oom

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ଜାତିର ଜନକ ମହାତ୍ମାଗାନ୍ଧୀ ଓ ଶାନ୍ତିଦୁତ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଜୟନ୍ତୀ ସମାରୋହ ପାଳନ ଉପଲକ୍ଷେ ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହରରେ ରାମଧୁନ ପ୍ରଚାର କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରଭାତଫେରି କରି ସହର ପରିକ୍ରମା କରିଥିଲେ । ସକାଳ ୭.୩୦ରେ ଗାନ୍ଧୀ ଭବନ ସମ୍ମୁଖସ୍ଥ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରି, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ମହେନ୍ଦ୍ର ମହାପାତ୍ର, ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ପ୍ରଶାସନିକ ଅଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଗାନ୍ଧୀନଗରପଡା ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର କୁମାର ମହାପାତ୍ରଙ୍କ ସମେତ ବଲାଙ୍ଗିର ସହରର ବହୁ ବିଶିଷ୍ଠ ବ୍ୟକ୍ତି ତଥା ଜନସାଧାରଣ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପ୍ରତିମୂର୍ତ୍ତି ସ୍ଥଳରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ଏହି ପ୍ରାର୍ଥନା ସଭାରେ ପଣ୍ଡିତ ବ୍ରଜ ବିହାରୀ ତ୍ରିପାଠୀ ଗୀତା ପାଠ, ମୌଲବୀ ମହମ୍ମଦ ମୋସାହିଦ ରାଜା କୋରାନ ପାଠ ଓ ଗ୍ରନ୍ଥି ଜସବୀର ସିଂ ଗ୍ରନ୍ଥ ସାହେବ ପାଠ ଏବଂ ଫାଦର ଆଚାର୍ଯ୍ୟ ଇମାନୁଏଲ ଦାନୀ ବାଇବେଲ ପାଠ କରିଥିଲେ । ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ଅନୁଷ୍ଠିତ ଓଡିଆ ବକୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ବିନ୍ଦିଆ ବେହେରା ପ୍ରଥମ, ସ୍ଵାତି ଅମ୍ରିତା ମହାନ୍ତି ଦ୍ଵିତୀୟ, ନୈତିକ ଦାଶ ଏବଂ ସାଇ ସ୍ୱରୂପ ପଟେଲ ତୃତୀୟ ହୋଇଥିବା ବେଳେ ଉଚ୍ଚ ବିଦ୍ୟାଳୟ ସ୍ତରରେ କ୍ରୀଷ୍ଣାରାଜ ରଥ ପ୍ରଥମ, ପ୍ରିୟଙ୍କା ମହାପାତ୍ର ଦ୍ଵିତୀୟ ଏବଂ ପ୍ରତିକ୍ଷା ସାହୁ ତୃତୀୟ ହୋଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.