- ଅନଙ୍ଗ ଓ ଲକ୍ଷ୍ମଣଙ୍କ ଟାର୍ଗେଟରେ ବିରୋଧୀ
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ନୂଆଁଖାଇ ଭେଟ୍ଘାଟ୍-୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ ସହରରେ ଏକ ବିଶାଳ ଶୋଭାଯାତ୍ରା କରାଯାଇ କୋସଲ କଳାମଣ୍ଡଳ ପଡିଆଠାରେ ୫ ହଜାରରୁ ଅଧିକ ମହିଳା/ପୁରୁଷଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗତ ଅକ୍ଟୋବର ୨ ତାରିଖରୁ ବିଜେଡି ପକ୍ଷରୁ ଚାଲିଥିବା ଜନସଂମ୍ପର୍କ ପଦଯାତ୍ରା କରାଯାଇ କର୍ମୀଙ୍କୁ ଯୋଡାଯାଇଥିବା ବେଳେ ଆଜିର ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମକୁ ବଲାଙ୍ଗିର ରାଜ ପରିବାରର ଶକ୍ତି ପ୍ରଦର୍ଶନ ବୋଲି କୁହାଯାଉଛି । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ଗତ ଗୋଟିଏ ବର୍ଷ ଧରି ନିର୍ବାଚନ ମଣ୍ଡଳୀରୁ ଦୂରେଇ ରହୁଥିବା ଅର୍କେଶ ନାରାୟଣ ସିଂହଦେଓ ଆଜି ଶିଶୁ ଉଦ୍ୟାନର ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କର ପଦଯାତ୍ରା ଆରମ୍ଭ କରିଥିଲେ । ବିଜେଡିର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗଉଦୟ ସିଂହଦେଓ, ପୂର୍ବତନ ସାଂସଦ ତଥା କଳିକେଶ ନାରାୟଣ ସିଂହଦେଓ ସ୍ଥାନୀୟ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନରୁ ଶୋଭାଯାତ୍ରା ଆରମ୍ଭ କରିଥିଲେ । ଶୋଭାଯାତ୍ରା କୋସଳ କଳାମଣ୍ଡଳ ପଡିଆଠାରେ ପହଞ୍ଚି ଥିଲା । ସେଠାରେ ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତିଙ୍କ ସଭାପତିତ୍ୱ ଓ ପୂର୍ବତନ କାର୍ଯ୍ୟକାରୀ ସଭାପତି ଭବାନୀଶଙ୍କର ହୋତାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଲାଙ୍ଗିର ବିଜେଡି ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂ ମୁଖ୍ୟଅତିଥି, ବରେଣ୍ୟ ଅତିଥି ଭାବରେ ବରିଷ୍ଠନେତା ଅନଙ୍ଗଉଦୟ ସିଂହଦେଓ, ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ, ଯୁବନେତା ଅର୍କେଶ ନାରାୟଣ ସିଂହଦେଓ, ମହିଳାନେତ୍ରୀ ଦମୟନ୍ତୀ ବାଗ, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, ବରିଷ୍ଠ ନେତା ଲକ୍ଷ୍ମଣ କୁମାର ମେହେର, ପ୍ରଦ୍ୟୁତ ମିଶ୍ର, କୈଳାଶ ମହାନ୍ତି, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷ ସରିତା ବାଗ, ପୂର୍ବତନ ଅଧ୍ୟକ୍ଷ ଗୋଲାପ ବାଗ, ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା, ଛାତ୍ର ବିଜେଡିର