା ରାଜ୍ୟ ସରକାର ସ୍ୱାଧୀନତା ସଂଗ୍ରାମୀ ଧରମସିଂମାଝୀଙ୍କୁ ମାନ୍ୟତା ଦେଇ ତାଙ୍କର ସ୍ମୃତିରକ୍ଷା କରିବାକୁ ଅନୁଦାନ ଦେଇଥିବାରୁ କୃତଜ୍ଞତା ଜଣାଇବା ସହିତ ଆଠଗାଁବାସୀଙ୍କ ଦୀର୍ଘ ଦିନର ଦାବୀ ପୂରଣ ହୋଇପାରିଥିବା କହିଥିଲେ । ଏହି ଅନୁଦାନରେ ପୀଠର ପୁନଃରୁଦ୍ଧାର, ସୌନ୍ଦର୍ଯ୍ୟକରଣ ଓ ଆଲୋକିକରଣ କରାଯିବ । ସେହିପରି ଆଗକୁ ଧରମସିଂମାଝୀଙ୍କ ମହଲରୁ ଜବତ କରି ନିଆଯାଇଥିବା ତାଙ୍କ ଅସ୍ତ୍ରଶସ୍ତ୍ରକୁ ଅଣାଯାଇ ଏକ ମ୍ୟୁଜିୟମ ସ୍ଥାପନ କରାଯିବାକୁ ଦାବୀ କରାଯିବ ବୋଲି ସ୍ମୃତିକମିଟି ପକ୍ଷରୁ ସୂଚନା ଦିଆଯାଇଥିଲା ।

ସେହିପରି ପର୍ଯ୍ୟଟନସ୍ଥଳି ଭୀମଡୁଙ୍ଗୁରୀକୁ ରାଜ୍ୟସରକାର ୬କୋଟି ୬୬ଲକ୍ଷ ଟଙ୍କା ମଞ୍ଜୁର କରିଥିବା ଓ ସେଥିରୁ ୨କୋଟି ୨୨ଲକ୍ଷ ଟଙ୍କାରେ ଭୀମକଟାର ପୁନଃ ଉଦ୍ଧାର ପାଇଁ ଟେଣ୍ଡର କରାଯାଇ ସାରିଥିବା ସୂଚନା ଦିଆଯାଇଥିଲା । କେବଳ ସେତିକି ନୁହେଁ ଭୀମଡୁଙ୍ଗୁରୀଠାରେ ସହିଦ ଧରମସିଂମାଝୀ ମାନଧାତାଙ୍କ ଏକ ପୂର୍ଣ୍ଣାୟବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ରାଜ୍ୟ ସଂସ୍କୃତି ବିଭାଗ ୧୦ଲକ୍ଷ ଟଙ୍କାର ସ୍ୱତନ୍ତ୍ର ଅନୁଦାନ ମଞ୍ଜୁର କରିଥିବା ବିଷୟରେ ଲକ୍ଷ୍ମଣ କୁମାର ମେହେର ସୂଚନା ଦେଇଥିଲେ । ଆଗକୁ ଆଠଗାଁ ଜମିଦାର ଧରମସିଂମାଝୀ ମାନଧାତା ଓ ଭୀମଡୁଙ୍ଗୁରୀ ତଥା କନ୍ଧମେଳି ସମ୍ପର୍କରେ ଅଧିକ ଗବେଷଣା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବୀ କରାଯିବ ବୋଲି ଭୀମପାହାଡ ମହୋତ୍ସବ କମିଟିର ସଭାପତି ପ୍ରମୋଦ ବହିଦାର କହିଥିଲେ । ଏହି ସାମ୍ବାଦିକ ସମ୍ବିଳନୀରେ ଧରମସିଂମାଝୀ ମାନଧାତା ସ୍ମୃତିକମିଟିର ସଦସ୍ୟଙ୍କ ସମେତ ଭୀମପାହାଡ ମହୋତ୍ସବ କମିଟିର ସଭାପତି ପ୍ରମୋଦ ବହିଦାର, ସଂପାଦକ ଗୋବର୍ଦ୍ଧନ ସାହୁ, କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ । ଶେଷରେ ମହୋତ୍ସବ କମିଟିର ଉପଦେଷ୍ଟା ଶୈଳେନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.