ଅରକ୍ଷିତଙ୍କୁ ଦୈବ ସାହା : ଦିବ୍ୟାଙ୍ଗ ଦଣ୍ଡପାଣିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୦ ହଜାର ଟଙ୍କା ସହାୟତା ମିଳିଲା
- ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଲେ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଣମାଧ୍ୟମ ଜରିଆରେ ଖବର ପ୍ରସାରଣ ପରେ ଦିବ୍ୟାଙ୍ଗ ଦଣ୍ଡପାଣିଙ୍କୁ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୦ ହଜାର ଟଙ୍କା ସହାୟତା ମିଳିଲା । ଏବେ ଗ୍ରାମବାସୀ ବି ଖୁବ ଖୁସି ଅଛନ୍ତି, ଏଥିପାଇଁ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଲେ । ସୂଚନାଯୋଗ୍ୟ ଯେ, ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର ଗୋବା ଗ୍ରାମର ୩୦ ବର୍ଷୀୟ ଦିବ୍ୟାଙ୍ଗ ବ୍ୟକ୍ତି ଦଣ୍ଡପାଣି ଏବଂ ତାଙ୍କ ସହଯୋଗୀ କୁକୁରର ଏକ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ପରେ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ଖବର ପ୍ରସାରଣ ହେଲା । ଦଣ୍ଡପାଣିକୁ କିଭଳି ତାଙ୍କର ଦୈନନ୍ଦିନ ଜୀବନରେ ବ୍ୟବସାୟ, ଯାତାୟାତ ଓ ଟ୍ରାଇ ସାଇକେଲ ଟାଣିବାରେ ଆଦି ବେଶ୍ ଭାଇରାଲ୍ ହୋଇଥିଲା । ଏନେଇ ହ୍ୟୁମାନ ରାଇଟସ୍ର ଜଣେ ବ୍ୟକ୍ତି ଟୁଇଟ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟ୍ୟାଗ୍ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସହାୟତା ପାଇଁ ନିର୍ଦ୍ଦେଶ ହୋଇ ଛତ୍ରପୁର ବ୍ଲକକୁ ନିର୍ଦ୍ଦେଶ ହେଲା, ଶୁକ୍ରବାର “ଗୋବା” ଗ୍ରାମକୁ ଯାଇ ବ୍ଲକ ଉପାଧ୍ୟକ୍ଷା ସାଡି ଶାରଦା ରେଡ୍ଡୀ, ଛତ୍ରପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜଗନ ମୋହନ ସେନାପତି, ସ୍ଥାନୀୟ ସରପଞ୍ଚ ଅର୍ଚ୍ଚନା କୁମାରୀ ସେଠୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ସାହୁ, କନିଷ୍ଠ ଯନ୍ତ୍ରୀ ନବୀନ ମାଝୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ. କିଶୋର ଚନ୍ଦ୍ର ରେଡ୍ଡୀ, ଶିବ ଶଙ୍କର ସେଠୀ, ୱାର୍ଡ ମେମ୍ବର ଶିବରାମ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ଉକ୍ତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୦ ହଜାର ଟଙ୍କା ନଗଦ ଅର୍ଥ ପ୍ରଦାନ କରାଯାଇଛି । ଏହି ଆର୍ଥିକ ସହାୟତା ପାଇଁ ଦଣ୍ଡପାଣି ଓ ତାଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।