ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିମାସ ପରି ସ୍ୱସ୍ତି ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ପାଠାଗାରର ସତ୍ୟବାଦୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧକାରୀ ଭାରତ ଭୂଷଣ ମହାନ୍ତି ଯୋଗଦେଇଥିବା ବେଳେ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥୀ ଯୋଗଦେଇ ଓଡ଼ିଶାର ସକ୍ରେଟିସ ଭାବେ ପରିଚିତ ଚିନ୍ତାନାୟକ ଚିତ୍ତରଞ୍ଜନ ଦାସଙ୍କ ପୁସ୍ତକ “ସବାମୂଳରେ ମଣିଷ” ଉପରେ ଆଲୋଚନା କରି କହିଲେ ଯେ, ଚିତ୍ତରଞ୍ଜନଙ୍କ ମତରେ କେବଳ ମଣିଷ ହିଁ ପୃଥିବୀ ପୃଷ୍ଠକୁ ଏକ ସୁନ୍ଦର ବାସସ୍ଥାନରେ ପରିଣତ କରି ସେଠାରେ ସମସ୍ତଙ୍କ ସହ ପ୍ରେମ ପୂର୍ଣ୍ଣ ସହାବସ୍ଥାନ କରିବାରେ ସକ୍ଷମ । ସୁଖ ଓ ଆନନ୍ଦମୟ ଜୀବନ ଯାପନ କରିବା ସମଗ୍ର ବିଶ୍ଵବାସୀଙ୍କର ଲକ୍ଷ୍ୟ । ଏହି ଲକ୍ଷ୍ୟ ସାଧନ କେବଳ ମଣିଷ ଦ୍ଵାରା ହିଁ ସମ୍ଭବ । ଏଥିନିମନ୍ତେ କୌଣସି ଦୈବୀ କୃପା, ଉପାସନା ବା ବିଶାଳ ଧର୍ମପୀଠର ଆବଶ୍ୟକତା ନଥାଏ ।
ସବୁରି ଭିତରେ ନିହିତ ଶକ୍ତିକୁ ଚିହ୍ନି ଆତ୍ମୀୟତା ସୂତ୍ରରେ ବାନ୍ଧିପାରିଲେ, ତାହା ହିଁ ହେବ ଈଶ୍ୱର ପ୍ରାପ୍ତି । ହୃଦୟକୁ ବିସ୍ତାର କରି ପାରିଲେ ସମଗ୍ର ପୃଥିବୀଟି ଅତି ନିଜର ଲାଗିବ ଏବଂ ସମସ୍ତେ ନିଜର ପ୍ରିୟ ପରିଜନ ମନେ ହେବେ । ବାସ୍ତବିକ୍ ବସୁଧା ଏକ କୁଟୁମ୍ବରେ ପରିଣତ ହୋଇପାରିବ । ପୃଥିବୀର ସମସ୍ତ ଧର୍ମ ବା ଶାସ୍ତ୍ର କୌଣସି ଈଶ୍ୱର ବା ଦେବାଦେବୀଙ୍କ ଦ୍ୱାରା ସୃଷ୍ଟ ନୁହେଁ ବରଂ ଏ ସମସ୍ତ କେବଳ ମନୁଷ୍ୟ ଦ୍ୱାରା ହିଁ ସୃଷ୍ଟ । ଏସବୁ ମୂଳରେ ମଣିଷର ନିଷ୍ଠା ଓ ବିଶ୍ୱାସ ରହିଛି ।
ସଭାର ଦ୍ୱିତୀୟ ପର୍ଯ୍ୟାୟରେ ବରିଷ୍ଠ କବି ଡାକ୍ତର କୃପାସିନ୍ଧୁ ନାୟକଙ୍କ “ଅତିକ୍ରମଣ” କାବ୍ୟ ଗ୍ରନ୍ଥର ପ୍ରାଧ୍ୟାପକ ପାରେଶ୍ୱର ବିଶ୍ୱାଳଙ୍କ ଦ୍ୱାରା ଇଂରାଜୀ ଅନୁଦିତ “GO BEYOND” ପୁସ୍ତକର ଅନାବରଣ ଅତିଥିମାନଙ୍କ ଦ୍ଵାରା ହୋଇଯାଇଛି । ଅଧ୍ୟାପକ ସୁଧାଂଶୁ କୁମାର ମିଶ୍ର ଏହାକୁ ସମୀକ୍ଷା କରିଥିବା ବେଳେ ଅଧ୍ୟାପକ ଅଚିନ୍ତ୍ୟ ନାରାୟଣ ଜେନା ଏବଂ ଶଙ୍କର ପ୍ରସାଦ ତ୍ରିପାଠୀ ଉକ୍ତ ପୁସ୍ତକରୁ କିଛି କବିତା ପାଠ କରିଥିଲେ । କବି ରାଜୀବ ପାଣି ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରାଧ୍ୟାପକ ଅଜୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ କିଶୋରୀ ମୋହନ କର, ଲକ୍ଷ୍ମଣ ନାଥ ଦାସ, ରାଜକୁମାର ମହାନ୍ତି, ହରିହର ନାୟକ, ରାଧାମୋହନ ନାୟକ, ଅରବିନ୍ଦ ପାତ୍ର ପ୍ରମୁଖ ସହାୟତା କରିଥିବା ବେଳେ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଅଙ୍ଗୁରବାଳା ପରିଡ଼ା, ରଶ୍ମି ସାହୁ, ସୁମନ ଦତ୍ତ, ଅଜୟ କୁମାର ମହାନ୍ତି, ଶରତଚନ୍ଦ୍ର ଧଳ, ବିଜୟିନୀ ଜେନା, ବବି ମହାଳିକ, ଭବାନୀ ଚାଣ୍ଡେଲ, ଅଶୋକ କୁମାର ପଟ୍ଟନାୟକ, ବ୍ରଜେନ୍ଦ୍ର ଦାଶ, ସ୍ନେହଲତା ପଟ୍ଟନାୟକ, ଭୁପେନ ମହାପାତ୍ର, ଡଃ ଶକ୍ତି ପ୍ରସାଦ ସାମନ୍ତରାୟ, ସୁପ୍ତି କର, ନୃସିଂହ ଚରଣ ବିଶ୍ୱାଳ, ଅକ୍ଷୟ କୁମାର ସାମଲ, ଶରତ ଦାସ, ସୁନୀଲ କୁମାର ମହାନ୍ତି, ତ୍ରିଲୋଚନ ସ୍ୱାଇଁ, ବିଜୟ ରାୟ ଏବଂ କୁଳମଣି ଦାସ ପ୍ରମୁଖ ଶତାଧିକ ସାହିତ୍ୟିକ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।