ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱହିନ୍ଦୁ ପରିଷଦ ପଦାଧିକାରୀ ଶାନ୍ତନୁ କୁସୁମ ବିଶ୍ୱହିନ୍ଦୁ ପରିଷଦ ସାମାଜିକ ସମରସତା ବିଭାଗର ପଶ୍ଚିମ ଓଡିଶା ମୁଖ୍ୟ ଭାବରେ ମନୋନୀତ ହୋଇଛନ୍ତି । ଆଜି ସମ୍ବଲପୁର ମାରୱାଡି ପଞ୍ଚାୟତ ଧର୍ମଶାଳାରେ ଅନୁଷ୍ଠିତ ପ୍ରାନ୍ତୀୟ ପ୍ରବନ୍ଧ ସମିତି ବୈଠକରେ ଭିଏଚ୍ପିର ଜାତୀୟ ଯୁଗ୍ମ ସମ୍ପାଦକ ସପନ ମୁଖାର୍ଜୀଙ୍କ ଉପସ୍ଥିତିରେ ସର୍ବସମ୍ମତିକ୍ରମେ ଶ୍ରୀ କୁସୁମଙ୍କୁ ପଶ୍ଚିମ ଓଡିଶା ସାମାଜିକ ସମରସତା ବିଭାଗ ମୁଖ୍ୟ ଭାବରେ ମନୋନୀତ କରାଯାଇଛି । ଶ୍ରୀ କୁସୁମଙ୍କ ଉପରେ ଏଭଳି ଗୁରୁଦାୟିତ୍ୱ ଅର୍ପଣ ପରେ ତାଙ୍କ ସମର୍ଥକ ମହଲରେ ଆଶାତୀତ ଭାବରେ ଉତ୍ସାହ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଥିବା ବେଳେ ପଶ୍ଚିମ ଓଡିଶାର କୋଣ ଅନୁକୋଣରେ ପରିଷଦର ସଂଗଠନ ଆହୁରି ବ୍ୟାପକ ଓ ସଶକ୍ତ ହେବା ନେଇ ଆଶା ଉଦ୍ରେକ ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ, ହିନ୍ଦୁ ସମାଜ ଓ ସଂସ୍କୃତିର ସୁରକ୍ଷା ପାଇଁ ନିଜ ଜୀବନକୁ ଉସଃର୍ଗିକୃତ କରିଥିବା ଶ୍ରୀ କୁସୁମ ଆଧ୍ୟାତ୍ମିକ ଜାଗରଣ ପାଇଁ କାର୍ଯ୍ୟ କରି ତଥା ନିଜ ଲେଖନୀ ମାଧ୍ୟମରେ ସୋସିଆଲ ମିଡ଼ିଆରେ ସଚେତନତା ପାଇଁ ଅଣ୍ଟା ଭିଡି ସୁନ୍ଦରଗଡ଼ ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ମୁଖ୍ୟତଃ ମାନବାଧିକାର ତଥା ଗରିବ, ଅସହାୟ ଲୋକଙ୍କ ଅଧିକାର ପାଇଁ ତାଙ୍କ ନିର୍ଭୀକ ସ୍ୱର ଉତ୍ତୋଳନ ତାଙ୍କୁ ସମାଜରେ ବେଶ ଆଦୃତ କରିଛି । ଜଣେ ଶାନ୍ତ, ସରଳ, ଶୃଙ୍ଖଳିତ ତଥା ସ୍ପଷ୍ଟବାଦୀ ବ୍ୟକ୍ତି ଭାବରେ ବେଶ ଜଣାଶୁଣା ଥିବା ଶ୍ରୀ କୁସୁମ ଜିଲ୍ଲାର ଶତାଧିକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ପ୍ରତ୍ୟକ୍ଷ ଭାବରେ ଜଡିତ ଥିବା ଯୋଗୁଁ ତାଙ୍କ ନେତୃତ୍ୱରେ ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟ ଦୃତଗତିରେ ଗତିଶୀଳ ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।