jayashree

ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ଡାକ୍ତର ସମରେନ୍ଦ୍ର ମହାପାତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଜର ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ଡାକ୍ତର ସମରେନ୍ଦ୍ର ମହାପାତ୍ର ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଦ୍ବାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି । କଟକ ସ୍ଥିତ ସାରଳା ଭବନଠାରେ ଶ୍ରୀଅରବିନ୍ଦ ମେଡିକାଲ ଏସୋସିଏସନ ତରଫରୁ ଆୟୋଜିତ ୩୪ତମ ଅଲ ଓଡିଶା କନଫରେନ୍ସ ଅବସରରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ରାଜ୍ୟସ୍ତରୀୟ ଅଲ୍ଟ୍ରାସାଉଣ୍ଡ ପ୍ରଶିକ୍ଷକ ତଥା ବଲାଙ୍ଗିର ଜିଲ୍ଲାର ସଇନ୍ତଳା ସିଏଚ୍‌ସିରେ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଭାବରେ କାର୍ଯ୍ୟ କରୁଥିବା ଡାକ୍ତର ସମରେନ୍ଦ୍ର ମହାପାତ୍ରଙ୍କୁ ମାତୃ ଓ ଶିଶୁ ମୃତ୍ୟୁହାର କମ୍‌ କରିବା ଓ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ପ୍ରମାଣପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଓଡିଶାର ଗ୍ରାମାଞ୍ଚଳରେ ଅପହଞ୍ଚ ସ୍ବାସ୍ଥ୍ୟସେବା ପାଇଁ ବିଭିନ୍ନ ଅଞ୍ଚଳରେ ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର ବଢୁଥିବା ବେଳେ ସଇନ୍ତଳା ଅଞ୍ଚଳରେ ଏହାକୁ ହ୍ରାସ କରିବାରେ ଉଲ୍ଲେଖଯୋଗ୍ୟ ସଫଳତା ପାଇଛନ୍ତି ଡାକ୍ତର ମହାପାତ୍ର । ତାଙ୍କର ଏହି ପୁରସ୍କାର ପ୍ରାପ୍ତି ଅଞ୍ଚଳରେ ଖୁସିର ଲହରୀ ଖେଳାଇ ଦେଇଥିବା ଜଣାପଡିଛି । ଏହି ସମାରୋହରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ଓ ପ୍ରଫେସର ଡ. ଶ୍ୟାମ କାନୁନଗୋ, ଡାକ୍ତର ହସମୁଖଲାଲ, ଡାକ୍ତର ଜୟନ୍ତ କୁମାର ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.