ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା. ଗୋବିନ୍ଦ ସାହୁଙ୍କ ପରଲୋକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ର ଶିଶୁରୋଗ ବିଶେଷଜ୍ଞ ଭାବେ ସ୍ୱରସ୍ଥ୍ୟ ବିଭାଗ ଅଧୀନରେ କାର୍ୟ୍ୟାରମ୍ଭ କରି ଜିଲ୍ଲାବାସୀଙ୍କୁ ଦୀର୍ଘ ବର୍ଷ ଧରି ସେବା ଦେଇ ଆସିଥିବା ପେଡିଏଟ୍ରିସିଏନ ଡାକ୍ତର ଗୋବିନ୍ଦ ସାହୁଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହେଉଥିଲା। ଦୀର୍ଘଦିନ ଧରି ଅସୁସ୍ଥ ଥିବା ବେଳେ ଆଜି ତାଙ୍କର ଭଟଲି ରୋଡ଼ ସ୍ଥିତ ବାସଭବନରେ ପରଲୋକ ହୋଇ ଯାଇଥିଲା । ଏନେଇ ଖବର ପାଇ ବରଗଡ଼ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରି ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ଖବର ପାଇ ବରଗଡ଼ର ଆଇଏମଏ ସଭ୍ୟ ଡ଼ା. ପି.ଏଲ.ତ୍ରିପାଠୀ, ଡ଼ା ଉମେଶ ତ୍ରିପାଠୀ, ଡ଼ା ସରୋଜ କୁମାର ଯୋଷୀ, ଡ଼ା ଆର. ଏନ.ଦାଶ, ଡା ଏସ. ଏଲ.ଶର୍ମା, ଡା ପି. କେ.ଦାଶଙ୍କ ସମେତ ବହୁ ଡ଼ାକ୍ତରମାନେ ତାଙ୍କର ବାସଭବନରେ ପହଞ୍ଚି ସ୍ୱର୍ଗତ ସାହୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପରେ ଜୀରାନଦୀ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଥିବା ବେଳେ ବଡ଼ପୁଅ ବିଜୟ ମୁଖାଗ୍ନି ଦେଇଥିଲେ । ପ୍ରକାଶ ଥାଉ କି, ବରଗଡ଼ର ପ୍ରଥମ ଶିଶୁରୋଗ ବିଶେଷଜ୍ଞ ଭାବେ କାର୍ୟ୍ୟାରମ୍ଭ କରିଥିବା ଡ଼.ସାହୁ ତାଙ୍କର ଉତ୍ତମ ସେବା ପାଇଁ ଇଣ୍ଡିଏନ ଏକାଡ଼େମୀ ଅଫ ପେଡ଼ିଏଟ୍ରିକ୍ସ ତରଫରୁ ୨୦୦୫ରେ ସମ୍ବର୍ଦ୍ଧିତ ହୋଇ ‘ଶିଶୁ ଶଖା’ ସମ୍ମାନରେ ସମ୍ମାନୀତ ହୋଇଥିଲେ । ୨୦୦୬ରେ ସିଡ଼ିଏମଓ ଭାବେ ସରକାରୀ ସେବାରୁ ଅବସରଗ୍ରହଣ କରିଥିଲେ । ଘରୋଇ ଚିକିତ୍ସାରେ କିଛିଦିନ ବ୍ୟସ୍ତ ରହିବା ପରେ ସ୍ଵାସ୍ଥ୍ୟଗତ କାରଣରୁ ରୋଗୀ ଦେଖାରୁ ଅବ୍ୟାହତି ନେଇଥିଲେ । ସ୍ଵର୍ଗତ ଡ଼ାକ୍ତର ସାହୁ ତାଙ୍କ ପଛରେ ସ୍ତ୍ରୀଙ୍କ ସମେତ ଦୁଇ ପୁଅ ବିଜୟ ଓ ସୁନୀଲ, ଦୁଇ ଝିଅ ପିଙ୍କି ଓ ରୋଜି, ଦୁଇ ଜ୍ଵାଇଁ ସୁଶାନ୍ତ ଓ ଦୀପେଶଙ୍କ ସମେତ ବୋହୂ, ନାତି ନାତୁଣୀମାନଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ତାଙ୍କ ବିୟୋଗରେ ବରଗଡ଼ରେ ଶୋକ ଛାୟା ଖେଳିଯାଇଛି ।

Leave A Reply

Your email address will not be published.