jayashree

ବଲାଙ୍ଗିରରେ ବିଶାଳ ଆଦିବାସୀ ସାଂସ୍କୃତିକ ଶୋଭାଯାତ୍ରା : କଲ୍ୟାଣ ମଣ୍ଡପରେ ନୂଆଁଖାଇ ଜୁହାର ଭେଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ବଲାଙ୍ଗିର ସହରରେ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ହଜାର ହଜାର ସଂଖ୍ୟାରେ ଆଦିବାସୀମାନେ ସମଲେଇ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଆଦିବାସୀମାନେ ପାରମ୍ପରିକ ବେଶଭୁଷା ସହିତ ନୃତ୍ୟ, ଗୀତ, ବାଦ୍ୟ, ସଙ୍ଗୀତର ତାଳେ ତାଳେ ନାଚି ନାଚି ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଶୋଭାଯାତ୍ରା ଅବସରରେ ଆଦିବାସୀମାନଙ୍କ ସମସ୍ୟା ସମ୍ବଳିତ ଦଶ ଦଫା ଦାବୀ ପତ୍ର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଦାବୀ ଗୁଡିକ ମଧ୍ୟରେ ଗୋଣ୍ଡି, କୁଇ, ହୋ, ମୁଣ୍ଡାରୀ, ଭୂମିଜ, ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା, ଆଦିବାସୀ ଗାଁ, ବସ୍ତି, ପଡ଼ାମାନଙ୍କରେ ନେଟୱାର୍କ ସଂଯୋଗ କରିବା, ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରତି ବ୍ଲକରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବା, ଆଦିବାସୀ ଅଧ୍ୟୁଷିତ ପଶ୍ଚିମ ଓଡିଶାର କେନ୍ଦୁପତ୍ର ତୋଳାଳୀ ବନ୍ଧାଳୀମାନଙ୍କ ଆର୍ଥିକ ବିକାଶ ପାଇଁ କେନ୍ଦୁପତ୍ରରୁ ୧୮ ପ୍ରତିଶତ ଜିଏସ୍‌ଟି ପ୍ରତ୍ୟାହାର କରି ଉକ୍ତ ଟଙ୍କା କେନ୍ଦୁପତ୍ର ଶ୍ରମିକମାନଙ୍କୁ ପ୍ରଦାନ କରିବା, ଉଚ୍ଚତମ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ ସମୟ ସୀମା ମଧ୍ୟରେ ନକଲି ଆଦିବାସୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ମାଳି, ରଣା ଓବିସି ଜାତିକୁ ଆଦିବାସୀ ତାଲିକାରେ ଅନ୍ତର୍ଭୁକ୍ତ ନ କରିବା, ଆଦିବାସୀମାନଙ୍କ ଭୁ-ସମ୍ପତ୍ତିକୁ ଅଣ ଆଦିବାସୀମାନଙ୍କୁ ହସ୍ତାନ୍ତର ନ କରିବା ଏବଂ ଅଣ-ଆଦିବାସୀମାନେ ବେଆଇନ ଖର୍ଦି ସୂତ୍ରେ ଦଖଲ କରୁଥିବା ଜମିକୁ ଆଦିବାସୀମାନଙ୍କୁ ଫେରସ୍ତ କରିବା, ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ଅନୁସାରେ ଛାଡ଼ି ହୋଇଥିବା ଆଦିବାସୀ ହିତାଧିକାରୀଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବା, ବଜାର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଆଦିବାସୀ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିବା, ପ୍ରଭୃତି । ପରେ ଶୋଭାଯାତ୍ରାରେ ଆଦିବାସୀମାନେ କଲେଜଛକ ସ୍ଥିତ କଲ୍ୟାଣ ମଣ୍ଡପଠାରେ ନୂଆଁଖାଇ ଜୁହାର ଭେଟ୍‌ କାର୍ଯ୍ୟକ୍ରମରେ ଆଦିମ ସଂସ୍କୃତି ନୃତ୍ୟ, ଗୀତ, ସଂଗୀତ ପରିବେଷଣ କରିଥିଲେ । ନୂଆଁଖାଇ ଭେଟ୍‌ଘାଟ୍‌ ଉପଲକ୍ଷେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବ୍ଲକ ସଭାପତି ବଳଦେବ ଭୋଇ, ନିମାଇଁ ଚରଣ ଝାଙ୍କର, ପାଳେଶ୍ୱର ଭୋଇ, ଭୁବନେଶ୍ୱର କୁଅଁର, ଦଶରଥ ଛତ୍ରିଆ, ଚନ୍ଦ୍ର ବରିହା, ରସିକ ଧରୁଆ, ସନ୍ତୋଷ ପୁଟା, ରାଜୀବ କୁଅଁର, ମନରଞ୍ଜନ ଭୋଇ, ସୁରଥ ଧରୁଆ, ଚୌବନ କିଶୋର ମାଝି, ପ୍ରଫୁଲ୍ଲ କୁମାର ତୁମୁନିଆଁ, ଅଚ୍ୟୁତ ଧରୁଆ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ଆଦିବାସୀ ସଂସ୍କୃତି ସୁରକ୍ଷା ପାଇଁ ଚଳିତ ବର୍ଷ ଆଦିବାସୀ ମହୋତ୍ସବ ପାଳନ କରିବା, ଆଦିବାସୀ ଦେବାଦେବୀ ପୀଠର ନିର୍ମାଣ, ମରାମତି ଓ ସୌନ୍ଦର୍ଯ୍ୟକରଣ କରିବା, ଆଦିବାସୀ ସଂସ୍କୃତି ଭବନ ନିର୍ମାଣ, ଆଦିବାସୀ ଏକତା ସଦଭାବନା ବୃଦ୍ଧି ପାଇଁ ସଂଗଠନକୁ ମଜବୁତ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ସାରଥୀ ବାଗ, ଗୌରାଙ୍ଗ ବରିହା, ଘନ ଭୋଇ, ଧରମ ସିଂ ଧରୁଆ, ଯଦୁମଣି ବରିହା, ଲକ୍ଷ୍ମୀ ଶବର, ଖେଳନ୍ତି ସମରଥ, ଟଙ୍କଧର ଧରୁଆ, ଶୋଭାଯାତ୍ରା ପରିଚାଳନା କରିଥିଲେ । ଗିରିଧାରୀ ଭୋଇ ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.