ଖବରକାଗଜ ଚିନ୍ତା ଚେତନାକୁ ଜାଗ୍ରତ କରେ

  • ବଲାଙ୍ଗିରରେ ଧରିତ୍ରୀର ୫୦ ବର୍ଷ ପାଳନ ଅବସରରେ ଆଲୋଚନାଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲ ଶତବାର୍ଷିକୀ କକ୍ଷରେ ଶନିବାର ସନ୍ଧ୍ୟାରେ ଦୈନିକ ଧରିତ୍ରୀର ୫୦ ବର୍ଷ ପଦାର୍ପଣ ଅବସରରେ ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ମୁଖ୍ୟବକ୍ତା ଭାବେ ସମ୍ବଲପୁର ଆଇଆଇଏମ୍‌ର ପ୍ରଫେସର ଡ ସୁଜିତ କୁମାର ପୃଷେଠ୍‌ ଯୋଗଦାନ କରିଥିଲେ । ସଭାରେ ଧରିତ୍ରୀ ତଥା ଓରିସା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ମଞ୍ଚାସୀନ ଥିଲେ ।

ମୁଖ୍ୟବକ୍ତା ଡ. ପୃଷେଠ୍‌ କହିଥିଲେ ଛାପା ଗଣମାଧ୍ୟମର ଆଜି ବି ଆବଶ୍ୟକତା ରହିଛି । କାରଣ ଖବରକାଗଜ ପଢ଼ିବା ଦ୍ୱାରା ଆମର ଚିନ୍ତା ଓ ଚେତନା ଜାଗ୍ରତ କରିଥାଏ । ଯାହା ଇଣ୍ଟରନେଟ୍‌ରେ ସମ୍ଭବ ହୋଇନଥାଏ । ଆଜି ସାମାଜିକ ବିଧିବ୍ୟବସ୍ଥା ଏପରି ହୋଇଗଲାଣି ଯେ, ଗରିବ ଅଧିକ ଗରିବ ହେଉଥିବା ବେଳେ ଧନୀ ଅଧିକରୁ ଅଧିକ ଧନୀ ହୋଇଚାଲିଛି । ଏବେ କୁବେର ଧନୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଫଳରେ ଆର୍ଥିକ ବୈଷମ୍ୟତା ରହୁନାହିଁ ଏବଂ ଏହା ସୁସ୍ଥ ଗଣତନ୍ତ୍ରର ଲକ୍ଷଣ ନୁହେଁ ବୋଲି ପ୍ରଫେସର ପୃଷେଠ୍‌ କହିଥିଲେ । ଗଣମାଧ୍ୟମ ନିର୍ଭିକ ଏବଂ ନିରପେକ୍ଷ ରହିଲେ ସମାଜରେ ପରିବର୍ତ୍ତନ ଆସିପାରିବ ଏବଂ ଧରିତ୍ରୀ ହିଁ ଏହାର ବଳିଷ୍ଠ ଉଦାହରଣ ବୋଲି ସେ କହିଥିଲେ । ମୁଖ୍ୟଅତିଥି ବିଧାୟକ ନରସିଂହ ମିଶ୍ର ତାଙ୍କ ବକ୍ତବ୍ୟରେ ବର୍ତ୍ତମାନ ଗଣତନ୍ତ୍ର ବିପଥଗାମୀ ହୋଇଛି ବୋଲି କହିଥିଲେ । ବିଶେଷ କରି ବ୍ୟବସ୍ଥାପିକା ସଭାରେ କ’ଣ ଏବଂ କେଉଁ ଆଇନ ଅଣାଯାଉଛି ତାହା ବ୍ୟବସ୍ଥାପକ ଏବଂ ମନ୍ତ୍ରୀମାନେ ଜାଣିପାରୁନାହାନ୍ତି । ସଚିବ ମାନେ ଯାହା ଲେଖୁଛନ୍ତି ତାହାକୁ ମନ୍ତ୍ରୀମାନେ ପଢ଼ୁଛନ୍ତି । ଏପରିକି କେତେକ ଗଣମାଧ୍ୟମ ଅସତ୍ୟ ତଥ୍ୟ ଉପସ୍ଥାପନ କରି ଜନମାନସକୁ ବିଭ୍ରାନ୍ତ କରୁଛନ୍ତି । ଯାହା ସାମ୍ବିଧାନିକ ବିଧିବ୍ୟବସ୍ଥା ଓ ଗଣତନ୍ତ୍ର ପ୍ରତି ବଡ ଆହ୍ୱାନ ସୃଷ୍ଟି କରୁଛି ବୋଲି କହିଥିଲେ । ସମ୍ପାଦକ ଶ୍ରୀ ସତପଥୀ ଆଲୋଚନାଚକ୍ରରେ ନିଜ ବକ୍ତବ୍ୟରେ କୌଣସି ବୟସ ନୁହେଁ ବ୍ୟକ୍ତିର ଚିନ୍ତାଧାରା ହିଁ ପରିବର୍ତ୍ତନ ଆଣିପାରିବ । ବିଶେଷକରି ଯୁବଗୋଷ୍ଠୀ ସାମାଜିକ ଦାୟିତ୍ୱବୋଧକୁ ଗ୍ରହଣ କରି ଗଣତନ୍ତ୍ରକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ପ୍ରାରମ୍ଭିକ ବକ୍ତବ୍ୟ ରଖି ଧରିତ୍ରୀ ଓ ଓରିଶା ପୋଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ କହିଥିଲେ ଧରିତ୍ରୀ ସବୁବେଳେ ନିରପେକ୍ଷ ଓ ସତ୍ୟତା ଅବଲମ୍ବନ କରି ଆଜି ୫୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛି । ପାଠକଙ୍କ ବିଶ୍ୱାସ ଓ ଭଲ ପାଇବା ଆମର ମୁଖ୍ୟ ପୁଞ୍ଜି ବୋଲି କହିଥିଲେ । ଏହି ଅବସରରେ ବଲାଙ୍ଗୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆୟୋଜିତ ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି ଶୀର୍ଷକ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ଖବରଦାତା ବୀରେନ୍ଦ୍ର କୁମାର ଝାଙ୍କର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମକୁ ଉପବାର୍ତ୍ତା ସମ୍ପାଦକ ଲାଲ ସୁନୀଲ କୁମାର ରଥ ପରିଚାଳନା କରିଥିଲେ । ଶେଷରେ ବରିଷ୍ଠ ସହସମ୍ପାଦକ ମାନସ ରଞ୍ଜନ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଧରିତ୍ରୀ ଓ ଓରିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀଙ୍କୁ ବଲାଙ୍ଗିରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.