ଅବ୍ୟବସ୍ଥାରେ ହୁମା ହାଟ : ହାଟ ମଧ୍ୟକୁ ଯିବା ପାଇଁ ନାହଁ ବାଟ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତରେ ରହିଥିବା ଏସିଆ ମହାଦେଶର ପ୍ରସିଦ୍ଧ ହୁମା ସୁକୁଆ ହାଟ ମଧ୍ୟରେ ରାସ୍ତାର ଅବସ୍ଥା ଟିକିଏ ବର୍ଷାରେ ଅତି ଶୋଚନୀୟ ହୋଇପଡିଛି । ଯାହାକୁ ନେଇ ହାଟକୁ ଆସୁଥିବା ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ପ୍ରକାଶ ଯୋଗ୍ୟ ଯେ, ଏହି ହାଟକୁ ଆଧୁନିକିକରଣ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଅନ୍ୟପଟେ ଏହି ହାଟରୁ ଲକ୍ଷାଧିକ ଟଙ୍କାର ରାଜସ୍ୱ ଆଦାୟ ହେଉଥିଲେ ମଧ୍ୟ ସାଧାରଣ ଭାବରେ ହାଟ ଭିତର ରାସ୍ତା ପ୍ରତି କାହାରି ଦୃଷ୍ଟି ନାହିଁ । ଯାହା ଫଳରେ ବ୍ୟବସାୟୀ ଓ ଗ୍ରାହକମାନେ କାଦୁଅ ପଚପଚ ରାସ୍ତାରେ ଯିବା ଆସିବା କରିବା ପାଇଁ ବାଧ୍ୟ ହେଉଛନ୍ତି । ହାଟରୁ ଲକ୍ଷାଧିକ ଟଙ୍କାର ରାଜସ୍ୱ ଆଦାୟ ହେଉଥିବା ବେଳେ ଏଠାରେ ରାସ୍ତା କାମ କ’ଣ ପାଇଁ ହେଉନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିପ୍ରତି ଜିଲ୍ଲା ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବୀ ମହଲ୍ଲରୁ ଦାବୀ ହୋଇଛି । ଏହି ପ୍ରସିଦ୍ଧ ସୁକୁଆ ହାଟ ରବିବାର ହୋଇଥିଲେ ମଧ୍ୟ ଶନିବାରଠାରୁ କିଣା ବିକା ହୋଇଥାଏ । ସୁକୁଆ ସାଙ୍ଗକୁ ପନିପରିବା ଏବଂ ବିବାହ କାର୍ଯ୍ୟ ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏଠାରେ ମିଳିଥାଏ । ହଜାର ହଜାର ବ୍ୟବସାୟୀ ଓ ଆଖପାଖ ଆଞ୍ଚଳର ଲୋକେ ଏହା ଉପରେ ନିର୍ଭର କରିବା ସହ ରାଜ୍ୟ ବାହାରୁ ଆସୁଥିବା ବ୍ୟବସାୟୀ ନିର୍ଭର କରନ୍ତି । ହାଟ ଭିତରକୁ ଯିବା ପାଇଁ ରାସ୍ତା ଉପରେ ଆଣ୍ଠୁଏ ପାଣି କାଦୁଅରେ ଯିବାକୁ ପଡୁଛି । ରବିବାର ବ୍ୟବସାୟ ବଜାର ବନ୍ଦ ହେବା ପରେ ହାଟକୁ ସଫା କରୁନଥିବାରୁ ବର୍ଷାପାଣି ପଡିଲେ ଅଳିଆ ଆବର୍ଜନା ପଚିସଢ଼ି ଦୁର୍ଗନ୍ଧ ଯୋଗୁଁ କିଣାବିକାରେ ଅସୁବିଧା ସୃଷ୍ଟି ହେଉଛି । ଯିବା ଆସିବା ପାଇଁ ହାଟକୁ ରାସ୍ତା ନଥିବାରୁ ଜାତୀୟ ରାଜପଥ କଡ଼ରେ ଯାନବାହାନ ରଖି ହାଟ ମଧ୍ୟକୁ ପ୍ରବେଶ କରିବାକୁ ପଡିଥାଏ । ସେଥିପାଇଁ ଦୁର୍ଘଟଣାର ସମ୍ଭାବନା ମଧ୍ୟ ଥାଏ ତେଣୁ ହାଟ ମଧ୍ୟରେ ରାସ୍ତା ନିର୍ମାଣ ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.