jayashree

ଘର ଭିତରେ ନିଜ ମାଆଙ୍କୁ ମାରି ପୋଡି ଦେଲା ପୁଅ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଟିକାବାଲି ଥାନା ଅନ୍ତର୍ଗତ ବଡ଼ିମୁଣ୍ଡା ଖଜୁରୀସାହିରେ ଏକ ଅଭାବନୀୟ ଘଟଣାକ୍ରମରେ ପୁଅ ଘର ଭିତରେ ନିଜ ମାଆଙ୍କୁ ମାରି ପୋଡି ଦେଇଛି । ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ବଡ଼ିମୁଣ୍ଡା ଖଜୁରୀ ସାହିର ସ୍ବର୍ଗତ ଫିଲିପ ନାୟକଙ୍କ ପୁଅ ସମୀର ନାୟକ (୪୯) ଗତ ଶନିବାର ଦିନ ଘୁ. ଉଦୟଗିରି ଜେଲରୁ ଫେରିଥିଲା । ପୂର୍ବରୁ ସେ ଅର୍ଦ୍ଧ ପାଗଳ ଅବସ୍ଥାରେ ସ୍ଥାନୀୟ ସାହି ପଡିସାଙ୍କ ସହ ଗଣ୍ଡଗୋଳ କରି ଦୀର୍ଘ ୩ ବର୍ଷ ୨ମାସ ହେବ ଜେଲ ଦଣ୍ଡ ଭୋଗୀ ଘରକୁ ଆସିଥିଲା । ତେବେ କୌଣସି କାରଣ ବଶତଃ ବିଳମ୍ବିତ ରାତିରେ ନିଜ ମାଆ ମଞ୍ଜୁଳା ନାୟକ (୯୫)ଙ୍କୁ ଜୀବନରୁ ମାରି ଘରେ ଥିବା ଆସବାବ ପତ୍ର ଏବଂ ଜାଳେଣି କାଠରେ ଶବ ପୋଡି ଦେଇଥିଲା । ଏହା ପରେ ଆଖପାଖ ପଡିସାଙ୍କ ଘର ଉପରକୁ ବଡ଼ ବଡ଼ ପଥର ମାରିବା ସହିତ ଘର ସାମନାରେ ଥିବା ଏକ ଗାଡିକୁ ମଧ୍ୟ ଭାଙ୍ଗି ଚୁର୍‌ମାର୍‌ କରିଥିଲା । ରବିବାର ସକାଳେ ଗାଁ ଲୋକ ସମୀରକୁ ଧରି ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଟିକାବାଲି ଥାନାକୁ ଖବର ଦେଇଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମୀରକୁ ଥାନାକୁ ନେଇଛି । ଘୁ. ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି ଏବଂ ଟିକାବାଲି ଥାନା ଆଧିକାରୀ କଲ୍ୟାଣିମୟୀ ଷାଣ୍ଢ ଏବଂ ସେକେଣ୍ଡ ଅଫିସର ସଞ୍ଜୟ କୁମାର ସ୍ୱାଇଁଙ୍କ ସମେତ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ଟିକାବାଲି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ରହି ତଦନ୍ତ ଅବ୍ୟାହତ ରଖିଛନ୍ତି ।

Leave A Reply

Your email address will not be published.