jayashree

ନୂଆଁଖାଇ ଭେଟ୍‌ ପରିବାର ମହାମିଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବ ପ୍ରସ୍ତାବିତ ଅନୁସାରେ ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ସଂଘର ପରିବାର ମଧ୍ୟରେ ଏକ ନୂଆଁଖାଇ ଭେଟ୍‌ ମହାମିଳନ ଉତ୍ସବ ବଲାଙ୍ଗିର ଖୁଜେନପାଲି ସ୍ଥିତ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମୁଖ୍ୟ ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର ଏବଂ ମୁଖ୍ୟବକ୍ତା ଗୁରୁଶ୍ରୀ ଡ. ଘାସିରାମ ମିଶ୍ର, ସଂଘ ସଭାପତି ଏବଂ ବରିଷ୍ଠ କାର୍ଯ୍ୟକାରୀ ସଭ୍ୟ ଜଗଦାନନ୍ଦ ଛୁରିଆଙ୍କ ନେତୃତ୍ୱରେ ପୁଷ୍ପସିଞ୍ଚଳନ, ମା ସମଲେଇଙ୍କ ପୂଜାର୍ଚ୍ଚନା ଏବଂ ସମ୍ପୂର୍ଣ୍ଣା ବୃଦ୍ଧାଶ୍ରମର କର୍ମକର୍ତ୍ତାଙ୍କ ଦ୍ୱାରା ଭଜନ ପରିବେଷଣ ପରେ ଉପଦେଷ୍ଟା ସୁବାଷ ଚନ୍ଦ୍ର ପଣ୍ଡା ମଂଚ ପରିଚାଳନା କରିଥିଲେ । ଉକ୍ତ ଉତ୍ସବରେ ସଂପାଦକ ବସନ୍ତ ଆଚାର୍ଯ୍ୟ ମହାମିଳନର ମହତ୍ୱ ଓ ତାତ୍ପର୍ଯ୍ୟ ସମ୍ବନ୍ଧରେ ସମାଜରେ କିପରି ଭାଇଚାରା ସୃଷ୍ଟି ହୋଇପାରିବ ସେ ସମ୍ବନ୍ଧେ ଆଲୋଚନା ରଖିବାକୁ ଅନୁରୋଧ କରିଥିଲେ । ବକ୍ତାଗଣଦ୍ୱୟ ଅତି ପ୍ରାଞ୍ଜଳ ଭାବରେ ମହତ୍ୱ ପର୍ବ ନୂଆଁଖାଇର ବୈଶିଷ୍ଟତା ଏବଂ ତାତ୍ପର୍ଯ୍ୟ ସମ୍ବନ୍ଧେ ବକ୍ତବ୍ୟ ରଖି ସମସ୍ତଙ୍କୁ ମନମୁଗ୍ଧ କରିଥିଲେ । ବରିଷ୍ଠ ସଭ୍ୟ ରାଧାକାନ୍ତ ମେହେର ରଚିତ ପୁସ୍ତକ “କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ’ ଉତ୍ସବରେ ଉନ୍ମୋଚନ କରାଯାଇଥିଲା । ବିଶିଷ୍ଟ ନୃତ୍ୟଶିଳ୍ପୀ କୁମାରୀ ରାଧାରାଣୀ ମିଶ୍ର ଏବଂ ବିଶିଷ୍ଟ କୁନି କଳାକାର ଶ୍ରୀନିକା ଆଚାର୍ଯ୍ୟଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ ପରିବେଷଣ ହୋଇଥିଲା । ବରିଷ୍ଠ ସଭ୍ୟା ବିଦ୍ୟୁତପ୍ରଭା ପଣ୍ଡା ଏବଂ ଗୀତାଞ୍ଜଳି ଶତପଥି ଭଜନ ଗାନ କରିଥିଲେ । ହାସ୍ୟକବି ଅଚ୍ୟୁତ ପୁରୋହିତଙ୍କ କବିତା ମାଧ୍ୟମରେ ସମସ୍ତଙ୍କର ମନମୁଗ୍ଧ କରିଥିଲେ । ଅନେକ ଅନୁରୋଧ କ୍ରମେ ଏବଂ ନିଷ୍ପତ୍ତି ଅନୁସାରେ ଆଜିକାର ସଭାରେ ପଶ୍ଚିମ ଓଡିଶାରେ ଏକ ସେବା ସଂଗଠନ ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ସାଂସଦ ଗଠନ ହୋଇ କାର୍ଯ୍ୟକର୍ତ୍ତା ଚୟନ ପ୍ରକ୍ରିୟା ସମାପ୍ତ ହୋଇଯାଇଛି । ଉତ୍ସବରେ ଅନେକ ପ୍ରାନ୍ତର ସଭ୍ୟସଭ୍ୟା ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଗ୍ଧ ହୋଇ ପ୍ରସାଦ ସେବନ କରିଥିଲେ । ଶେଷରେ ମହାସଂଘର କର୍ମକର୍ତ୍ତାଙ୍କ ଅନେକ ବାଧାବିଘ୍ନ ଓ ଚକ୍ରାନ୍ତକୁ ପ୍ରତ୍ୟାଖ୍ୟାନ କରି ଉତ୍ସବ ସଫଳ ହୋଇଥିବାରୁ ସମସ୍ତେ ଖୁସି ହୋଇଥିଲେ । ସଂପାଦକ ବସନ୍ତ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.