ଷୋଡଶ ଉପଚାର ମନ୍ତ୍ର ଧ୍ୱନିରେ ମା’ରାମଚଣ୍ଡୀଙ୍କ ପୀଠ ପ୍ରକମ୍ଫିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ପୀଠରେ ପବିତ୍ର ଦଶହରା ପୂଜା ଅବସରରେ ଷୋହଳ ଦିନାତ୍ମକ ପୂଜା ଗୁରୁବାର ମଧ୍ୟରାତ୍ରୀରୁ ଷୋଡଶ ଉପଚାର ମତେ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ, ଛତ୍ରପୁର ନିକଟସ୍ଥ ଗଞ୍ଜାମ ବ୍ଳକ୍ ନୀଳାଦ୍ରିପୁର ଗ୍ରାମର ଧଡ଼ା ପାହାଡ଼ ଶୀର୍ଷରେ ବିଦ୍ୟମାନ ହୋଇଥିବା ମା’ ରାମଚଣ୍ଡୀଙ୍କ ପୀଠ ଖୁବ ଶକ୍ତିଶାଳୀ ତନ୍ତ୍ରପୀଠ ଅଟେ । ପୂଣ୍ୟତ୍ତୋୟା ଋଷିକୂଲ୍ୟାନଦୀ ଏବଂ ପ୍ରକୃତିର ଅନଵୈଦ୍ୟ ସୁରମ୍ୟ ସ୍ଥଳରେ ବିଜେମାନ କରିଥିବା ମା’ ରାମଚଣ୍ଡୀଙ୍କ ମହିମା, ପରମ୍ପରା ଅନନ୍ୟ ନିଆରା ଅଟେ । ମର୍ଯ୍ୟଦା ପୁରୁଷୋତ୍ତମ ପ୍ରଭୁଶ୍ରୀ ରାମଚନ୍ଦ୍ରଙ୍କ ୧୪ ବର୍ଷ ବନବାସ ସମୟରେ ଅନୁଜ ଲକ୍ଷ୍ମଣଙ୍କ ସହ ଏଠାରେ ସସ୍ତ୍ରୀକ କିଛିଦିନ ଅବସ୍ଥାନ କରିଥିବା ସାଂଗକୁ ତାଙ୍କରି କରକମଳରେ ପ୍ରତିଷ୍ଠିତ ଏହି ଚଣ୍ଡୀଙ୍କ ପୂଜା-ଆରାଧନା କରିଥିବା ହେତୁ ଏହି ପୀଠ ରାମଚଣ୍ଡୀଙ୍କ ନାମରେ ଖ୍ୟାତ ବୋଲି କିମ୍ବଦନ୍ତୀ କହେ । ଏହି ପୀଠରେ ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଭାବେ ଶାରଦୀୟ ଷୋଳ-ଦିନାତ୍ମକ ପୂଜା ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ଦେବୀ ଦୈନିକ ଗୋଟିଏ ଗୋଟିଏ ବେଶ ଧାରଣ କରିଥାନ୍ତି, ତଦନୁଯାୟୀ ଷୋଳ-ଦିନାତ୍ମକ ପୂଜାର ଯଥାରୀତିରେ ପୂଜାର୍ଚ୍ଚନା ଷୋଡଶ ଉପଚାରରେରେ ସମାହିତ ହୋଇଆସିଛି । ଆଦ୍ୟ ଦିବସରେ ଦେବୀଙ୍କୁ ସୁବାସିତ ଜଳରେ ସ୍ନାନ, ମାର୍ଜନା କରାଇ ଦେବୀଙ୍କୁ ଆବାହନ କରି ଦେବୀଙ୍କୁ ସାଜସାଜ୍ଜା, ଭୋଗରାଗ, ଚଣ୍ଡୀପାଠ, ଶିଙ୍ଘ ପୂଜା, ମନ୍ତ୍ର ଜପ, ଘଟ ପୂଜା ଭଳି ସ୍ୱତନ୍ତ୍ର ପୂଜାବିଧି ଆରମ୍ଭ ହୋଇଛି । ମଧ୍ୟରାତ୍ରୀରେ ସ୍ଥାନଟି ନିଃଶବ୍ଦ ହେତୁ ପର୍ବତ ଶୀର୍ଷରୁ ପାଖ ପରିସର ଅଞ୍ଚଳକୁ ପୂଜା-ପଣ୍ଡା, ବଡ଼ ପୁରୋହିତଙ୍କ ମନ୍ତ୍ର ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇ ମୁଖରୀତ କରିଛି । ଉକ୍ତ ସ୍ଥାନରୁ ଆଧ୍ୟାତ୍ମିକ ବାତାବରଣ ସଞ୍ଚାର ସୃଷ୍ଟି କରି ସଭିଁଙ୍କୁ ଭକ୍ତି ଭାବାବେଗରେ ଆହ୍ୱାନ କରୁଛି ।

Leave A Reply

Your email address will not be published.