ସ୍ୱାଧୀନତା ଦିବସ ପାଳନ ନିମନ୍ତେ ବଣାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ବଣାଇଁଗଡ, (ନାରାୟଣ ଚନ୍ଦ୍ର ବେହେରା) : ୭୭ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ବଣାଇଁ ପାଳନ କମିଟିର ସମସ୍ତ ସଦସ୍ୟ ସଦସ୍ୟାମାନଙ୍କ ଉପସ୍ଥିତିରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ଉପସ୍ଥିତ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇ ଆଗାମୀ ସ୍ୱାଧୀନତା ଦିବସକୁ କିପରି ଭାବରେ ଶାନ୍ତି ଶୃଙ୍ଖଳାର ସହିତ ମହାସମାରୋହରେ ପାଳନ କରାଯିବ ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହାପରେ ଦିବସ ପାଳନର କାର୍ଯ୍ୟକ୍ରମ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରି ସମ୍ପୃକ୍ତ ଅଧିକାରୀମାନଙ୍କୁ ଦାୟିତ୍ଵ ଅର୍ପଣ କରିଥିଲେ । ପ୍ରସ୍ତାବିତ କାର୍ଯ୍ୟକ୍ରମ ଅନୁସାରେ ଆସନ୍ତା ତା ୮/୮/୨୪ ରିଖ ମଙ୍ଗଳବାର ଦିନ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ପୂର୍ବାହ୍ନ ୧୦ ଘଟିକା ସମୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଓଡ଼ିଆ ପ୍ରବନ୍ଧ, ଓଡ଼ିଆ ବକୃକ୍ତା, ଇଂରାଜୀ ବକୃକ୍ତା, ଚିତ୍ରାଙ୍କନ, ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ମାନ ଅନୁଷ୍ଠିତ ହେବ । ସେହିପରି ଭାବେ ନବମ ଦଶମ ଶ୍ରେଣୀ ଓ ମହାବିଦ୍ୟାଳୟ ସ୍ତରରେ ଓଡ଼ିଆ ପ୍ରବନ୍ଧ ଓଡ଼ିଆ ବକୃକ୍ତା, ଇଂରାଜୀ ବକୃକ୍ତା, ଚିତ୍ରାଙ୍କନ ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ । କାର୍ଯ୍ୟସୂଚୀ ଅନୁଯାୟୀ ବିଶଦ ଆଲୋଚନା ପରେ ସ୍ଥିରୀକୃତ କାର୍ଯ୍ୟକ୍ରମ ଅନୁସାରେ ସ୍ୱାଧୀନତା ଦିବସର ପ୍ରତ୍ୟୁଷ ୪.୩୦ ମିନିଟ ସମୟରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହରରେ ରାମଧୂନ ପରିବେଷଣ କରାଯିବ । ୬.୩୦ ମିନିଟ ସୁଦ୍ଧା ଦେଓଗାଁ, ଲଲେଇ ଛକ ସମେତ ସହରର ବିଭିନ୍ନ ସ୍ଥାନରେ ଥିବା ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହିତ ୭.୩୦ ମିନିଟ ମଧ୍ୟରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବାଣିଜ୍ୟ ପ୍ରତିଷ୍ଠାନଗୁଡ଼ିକରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ସନ୍ଧ୍ୟା ପୂର୍ବରୁ ଅବତରଣ କରିବା ପାଇଁ ସ୍ଥିର କରାଯାଇଛି । ସେହିପରି ଭାବେ ସକାଳ ୯ଘଟିକା ସମୟରେ ରାଜା ଧରଣୀଧର ବହୁମୁଖି ଖେଳ ପଡିଆଠାରେ ଉପଜିଲ୍ଲାପାଳଙ୍କ ଦ୍ଵାରା ଉପଖଣ୍ଡସ୍ତରୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିବେ । ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀମାନଙ୍କୁ ନେଇ ହୋଇଥିବା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ଟ୍ରଫି ଓ ମାନପତ୍ର ପ୍ରଦାନ କରାଯିବା ସହ ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ଉପଖଣ୍ଡ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିକ୍ଷାର୍ଥୀଙ୍କୁ ମଧ୍ୟ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି । ଶେଷରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାକୁ ସ୍ଥିର ହୋଇଛି । ବହୁମୁଖି ଖେଳ ପଡିଆ କାର୍ଯ୍ୟକ୍ରମ ପରେ ଉପଜିଲ୍ଲାପାଳଙ୍କ ସହିତ ବଣାଇଁର ବିଭିନ୍ନ ପ୍ରଶାସନିକ ଅଧିକାରୀ ବଣାଇଁ ଉପଖଣ୍ଡ ଚିକିତ୍ସାଳୟ ଓ କାରାଗାରକୁ ଯାଇ ଅନ୍ତେବାସୀଙ୍କ ପାଇଁ ବିଭିନ୍ନ ପ୍ରକାରର ଫଳ ମୂଳ ବଣ୍ଟନ କରିବାକୁ ସ୍ଥିରୀକୃତ କରାଯାଇଛି । ଆଜିକାର ଅନୁଷ୍ଠିତ ଏହି ବୈଠକରେ ଉପଖଣ୍ଡ ପୋଲିସ ଅଧିକାରୀ ସ୍ୱରାଜ ଦେବତା, ବଣାଇଁ ତହସିଲଦାର ହାବିଲ ଖାଖା, ବଣାଇଁ ଥାନା ଅଧିକାରୀ ରଞ୍ଜନ କୁମାର ନାୟକ, ବିଭିନ୍ନ ବିଭାଗୀୟ ଅଧିକାରୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଅଧ୍ୟାପକ ଓ ବଣାଇଁର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ରହିଥିଲେ । ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୁଷ୍ପାଞ୍ଜଳି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.