ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ସ୍ଥିତ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାସ୍ତାରେ ଷ୍ଟ୍ରିଟ ଲାଇଟ ଲଗାଇବାକୁ ଦୃଢ ଦାବୀ ହୋଇଛି । ଏନେଇ ଏକ ଦାବୀପତ୍ର ଖପ୍ରାଖୋଲ ବିଡିଓ ବିଜୟ କୁମାର ହୋତାଙ୍କୁ ବିଦ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଛି । ୧୯୯୨ରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟରେ ବର୍ତମାନ ୫୦୦ ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ମାତ୍ର ଏହି ବିଦ୍ୟାଳୟର ଆଶାନୂରୂପ ଉନ୍ନତି ହୋଇନଥିବା ଦେଖିବାକୁ ମିଳିଛି । ଖପ୍ରାଖୋଲ ଗ୍ରାମ ମୁଖ୍ୟ ରାସ୍ତାରୁ କଲେଜକୁ ଯାଇଥିବ ରାସ୍ତା ସଦା ସର୍ବଦା ଅନ୍ଧାର ରହୁଛି । ରାସ୍ତା ଅନ୍ଧାର ରହୁଥିବାରୁ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହିତ ବିଦ୍ୟାଳୟର କର୍ମଚାରୀ ତଥା ଗ୍ରାମବାସୀ ଯିବା ଆସିବା କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନ୍ଧାରର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତି ଏହି ରାସ୍ତାରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଆଡ୍ଡା ଜମାଉଛନ୍ତି । ଫଳରେ ଏହି ରାସ୍ତା ଦେଇ ଯିବା ଆସିବା କରିବାକୁ ଜନସାଧାରଣ ଭୟ ପ୍ରକାଶ କରୁଛନ୍ତି । ମୁଖ୍ୟରାସ୍ତାରୁ କଲେଜକୁ ଯାଇଥିବା ରାସ୍ତାର ଉଭୟ ପାର୍ଶ୍ୱରେ ଷ୍ଟ୍ରିଟ ଲାଇଟ ଲଗାଇବାକୁ ଦାବୀ ହୋଇଛି । ବିଦ୍ୟାଳୟର ଅଧ୍ୟକ୍ଷ ବଳଭଦ୍ର ଦାଶ ମଙ୍ଗଳବାର ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କୁ ସାକ୍ଷାତ କରି ଏ ନେଇ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟକୁ ହ୍ୱାଇଟ ୱାସିଂ କାର୍ଯ୍ୟ ସହିତ ଏହାର ମରାମତି କରିବାକୁ ଆବଶ୍ୟକ ଅର୍ଥ ମଞ୍ଜୁର କରିବାକୁ ଅଧ୍ୟକ୍ଷ ବିଡିଓଙ୍କ ନିକଟରେ ଦାବୀ କରିଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ ଡିଇଓ ନନ୍ଦକିଶୋର ବାଗ ଉପସ୍ଥିତ ଥିଲେ ।
Prev Post