ବିକାଶ ଅନୁଷ୍ଠାନର ଆନୁକୂଲ୍ୟରେ ସଡକ ସୁରକ୍ଷା ସଚେତନତା ଅଭିଯାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ବିକାଶ ଅନୁଷ୍ଠାନ” ଆନୁକୂଲ୍ୟରେ ବୁଧବାର ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ସଡକ ସୁରକ୍ଷା ଆଧାରିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ ସଡ଼କ ଓ ପରିବହନ ରାଜପଥ ମନ୍ତ୍ରଣାଳୟ ସହାୟତାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତତ୍ତ୍ବାବଧାନରେ ସ୍କୁଲ ଓ କଲେଜସ୍ତରୀୟ ଚିତ୍ରାଙ୍କନ, ପ୍ରବନ୍ଧ ଓ ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ରୂପେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଓ ସହକାରୀ ଆଞ୍ଚଳିକ ଅଧିକାରୀ ସନ୍ତୋଷ କୁମାର ସାହୁ, ପ୍ରତିଭା ଆବାସିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମୟ ଦାସ ଓ ଜାତୀୟ ରାଜପଥ ଅଧିକାରୀ ଶିବା ପ୍ରସାଦ ସାହୁ, ଜଣାଣ ମହାନ୍ତି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସଡକ ସୁରକ୍ଷା, ଜୀବନ ରକ୍ଷା ଉପରେ ସଚେତନତା କରାଯାଇ ସର୍ବୋପରି ସବୁ ବର୍ଗର ଗାଡିଚାଳକମାନେ କିପରି ସତର୍କତ୍ତା ଅବଲମ୍ବନ କରିବେ ସେ ଦିଗରେ ସଚେତନ ହେବାକୁ ଆହ୍ଵାନ ଦିଆଯାଇଥିଲା । ସଡକ ସୁରକ୍ଷା ସମ୍ପର୍କିତ ବିଭିନ୍ନ ନିୟମ କାନୁନ ମାନି ଚଳିବା ନିମନ୍ତେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁର ସହରରେ ଅବସ୍ଥାପିତ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, କାରମେଲ୍ କନଭେଣ୍ଟ ସ୍କୁଲ, ପ୍ରତିଭା ଆବାସିକ ମହାବିଦ୍ୟାଳୟ, ହୁମ୍ମା ଉଚ୍ଚ ବିଦ୍ୟାଳୟ, ସାବୁଳିଆ ଉଚ୍ଚବିଦ୍ୟାଳୟ, ରମ୍ଭା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରମୁଖ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ଶେଷରେ ବିକାଶ ଅନୁଷ୍ଠାନର ସମ୍ପାଦକ ଗୋକୁଳା ଚନ୍ଦ୍ର ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅରୁଣ କୁମାର ଶତପଥି, ଭେଙ୍କଟ ରାଉଳ, ନିରାକାର ବିଶୋଇ, ରାଜେନ୍ଦ୍ର ସାହୁ, ସନ୍ତୋଷ ସ୍ୱାଇଁ ପ୍ରମୁଖ ବିକାଶର କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା କରିଥିଲେ ।

Leave A Reply

Your email address will not be published.