ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ସଭାରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ସଭାପତିତ୍ୱ କରି ଛାତ୍ରଛାତ୍ରୀମାନଙ୍କୁ ଗାନ୍ଧିଜୀ ଓ ଶାସ୍ତ୍ରୀଜିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ସେବା କରିବା ପାଇଁ ଉଦ୍‌ବୋଧନ ଦେଇଥିଲେ । ସଭାରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଏବଂ ଅଞ୍ଜଳିନା ପଧାନ ଯୋଗଦେଇଥିଲେ । ବକ୍ତା ଭାବରେ ବିନିକା ସିଦ୍ଧାର୍ଥ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଧୀରେନ୍ଦ୍ର କୁମାର ନାୟକ ଏବଂ ବିଶିଷ୍ଟ ସାହିତ୍ୟିକ ଲେଖକ ଦୀପକ ରଞ୍ଜନ ମିଶ୍ର ଯୋଗଦେଇ ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ । ଶିକ୍ଷକ ପୁଷ୍ପକ ରାୟ, ପ୍ରତିଦିପ୍ତ ରାୟ ପ୍ରମୁଖ ଗାନ୍ଧିଜୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନ ତୋ ତେନେ କହିଏ ଓ ରଘୁପତି ରାଘବ ରାଜାରାମ ପରିବେଷଣ କରିଥିଲେ । ସର୍ବଧର୍ମ ପ୍ରାର୍ଥନା ସଭାରେ ପାଷ୍ଟର ଲାଲମୋହନ ଦିଗାଲ୍ ପବିତ୍ର ବାଇବଲ୍, ଜନାବ ମହମ୍ମଦ ରଫିକ କୋରାନ୍, ଧିମାନ ସୁରେଶ୍ ବାଗ ବୌଦ୍ଧ ଧର୍ମଗ୍ରନ୍ଥ ଏବଂ ପଣ୍ଡିତ ଲକ୍ଷ୍ମୀନାରାୟଣ ପୂଜାରୀ ଭଗବତ ଗୀତା ଅବୃତ୍ତି କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସଭାରେ ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତୀ ତ୍ରିପାଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଗାନ୍ଧୀ ପ୍ରେମୀ ଜନସାଧାରଣ, ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ଯୋଗଦେଇଥିଲେ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ବିଦ୍ୟାପତି ପଣ୍ଡା ସଭା ସଂଯୋଜନା କରିଥିଲେ । ପ୍ରାତଃ ସମୟରେ ସହରରେ ରାମଧୁନ ପରିବେଷଣ କରିବା ସହିତ ଗାନ୍ଧୀ ମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.