ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ରେଂଜ ଫୁଲ୍କାନୀ ଗାଁରୁ ବିପୁଳ ପରିମାଣର କାଠ ଜବତ ହୋଇଥିବା ବେଳେ ଏହି ମାମଲାରେ ୪ଜଣଙ୍କୁ ଗିରଫ୍ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଡିଏଫ୍ଓ ନୀତିଶ କୁମାରଙ୍କ ନିର୍ଦେ୍ଦଶ କ୍ରମେ ଗତକାଲି ମଧ୍ୟାହ୍ନ ସମୟରେ ବଲାଙ୍ଗିର ଏବଂ ଦେଓଗାଁ ରେଞ୍ଜର କର୍ମଚାରୀ, ବଲାଙ୍ଗିର ଡିଭିଜନ୍ ମୋବାଇଲ୍ ସ୍କ୍ୱାର୍ଡ ମିଶି କଂଟାବାଂଜି ରେଂଜ ଫୁଲ୍କାନୀ ଗାଁର ପୂର୍ଣ୍ଣଚନ୍ଦ୍ର ସମର୍ଥଙ୍କ ଘର ପରିସରରେ ଥିବା ବେଆଇନ ଭାବେ ଚାଲିଥିବା କାଠ କାରଖାନା ଉପରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ୧୩ଟି ଶାଳ ସାଇଜ୍ ଓ ୧୪ଟି ନିମ୍ ସାଇଜ୍ ସହ ବିପୁଳ ପରିମାଣର ପଟା, ଗୋଟିଏ ନିମ୍ ଗଣ୍ଡି, ୩ଟି ଶାଗୁଆନ ଗଣ୍ଡି, ଅଧା ତିଆରି ଆସବାବପତ୍ର ଏବଂ ବିଭିନ୍ନ ଉପକରଣ ଜବତ କରାଯାଇଛି । ଏଥିସହ ପୂର୍ଣ୍ଣଚନ୍ଦ୍ର ସମର୍ଥ, ମୁରଲୀ ସମର୍ଥ, ସବା ପୁଟେଲ ଏବଂ ରାମକାନ୍ତ ଗହିରଙ୍କୁ ଗିରଫ କରାଯାଇଥିବା ସୂଚନାରେ କୁହାଯାଇଛି । ଏହି ଚଢ଼ାଉରେ ଜବତ୍ କାଠର ମୂଲ୍ୟ ୪ ଲକ୍ଷ ଟଙ୍ଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି । ଜବତ ସାମଗ୍ରୀକୁ ଅଧିକ ତଦନ୍ତ ପାଇଁ କଣ୍ଟାବାଞ୍ଜି ରେଞ୍ଜ ଅଫିସ କ୍ୟାମ୍ପସକୁ ଅଣାଯାଇଥିଲା । ଏହି ଚଢ଼ାଉରେ ଏସିଏଫ୍ ଘନଶ୍ୟାମ ମହନ୍ତ, ଜିତେନ୍ଦ୍ର ସାହୁ, ଫରେଷ୍ଷ୍ଟର ବ୍ୟାସଦେବ ସାହୁ, ହରିବଂଶ ପଧାନ, ଚିତ୍ତରଂଜନ ଖମାରୀ, ଭାଗବତ ଦାଶ, ବିଘ୍ନରାଜ ପୋଢ, ନବ କିଶୋର ଦାସ, ଫରେଷ୍ଟ ଗାର୍ଡ ସୁଶ୍ରୀ ଭାରତୀ ଯାନୀ, ଶ୍ରୀମତୀ ପଦ୍ମା ମୁଣ୍ଡା, ଶ୍ରୀମତୀ ବିଶ୍ୱବନ୍ଦିତା ସାହୁ ଏବଂ ବଲାଙ୍ଗିର, ଦେଓଗାଁ, ଏବଂ କଣ୍ଟାବାଞ୍ଜି ରେଞ୍ଜର ପାରା ସ୍କ୍ୱାର୍ଡ ପ୍ରମୁଖ ସାମିଲ୍ ଥିଲେ । ତେବେ ଦୀର୍ଘ ଦିନରୁ କଂଟାବାଂଜି ରେଂଜ ଅଂଚଳରେ ଏଭଳି ବେଆଇନ କାଠ କାରଖାନା ଚାଲିଥିବା ବେଳେ କଂଟାବାଂଜି ରେଂଜ ଅଧିକାରୀଙ୍କ କିଭଳି ନଜର୍ ନଥିଲା, ତାହା ସଂଦେହ ସୃଷ୍ଟି କରିଛି । ଏପରିକି ବଲାଙ୍ଗିର ଡିଏଫ୍ଓ ଏଭଳି ଅଣଦେଖା ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତ’ ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।
Prev Post