ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବିକାଶ ପରିଷଦ ବାରବାଟି ଶାଖା ତରଫରୁ ଲିଙ୍କ୍ ଚକ୍ଷୁ ଚିକିତ୍ସାଳୟ ଏବଂ ଗବେଷଣା ପ୍ରତିଷ୍ଠାନ, ଲିଙ୍କ୍ ରୋଡ଼ କଟକର ସଭାଗୃହରେ ରଜ ମହୋତ୍ସବ ପାଳିତ ହୋଇଯାଇଅଛି । ଉକ୍ତ ଚକ୍ଷୁ ଚିକିତ୍ସାଳୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ରୋଟାରିୟାନ ଆଲୋକ କୁମାର ସାହୁ, ଭାରତ ବିକାଶ ପରିଷଦ ବାରବାଟି ଶାଖାର ସଭାପତି ରୂପେ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ଭାରତୀୟ ପ୍ରଶାସନିକ ଅଧିକାରୀ ତଥା କଟକ ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଅନିଲ୍ ସାମଲ, ମୁଖ୍ୟ ଅତିଥି ରୂପେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ । ପରିଷଦର ପ୍ରାନ୍ତୀୟ ସଭାପତି ସତ୍ୟବାଦୀ ଦାସ, ପ୍ରାନ୍ତୀୟ ସଂପାଦକ ପ୍ରଦୀପ୍ତ କୁମାର ମହାରଣା, ବସୁଧୈବ କୁଟୁମ୍ବକମ୍ ମିଶନ ଓଡ଼ିଶାର ସାଧାରଣ ସଂପାଦକ ଶରତ ଚନ୍ଦ୍ର ରଥ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷିକା ଚଞ୍ଚଲ ସାହୁ ଅତିଥି ରୂପେ ଯୋଗ ଦେଇଥିଲେ । ମୌସୁମୀ ସାହୁ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ ଏବଂ ପ୍ରିୟମ୍ବଦା ନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଆଲୋକ କୁମାର ସାହୁ ସ୍ୱାଗତ ଭାଷଣ ଦେବା ଅନୁକ୍ରମେ ଉକ୍ତ ଉତ୍ସବ ପାଳନ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସର୍ବ ପ୍ରଥମେ ସତ୍ୟ ସନାତନ ବୈଦିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଅଭିନୟ ଯୁକ୍ତ ଗୀତା ପାଠ ପରେ ବନ୍ଦେ ମାତରଂ ଧ୍ୱନୀରେ ସଭାଗୃହ ମୁଖରିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ନେତାଜୀ ନଗର ବିଦ୍ୟାଳୟର ଶିକ୍ଷକ ସଂଗ୍ରାମ କେଶରୀ ମିଶ୍ର ଏବଂ ଶିକ୍ଷୟିତ୍ରୀ ରଶ୍ମିତା ପତି ପରିଚାଳନା କରିଥିଲେ । ଏହାପରେ ବାହାନଗା ରେଳ ଦୁର୍ଘଟଣାରେ ଦିବଂଗତ ବ୍ୟକ୍ତିମାନଙ୍କ ପାଇଁ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ସାମଲ କଟକ ସହରର ସାଂପ୍ରତିକ ଉନ୍ନତି କଳ୍ପେ କିଛି ତଥ୍ୟ ଆଗତ ତଥା ପଦକ୍ଷେପ ମାନ ଉପରେ ଅଭିମତ ରଖିବା ସହିତ ରଜ ପାଳନ ନିମିତ୍ତ ଅଭିଭାଷଣ ପ୍ରଦାନ କରିଥିଲେ । ଏହା ପରେ ଗବେଷିକା ଶ୍ରୀମତୀ ସାହୁ ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ରଜ ମହୋତ୍ସବ ଉପରେ ଶାସ୍ତ୍ର ସମ୍ମତ ତୁଳନାତ୍ମକ ବିଚାର ମାନ ଦେଇଥିଲେ । ଏହାପରେ ଅତିଥି ବୃନ୍ଦ ଯଥାକ୍ରମେ ଶ୍ରୀ ଦାସ୍, ଶ୍ରୀ ମହାରଣା ଏବଂ ଶ୍ରୀ ରଥ, ଭାରତ ବିକାଶ ପରିଷଦ ଏବଂ ରଜ ମହୋତ୍ସବ ପାଳନ ଅନୁକ୍ରମେ ନିଜ ନିଜର ଅଭିମତ ପୋଷଣ କରିଥିଲେ । ଦ୍ଵିତୀୟ ଭାଗରେ ଆମନ୍ତ୍ରିତ କବି ଏବଂ କବୟିତ୍ରୀମାନଙ୍କୁ ନେଇ ଲୋପାମୁଦ୍ରା ମୈକାପଙ୍କ ସଂଯୋଜନାରେ ରଜ ଉପରେ ଆଧାରିତ କବିତା ମାନ ପାଠ କରାଯାଇଥିଲା । ଏହାପରେ ବବିତା ଭୂୟାଁଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଯାଇଥିଲା । ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇ ସଭାପତିଙ୍କ ଦ୍ଵାରା ସଭା ସାଙ୍ଗ କରାଯାଇଥିଲା ।