ଫାଇଭ ଟି ସଚିବଙ୍କୁ ଲୋଇସିଂହା ବ୍ଲକ ସରପଞ୍ଚ ସଙ୍ଘର ୮ ଦଫା ଦାବୀପତ୍ର ପ୍ରଦାନ

ଲୋଇସିଂହା, (କେପିଏନ୍‌ଏସ୍‌) : ପଞ୍ଚାୟତିରାଜ ବ୍ୟବସ୍ଥାରେ ପଲ୍ଲିସଭା ଓ ଗ୍ରାମସଭା ଆୟୋଜନ କରି ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନାଗୁଡିକ ବାବଦରେ ଅବଗତ କରାଇବା କ୍ଷେତ୍ରରେ ସରପଞ୍ଚମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପ୍ରଚଳିତ ବିଧି ବ୍ୟବସ୍ଥାର ସଂଶୋଧନ ପୂର୍ବକ ସରପଞ୍ଚମାନଙ୍କୁ ଉପଯୁକ୍ତ କ୍ଷମତା ପ୍ରଦାନ ସକାଶେ ଲୋଇସିଂହା ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନଙ୍କ ଜରିଆରେ ଏକ ୮ ଦଫା ଦାବୀ ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଛି । ସରପଞ୍ଚମାନଙ୍କ ବିରୁଦ୍ଧରେ ଆଗତ କରାଯାଉଥିବା ଅନାସ୍ଥା ପ୍ରସ୍ତାବକୁ ଉଚ୍ଛେଦ କରିବା, ପଞ୍ଚାୟତର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟର ସଫଳ ରୂପାୟନ ପାଇଁ ସରପଞ୍ଚ ମାନଙ୍କୁ ଆର୍ଥିକ କ୍ଷମତା ପ୍ରଦାନ କରିବା, ନୂତନ ଭତ୍ତା ଓ ରାସନ କାର୍ଡ ହିତାଧିକାରୀ ଚୟନ କ୍ଷମତା ସରପଞ୍ଚଙ୍କୁ ଦେବା, ଗ୍ରାମ୍ୟ ପାନୀୟଜଳ ଯୋଗାଣ କ୍ଷେତ୍ରରେ ପଞ୍ଚାୟତ ଗୁଡିକର ସିଏଫ୍‌ସି ଓ ଏସ୍‌ଏଫ୍‌ସି ପାଣ୍ଠିର ଅର୍ଥକୁ ବିନିଯୋଗ ନ କରି ଅନ୍ୟ ସୂତ୍ରରୁ ଅର୍ଥ ଭରଣା କରିବା, ମନରେଗା ଯୋଜନାରେ କେବଳ ମାଟିକାମ ନ କରି ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟକୁ ଅନୁମତି ଦେବା, ସରପଞ୍ଚଙ୍କୁ ମାସିକ ୩୦ ହଜାର ଓ ୱାର୍ଡସଭ୍ୟଙ୍କୁ ମାସିକ ୫ ହଜାର ଟଙ୍କା ପାରିତୋଷିକ ଦେବା, ସରପଞ୍ଚମାନଙ୍କୁ ସ୍ୱାସ୍ଥ୍ୟବୀମା ଯୋଜନାରେ ସାମିଲ କରାଯାଇ ବିଜୁ ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯିବା ସହିତ କାର୍ଯ୍ୟକାଳ ସମୟରେ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବା ପ୍ରଭୃତି ଦାବୀ ସମ୍ବଳିତ ଦାବୀପତ୍ର ସଚବିଙ୍କୁ ପ୍ରଦାନ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ ବେଳେ ସରପଞ୍ଚ ସଙ୍ଘର ସଭାପତି ସଞ୍ଜୟ ଗଡତ୍ୟା, ସରୋଜ ବେହେରା, ହିମାଞ୍ଚଳ ମେହେର, ଶୋଭାଗିନୀ ରାଉତ, ରମାକାନ୍ତ ବିଶ୍ୱାଳ, ପ୍ରଶାନ୍ତ ତ୍ରିପାଠୀ, ବିଜୁଳି ପଧାନ, ସୁଦୀପ ସା, ଲକ୍ଷ୍ମୀ ପଧାନ, ନବକିଶୋର ନାଏକ, କୌସ୍ତୁଭ ସାହୁ, କିରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

9 − seven =