jayashree

ସ୍ତ୍ରୀଙ୍କ ଶବକୁ ପୋଡ଼ି ପ୍ରମାଣ ନଷ୍ଟ ପାଇଁ ଅଲଗା ଅଲଗା ଜାଗାରେ ହାଡ଼ ପାଉଁଶ ଫିଙ୍ଗିଲା ନୃଶଂସ ସ୍ୱାମୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସ୍ତ୍ରୀଙ୍କ ଶବକୁ ପୋଡି ପ୍ରମାଣ ନଷ୍ଟ ପାଇଁ ଅଲଗା ଅଲଗା ଜାଗାରେ ହାଡ଼ ପାଉଁଶ ଫିଙ୍ଗିଛି ଜଣେ ନୃଶଂସ ସ୍ୱାମୀ । ଜନ୍ମ ଜନ୍ମାନ୍ତର ପାଇଁ ଜୀବନ ସାଥୀ ଭାବେ ଗ୍ରହଣ କରି ବିବାହ କରିଥିବା ଜଣେ ସ୍ୱାମୀ ତା ସ୍ତ୍ରୀ ପ୍ରତି ଏଭଳି ଆଚରଣ ପ୍ରଦର୍ଶନ କରିବ, କେହି କେବେ ଚିନ୍ତା କରିପାରିବେନି । ସୂଚନା ଅନୁଯାୟୀ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ପୁତ୍‌ଲାମହୁଲ ଗ୍ରାମର ତେଜରାଜ ସାହୁ କିନ୍ଦରିଟାଲ ଗ୍ରାମର ଭଏଁରୀ ଓରଫ୍‌ ଚୁଳବତୀ ଭୁଏଙ୍କୁ ୮ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ସେମାନଙ୍କ କୋଳରେ ଏବେ ୪ ବର୍ଷର ଏକ କନ୍ୟା ସଂତାନ ରହିଛି । ଗତ ୧୬ ତାରିଖ ଶୁକ୍ରବାର ଦିନ ୨ଟା ବେଳେ ଚୁଳବତୀ ଭୁଏଙ୍କ ମୃତ ଶରୀର ତାଙ୍କ ଶାଶୁ ଏବଂ ଜେଠାଣି ଦେଖିବାକୁ ପାଇଥିଲେ । ସ୍ୱାମୀ ତେଜରାଜ ଘଟଣା ବିଷୟରେ ଜାଣିସାରିବା ପରେ ଚୁଳବତୀ ଭୁଏଙ୍କ ପରିବାର ଲୋକଙ୍କୁ କିମ୍ବା ଖପ୍ରାଖୋଲ ପୋଲିସକୁ କୌଣସି ଖବର ନଦେଇ ରାତି ଅଧରେ ସ୍ତ୍ରୀଙ୍କ ମୃତଦେହକୁ ଅଖାରେ ଭରି ସାଇକେଲରେ ଲଦି ପୁତ୍‌ଲାମହୁଲ ବନ୍ଦେପଦର ମଝିରେ ଥିବା ଗୋଟିଏ ନଦୀ ମୁହାଁଣରେ ଶବ ଉପରେ ପେଟ୍ରୋଲ ଢାଳି, ଟାୟାର ଏବଂ କାଠ ସହାୟତାରେ ଶବକୁ ପୋଡିଦେଲେ । ଏପରିକି ଶବ ପୋଡ଼ି ଯିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ବାକିଥିବା ହାଡ଼ ଗୋଟାଇ ୧୦୦ ମିଟର ଦୂରରେ ପାଣିରେ ଫିଙ୍ଗିଦେଲେ । ସେହିପରି ବାକିତକ ପାଉଁଶ ଏବଂ କୋଇଳାକୁ ବିଭିନ୍ନ ଜାଗାରେ ନେଇ ଫିଙ୍ଗି ଦେଇଥିବା ସୂଚନାରେ କୁହାଯାଇଛି । ଏସବୁ କାମରେ ସ୍ୱାମୀ ତେଜରାଜଙ୍କ ବଡଭାଇ ଟିକେଲାଲ ସାହୁ ଏବଂ ତେଜରାଜଙ୍କ ମଉସା ଲରମ୍ଭା ଥାନା ଅନ୍ତର୍ଗତ ଘୁମେର ଗ୍ରାମର ବୁଧୁ ଓରଫ ଗୁଣନିଧି ସାହୁ ସହଯୋଗ କରି ପ୍ରମାଣ ନଷ୍ଟ କରିଥିବା ଗାଁରେ ଆଲୋଚନା ହେଉଛି । ତେବେ ଏ ବିଷୟରେ ଗ୍ରାମବାସୀ ମୁହଁ ଖୋଲିବାକୁ ରାଜି ନଥିଲେ । ଚୁଳବତୀ ଭୁଏଙ୍କ ପରିବାର ଲୋକେ ଖପ୍ରାଖୋଲ ପୋଲିସରେ ଶନିବାର ଦିନ ଚୁଳବତୀ ଭୁଏ ନିଖୋଜ ଥିବା ଲିଖିତ ଅଭିଯୋଗ କରିବା ପରେ ଖପ୍ରାଖୋଲ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାଟି ଅତି ସମ୍ବେଦନଶୀଳ ହୋଇଥିବାରୁ ପୋଲିସ ସତର୍କତାର ସହିତ ତଦନ୍ତ ଚଳାଇଥିଲା । ଗତ ରବିବାର ଦିନ ପ୍ରଥମେ ଚୁଳବତୀ ଭୁଏଙ୍କୁ ଯେଉଁଠି ପୋଡା ହୋଇଥିଲା, ସେ ଜାଗାକୁ ସନ୍ଧାନୀ କୁକୁରର ସହାୟତାରେ ଚିହ୍ନଟ କରାଯାଇଥିଲା । ବଲାଙ୍ଗିରରୁ ସାଇନ୍‌ଟିଫିକ୍‌ ଦଳ ପହଞ୍ଚି ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିଥିଲେ । ପରେ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଖପ୍ରାଖୋଲ ଥାନାକୁ ଆଣିଥିଲା । ଏନେଇ ଖପ୍ରାଖୋଲ ଥାନା କେସ ନଂ ୯୫/୨୦୨୩ ରେ ୪୯୮ଏ / ୩୦୨/ ୨୦୧/ ୩୪ ଆଇପିସି ଏବଂ ଏସ୍‌ ଏସ୍‌ଟି ପ୍ରୋଟେକ୍ସନ୍‌ ଆକ୍ଟ ଅନୁସାରେ ଏକ ମାମଲା ୠଜୁ କରି ତିନିଜଣ ଅଭିଯୁକ୍ତ ତେଜରାଜ, ଟିକେଲାଲ ଓ ବୁଧୁ ଓରଫ ଗୁଣନିଧି ସାହୁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ପାଟଣାଗଡ଼ ଏସ୍‌ଡ଼ିପିଓ ଜ୍ୟୋତିର୍ମୟ ଭୁକ୍ତା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.