ଉଦ୍‌ଘାଟିତ ହେଲା ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ସଦର ମହକୁମା ପୃଥୀରାଜ ହାଇସ୍କୁଲ ଇଣ୍ଡୋର ଷ୍ଟାଡିୟମଠାରେ ଓଡିଶା ରାଜ୍ୟ ସ୍କୁଲ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ ୨୦୨୩ ଉଦ୍‌ଘାଟିତ ହୋଇଛି । ଏହି ପ୍ରତିଯୋଗିତାକୁ ବଲାଙ୍ଗିର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟେଟ ଚଞ୍ଚଲ ରାଣା ଉଦ୍‌ଘାଟନ କରିଛନ୍ତି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ଛାତ୍ର ଜୀବନର ଅଭିଜ୍ଞତା କହିବା ସଙ୍ଗେ ସଙ୍ଗେ ପିଲାମାନଙ୍କର ଖେଲୁଆଡ ମନୋବୃତିକୁ ଆଗକୁ ବଢ଼ାଇବା ପାଇଁ ପ୍ରେରଣା ଦେଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଧ୍ରୁବ ଚରଣ ବେହେରା ଇଂଡୋର ଷ୍ଟାଡିୟମର ଭିତ୍ତପ୍ରସ୍ତର ସ୍ଥାପନରୁ ଉଦ୍‌ଘାଟନ ପର୍ଯ୍ୟନ୍ତ ଅନୁଭୂତିକୁ ନିଜ ବକ୍ତବ୍ୟରେ କହିଥିଲେ । ଉପନିଦ୍ଦେଶକ (କ୍ରୀଡା ବିଭାଗ) କୈଳାଶ ଚନ୍ଦ୍ର ପଧାନ ପ୍ରତିଯୋଗିତାର ଉଦ୍ଦେଶ୍ୟ ଓ ବିବରଣୀ ପ୍ରଦାନ କରିଥିଲେ । ବଲାଙ୍ଗିର ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ୍‌ ସାଧାରଣ ସମ୍ପାଦକ ସୁରୁ ଲାଲ ମଟାରି ଏଠାରେ ହେଉଥିବା ବିଭିନ୍ନ ଜାତୀୟ ସ୍ତରର ପ୍ରତିଯୋଗିତା ବିଷୟରେ ସୂଚନା ଦେଇଥିଲେ । ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ କେଶବ ମେହେର, ଢେଙ୍କାନାଳ ଜିଲ୍ଲା କ୍ରୀଡା ଅଧିକାରୀ ଜ୍ୟୋତି ପ୍ରସାଦ ପରିଡା ଓ ବଲାଙ୍ଗିର ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ପାତ୍ର ଆଜିର ସଭାରେ ମଞ୍ଚସୀନ ଥିଲେ । ଅତିରିକ୍ତ ସହ କ୍ରୀଡା ଅଧିକାରୀ ଅନ୍ତର୍ଯ୍ୟାମୀ ବିଶ୍ଵାଳ ମଞ୍ଚ ପରିଚାଳନା କରିଥିଲେ ।

ଏହି ପ୍ରତିଯୋଗିତାରେ ୧୪ ଏବଂ ୧୭ ବର୍ଷରୁ କମ୍‌ ବର୍ଗରେ ବିଭିନ୍ନ ଜିଲ୍ଲା ମଧ୍ୟରେ ବ୍ୟାଡମିଣ୍ଟନ ଖେଳା ଯିବ । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସମୁଦାୟ ୨୭ଟି ଜିଲ୍ଲାରୁ କ୍ରୀଡାବିତ ଅଂଶଗ୍ରହଣ କରିଛନ୍ତି । ତନ୍ମଧ୍ୟରୁ ୧୫୭ଜଣ ବାଳିକା ଏବଂ ୧୯୭ଜଣ ବାଳକ ଅଟନ୍ତି ୪୯ ଜଣ ଟିମ୍ ମ୍ୟାନେଜର ଓ କୋଚ ଏବଂ ୩୦ ଜଣ ସହ ବେଡମିଟନ ପରିଚାଳକ ଏମିତି ମୋଟରେ ୪୦୭ ଜଣ ଯୋଗ ଦେଇଛନ୍ତି । ୧୪ ବର୍ଷରୁ କମ୍‌ ବାଳକ ଓ ବାଳିକାମାନଙ୍କ ଜାତୀୟ ସ୍ତରର ପ୍ରତିଯୋଗିତା ଦିଲ୍ଲୀଠାରେ ଓ ୧୭ ବର୍ଷରୁ କମ ବାଳକ ଓ ବାଳିକାମାନଙ୍କର ଜାତୀୟ ସ୍ତରର ପ୍ରତିଯୋଗିତା ଗୁଜୁରାଟର ଗାନ୍ଧୀନଗରଠାରେ ଅନୁଷ୍ଠିତ ହେବ ।

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀଙ୍କ ଦ୍ଵାରା ପରିବେଷିତ ନୃତ୍ୟ ଓ ପ୍ରାରମ୍ଭିକ ସଙ୍ଗୀତ ଉଦ୍‌ଘାଟନୀ ଉତ୍ସବକୁ ଆହୁରି ମନଛୁଆଁ କରିଥିଲା ।

Leave A Reply

Your email address will not be published.

error: Content is protected !!