ସାମ୍ବାଦିକଙ୍କୁ ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଦାବୀ ରଖିଲା ଜର୍ନାଲିଷ୍ଟ ଏସୋସିଏସନ୍‌ ଅଫ୍‌ ବରଗଡ

ବରଗଡ, (ନିରୋଜ କୁମାର ପାଣୀ) : ଗତ ଜୁନ ୨୦ ତାରିଖ ଦିନ ପୁରୀ ବଡ଼ଦାଣ୍ଡରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଟଣା ସମୟରେ କିଛି ନିର୍ଦ୍ଧିଷ୍ଟ ସେବାୟତମାନଙ୍କ ଦ୍ଵାରା ଦୁଇ ଜଣ କାର୍ଯ୍ୟରତ ସାମ୍ବାଦିକ ଚିତ୍ତ ରଞ୍ଜନ ମହାନ୍ତି ଓ ଚନ୍ଦ୍ରଶେଖର ପାତ୍ରଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମାରିବା ଘଟଣାରେ ସଂପୃକ୍ତ ସେବାୟତମାନଙ୍କ ବିରୁଦ୍ଧରେ ଦୃଢ଼ ତଥା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ବରଗଡ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜର୍ନାଲିଷ୍ଟ ଏସୋସିଏସନ୍‌ ଅଫ ବରଗଡ (ଜାବ) ପ୍ରଦାନ କରିଛି । ଜାବର ସଭାପତି ରବି ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପୋଙ୍କୁ ସାକ୍ଷାତ କରି ଏହି ସ୍ମାରକ ପତ୍ର ପ୍ରଦାନ କରିଛି । ଏଥିରେ ପୁରୀରେ ଘଟିଥିବା ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ ତଥା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଓଡ଼ିଶା ରାଜ୍ୟରେ ସାମ୍ବାଦିକମାନଙ୍କ ଉପରେ ବଢୁଥିବା ହିଂସାତ୍ମକ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଯଥା ଶୀଘ୍ର ଓଡିଶା ରାଜ୍ୟ ସରକାର ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନକୁ ବିଧାନସଭାରେ ପାରିତ କରି ଓଡ଼ିଶାରେ ଆଇନ ଭାବରେ ଲାଗୁ କରିବା, ଅନ୍ୟ ରାଜ୍ୟ ଭଳି ଅବସର ପରେ ସାମ୍ବାଦିକମାନଙ୍କୁ ପେନସନର ସୁବିଧା ଦେବା, ସାମ୍ବାଦିକଙ୍କ ବୀମା ରାଶିକୁ ଦୁଇ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ସହ ବହୁ ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କ ସୁବିଧା ସୁଯୋଗ ପାଇଁ ଯେଉଁ ସବୁ ଘୋଷଣା ମାନ କରିଥିଲେ ସେ ସବୁଗୁଡ଼ିକୁ ଆମୂଳଚୁଳ ଲାଗୁ କରିବାକୁ ଦାବୀ ରହିଛି । ଏହି ପ୍ରତିନିଧି ମଣ୍ଡଳୀରେ ସାଧାରଣ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର, ଉପ ସଭାପତି ପ୍ରଭୁ ଚରଣ ମହାନ୍ତି, ଅଫିସ ସମ୍ପାଦକ ବଦ୍ରି ପ୍ରସାଦ ସାହୁ, ରମଣୀ ରଂଜନ ବେହେରା, ଲଲାଟେନ୍ଦୁ ଦାଶ, ହେମନ୍ତ ନାୟକ, ସୁବ୍ରତ ସାହୁ, ସରୋଜ ଷଡ଼ଙ୍ଗୀ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.