ବିଭିନ୍ନ ଅପରାଧରେ ଜଡିତ ଥାଇ ବର୍ଷ ବର୍ଷ ଧରି ଫେରାର ଥିବା ଦୁଇ ଜଣ ଅଭିଯୁକ୍ତକୁ ଗିରଫ କଲା ଖପ୍ରାଖୋଲ ପୋଲିସ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ସାନଉଡେନ ଗାଁର ଜଣେ ଯୁବତୀଙ୍କୁ ଅସଦାଚରଣ କରି ତିନି ବର୍ଷ ହେଲା ଫେରାର ଥିବା ଅଭିଯୁକ୍ତକୁ ଖପ୍ରାଖୋଲ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣକ ହେଲେ ସାନଉଡ଼େନ ଗାଁର କପିଳ ଦୀପ (୩୦) ବୋଲି ପୋଲିସ ସୂଚନା ଦେଇଛି । ସୂଚନା ଅନୁସାରେ ଅଭିଯୁକ୍ତ ଜଣକ ଗାଁର ଜନୈକ ଯୁବତୀଙ୍କୁ ପ୍ରେମ କରିବା ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ । ହେଲେ ବିବାହ କରିବାକୁ ମନା କରିବାରୁ ପୀଡ଼ିତା ଯୁବତୀ ଅସଦାଚରଣ କରିଥିବା ଅଭିଯୋଗ ନେଇ ଖପ୍ରାଖୋଲ ଥାନାରେ ଗତ ୨୦୨୦ ଅକ୍ଟୋବର ମାସରେ ଅଭିଯୋଗ କରିଥିଲେ । ଥାନାରେ ମାମଲା ପରେ ପରେ ଯୁବକ ଜଣକ ଫେରାର ଥିଲେ । ଯୁବକ ଜଣକ ପୁଇନ୍ତଲା ଥାନାର ରାକସୀମୁଣ୍ଡା ଗାଁରେ ରହୁଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଖପ୍ରାଖୋଲ ପୋଲିସ ଶନିବାର ରାତିରେ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେହିପରି ଖପ୍ରାଖୋଲ ଥାନା କେସ ନଂ ୬୮/୨୦୨୩ରେ କଫ ସିରପ୍‌ ଚୋରା ଚାଲାଣ ମାମଲାରେ ୨ ବର୍ଷ ହେଲା ଫେରାର ଥିବା ଅଭିଯୁକ୍ତ ରିଙ୍କୁ ଦାସଙ୍କୁ ମଧ୍ୟ ଖପ୍ରାଖୋଲ ପୋଲିସ ଗିରଫ କରିଥିବା ବେଳେ ରବିବାର ପଚରା ଉଚରା ପରେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.