csstore

ଗଞ୍ଜାମ ଜିଲ୍ଲାପାଳଙ୍କ ଧରାକୋଟ ବ୍ଲକ୍ ଗସ୍ତ ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଧରାକୋଟ ବ୍ଲକ୍‌ର ସର୍ବାଙ୍ଗୀନ ଉନ୍ନତି କିଭଳି ହେବ ସେହି ଦିଗରେ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ସହ ଆଲୋଚନା କରି ଏହାର ସଫଳ ରୂପାୟନ ଦିଗରେ କାର୍ଯ୍ୟକାରୀ କରିବାକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଶୁକ୍ରବାର ଦିନ ଜିଲ୍ଲାପାଳ ଶ୍ରୀ ପରିଡା ଧରାକୋଟ ବ୍ଲକ୍ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ବ୍ଲକ୍‌ରେ ଏନିମିୟା ରୋଗର ନିରାକରଣ ସକାଶେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ ।

ନିରୀକ୍ଷଣ ଯୋଜନାରେ ବିନା ମୂଲ୍ୟରେ କିଭଳି ଅଲଟ୍ରାସାଉଣ୍ଡ କରାଇବା ସକାଶେ ସଚେତନତା କାର୍ଯ୍ୟକୁ ବ୍ୟାପକ କରିବାକୁ କହିଥିଲେ । ମୋ ଘର’ ଯୋଜନାରେ ଇଛୁକ ବ୍ୟକ୍ତି କିଭଳି ଗୃହ ନିର୍ମାଣ କରିପାରିବେ, ସେହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କୃଷି ଉଦ୍ୟୋଗ ଯୋଜନାରେ କୃଷକଗଣ କିଭଳି କାର୍ଯ୍ୟ କରି ଲାଭବାନ୍ ହୋଇପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ବ୍ଲକ୍‌ର ଅନେକ ଗ୍ରାମ ଅଛି ଯେଉଁଠିକୁ ଯିବା ଆସିବା ସକାଶେ ରାସ୍ତା ନାହିଁ ସେ ଗ୍ରାମକୁ କିଭଳି ରାସ୍ତା ନିର୍ମାଣ ହେବ ସେହି ଦିଗରେ ପଦକ୍ଷେପ ଗ୍ରହଣ କରିବା ସକାଶେ ସଂପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ବିଦ୍ୟୁତ୍ ସଂଯୋଗ ହୋଇ ନଥିବା ଗ୍ରାମଗୁଡିକୁ ବିଦ୍ୟୁତ୍ ସଂଯୋଗ ବ୍ୟବସ୍ଥା ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ଏଲ୍‌ଏସିସିଏମ୍‌ଆଇ ଯୋଜନାରେ ଗ୍ରାମାଞ୍ଚଳକୁ ବସ୍‌ର କାର୍ଯ୍ୟକାରିତା ଓ ନୂତନ ବସ୍ ଷ୍ଟାଣ୍ଡ ନିର୍ମାଣ ସକାଶେ ପଦକ୍ଷେପ ଗ୍ରହଣ କରିବା ନେଇ ସୁବିସ୍ତୃତ ଆଲୋଚନା କରିଥିଲେ । ଧରାକୋଟ ବ୍ଲକ୍‌ର ସାବା ପଞ୍ଚାୟତର ଘୋଡାଆମ୍ବ, ରୁଗୁମୁ ପଞ୍ଚାୟତର କୋଳିଗୁମ୍ମା, ବାହାରପୁର ପଞ୍ଚାୟତର ଖଜୁରୀପଡ଼ା ଗ୍ରାମରେ ଜଳସ୍ତର କମିଯାଉଥିବାରୁ ସେହି ଅଞ୍ଚଳରେ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରି ଜଳ ସମସ୍ୟା ଦୂର କରିବା ସକାଶେ ପଦକ୍ଷେପ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଯେପରି ଗୋଟିଏ ଲେଖାଏଁ ମଡେଲ ଟ୍ୟାଙ୍କ, ଗ୍ରାମ୍ୟପାର୍କ ଏବଂ ଖେଳ ପଡିଆ କିଭଳି ନିର୍ମାଣ ହେବ ସେହି ଦିଗରେ ଆଲୋଚନା କରିଥିଲେ । ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକରେ ବିଦ୍ୟୁତିକରଣ, ଚିକିତ୍ସାଳୟଗୁଡିକରେ ଡାକ୍ତର ଏବଂ ଷ୍ଟାଫ୍ ମୁତୟନ ଇତ୍ୟାଦି ଅନ୍ୟାନ୍ୟ ବିଷୟ ନେଇ ଲୋକ ପ୍ରତିନିଧି ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଧରାକୋଟ ବ୍ଲକ୍ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଉପାଧ୍ୟକ୍ଷ ମନୋଜ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ଟୁକୁନା ଗୌଡ, ପ୍ରତାପ ସ୍ୱାଇଁ, ତହସିଲଦାର କବିରାଜ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିନେଶ ବେହେରା, ଆର୍.ଡବ୍ଲ୍ୟୁ.ଏସ୍.ଏସ୍. ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ସ୍ୱାଇଁ, ବ୍ଲକ୍ ସହକାରୀ ଯନ୍ତ୍ରୀ ଶାରଦା ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.