ସୁମନ ନନ୍ଦ, ଦେଓଗାଁ ବ୍ଲକ ସଭାପତି ସୁଶୀଳ ଚାନ୍ଦ, ବଲାଙ୍ଗିର ସଦର ବ୍ଲକ ସଭାପତି ନିହାର ବେହେରା, ବଲାଙ୍ଗିର ନଗର ସଭାପତି ଶମ୍ଭୁ ନାଗ, ଜିଲ୍ଲା କୃଷକ ସଭାପତି ଅଜୟ ଦାସ, ପାଟଣାଗଡର ଯୁବନେତା ଶିବାନନ୍ଦ ପରିଚ୍ଛା, ମୁରିବାହାଲର ହଂସରାଜ ଜୈନ, କଣ୍ଟାବାଞ୍ଜିର ଗିରିରାଜ ସିଂମାଝୀ, ଉଦ୍ଧବ ବେହେରା, ଅଜିତ ଯୋଷୀ, ପୁଇଁତଳା ବ୍ଲକ ଅଧ୍ୟକ୍ଷ ସରୋଜ ପଧାନ, ଲୋଇସିଂହାର ନବକିଶୋର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ସଭାରେ ମୁଖ୍ୟଅତିଥି ସୁଶାନ୍ତ ସିଂ ବିଜୁଜନତା ଦଳ ଗଠନ ସମୟରେ ଅନଙ୍ଗଉଦୟଙ୍କ ଭୂମିକା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାଙ୍ଗରେ ତାଙ୍କର ସମ୍ପର୍କ ବିଷୟରେ କହିଥିଲେ ଓ ବିଜେଡି ଅମଳରେ ରାଜ୍ୟ ତଥା ବଲାଙ୍ଗିର ଜିଲ୍ଲାରେ ହୋଇଥିବା ବିକାଶ ପ୍ରକଳ୍ପ ଉପରେ କହିଥିଲେ । ଅନଙ୍ଗଉଦୟ ସିଂହଦେଓ ତାଙ୍କ ବକ୍ତବ୍ୟରେ ନବୀନ ପଟ୍ଟନାୟକ ଅମଳରେ ହୋଇଥିବା ବିକାଶ ପ୍ରକଳ୍ପ ଉପରେ କହି ବିରୋଧୀ ଏଥିରେ କେବଳ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ । ସେହିପରି ଗତ ୯ବର୍ଷରେ ବଲାଙ୍ଗିରକୁ ବିହାର ଭଳି ଅପରାଧୀ ପ୍ରବଣ ଅଞ୍ଚଳ କିଏ କରୁଛି ଓ ଜମି ମାଫିଆଙ୍କୁ ସହାୟତା କରୁଛି ଜନସାଧାରଣ ଅବଗତ ହେବା କଥା ବୋଲି କହି ବିରୋଧୀ ପକ୍ଷଙ୍କୁ ଟାର୍ଗେଟ କରିଥିଲେ । ସେହିପରି ବରିଷ୍ଠ ନେତା ଲକ୍ଷ୍ମଣ କୁମାର ମେହେର ତାଙ୍କ ବକ୍ତବ୍ୟରେ ସୋନଗଡ ନଦୀରେ ହୋଇଥିବା ୭ଟି ବ୍ରିଜ, ମଠ ମନ୍ଦିରର ବିକାଶ, ସ୍କୁଲଗୁଡିକର ରୂପାନ୍ତରିକରଣ, ରାସ୍ତା ଉନ୍ନତିକରଣ, ମେଡିକାଲ କଲେଜ, ଲୋୟର ସୁକତେଲର ଉଦାହରଣ ଦେଇ ନବୀନ ପଟ୍ଟନାୟକ ଓ ଅନଙ୍ଗଉଦୟ ସିଂହଦେଓଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେ ବିରୋଧୀଙ୍କୁ ଟାର୍ଗେଟ କରି କହିଲେ ଯେ, ବଲାଙ୍ଗିର ବିଧାୟକ କେବଳ ରାଜପରିବାର, ବିଡିସିସି ବ୍ୟାଙ୍କ ଓ ଏବେ ପୌରପାଳିକା ବିରୋଧରେ କହି କହି ତାଙ୍କ ସମୟ ଅପଚୟ କରୁଛନ୍ତି । ସେ ବିକାଶ କେତେବେଳେ କଲେ ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ଅନ୍ୟ ବକ୍ତାଗଣ ମଧ୍ୟ ତାଙ୍କ ବକ୍ତବ୍ୟରେ ଆଗାମୀ ୨୦୨୪ ନିର୍ବାଚନରେ କଳିକେଶଙ୍କୁ ସାଂସଦ ଓ ଅର୍କେଶଙ୍କୁ ବିଧାୟକ ଭାବରେ ଜିତାଇବାକୁ କର୍ମୀଙ୍କୁ ଉତ୍ସାହିତ କରିଥିଲେ । ଏହି ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମରେ ସମ୍ବଲପୁରୀ ଗାୟକ କଳାକାର ଉମାକାନ୍ତ ବାରିକ ଓ ତାଙ୍କ ଟିମ୍ ଦର୍ଶକଙ୍କୁ ମନୋରଂଜନ କରାଇଥିଲେ ।