ଦରମା ବିସଙ୍ଗତି ଦୂରୀକରଣ ଓ ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି ଦାବୀରେ ପଂଚାୟତ ନିର୍ବାହୀ ଅଧିକାରୀ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ଦରମା ବିସଙ୍ଗତି ଦୂରୀକରଣ ଓ ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି ଦାବୀରେ ପଂଚାୟତ ନିର୍ବାହୀ ଅଧିକାରୀ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମତପ୍ରକାଶ ପାଇଛି ଯେ, ତୃଣମୂଳସ୍ତରରେ ଗ୍ରାମ ପଂଚାୟତ ବିକାଶର ପ୍ରକୃତ ବିନ୍ଧାଣୀ ହେଉଛନ୍ତି ପଂଚାୟତ ନିର୍ବାହୀ ଅଧିକାରୀମାନେ । ବର୍ଷ ବର୍ଷ ଧରି କିନ୍ତୁ ନିର୍ବାହୀ ଅଧିକାରୀମାନେ ନିଜ ଦରମାରେ ବିସଂଗତି ତଥା ରାଜ୍ୟର ସମସ୍ତ ଗ୍ରାମ ପଂଚାୟତରେ ଉପଲବ୍ଧ ହେଉନଥିବା ସୁବିଧା ସୁଯୋଗ ହାସଲ ନିମନ୍ତେ ବହୁବାର ସରକାରଙ୍କୁ ଜଣାଇଥିଲେ ହେଁ, ସେହି ଦାବୀଗୁଡ଼ିକ ବିଚାର ହେଉନଥିବା ଯୋଗୁଁ ନିର୍ବାହୀ ଅଧିକାରୀମାନେ ଘୋର ଆର୍ଥିକ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି । ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗର ତୃଣମୂଳ ସ୍ତରରେ ଏକମାତ୍ର ନିୟମିତ କର୍ମଚାରୀ ଭାବେ ପଞ୍ଚାୟତ ନିର୍ବାହୀ ଅଧିକାରୀ ରୂପେ ଅବସ୍ଥାପିତ ହୋଇଛନ୍ତି । ଗ୍ରାମ ପଞ୍ଚାୟତରେ ମୁଖ୍ୟତଃ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ଗୃହ ନିର୍ମାଣ ଓ ଭିତ୍ତିଭୂମିର ବିକାଶ ସହିତ ସାଧାରଣ ଜନତାଙ୍କୁ ଆର୍ଥିକ ଅଭିବୃଦ୍ଧିରେ ସ୍ୱାବଲମ୍ବୀ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି । ଏତଦ୍‌ ବ୍ୟତୀତ ପ୍ରାକୃତିକ ବିପର୍ଯ୍ୟୟ, ମହାମାରୀ ସମୟରେ ନିଜ ଜୀବନକୁ ବିପନ୍ନ କରି ଜନସାଧାରଣ ଏଥିଦ୍ୱାରା ପ୍ରଭାବିତ ଯେପରି ନହେବେ, ସେଥିପ୍ରତି ସରକାରଙ୍କ ନିର୍ଦ୍ଦେଶକ୍ରମେ ଯତ୍ନବାନ ଥା’ନ୍ତି । ତତ୍‌ସହିତ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ପ୍ରଚାର ପ୍ରସାର କରାଇ ଗ୍ରାମାଞ୍ଚଳରେ ସରକାରଙ୍କର ଦୂର ଦୃଷ୍ଟିର ସଫଳ ରୂପାୟନ କରିଥାନ୍ତି । ଯାହାଦ୍ୱାରା କି ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଦୈନନ୍ଦିନ ସମୟ ନିର୍ଘଣ୍ଟର ଆଠ ଘଣ୍ଟା ବହୁତ କମ୍ ପଡିଥାଏ । ଏହିସବୁ ସତ୍ୱେ ସରକାରୀ କାର୍ଯ୍ୟଦିବସ ବ୍ୟତୀତ ସରକାରୀ ଛୁଟି ଦିବସରେ ବି ନିଜର ଉତ୍ତରଦାୟିତ୍ୱକୁ ପ୍ରତିପାଦିତ କରିବା ପାଇଁ ନିର୍ବାହୀ ଅଧିକାରୀଙ୍କୁ ପରିବାରଠାରୁ ଦୂରରେ ରହି ସରକାରୀ କାର୍ଯ୍ୟ କରିବାକୁ ପଡ଼ିଥାଏ । କିନ୍ତୁ ଏହି ସଂଘ ୧୯୫୮ ମସିହାଠାରୁ ସୃଷ୍ଟି ହୋଇଥିଲେ ମଧ୍ୟ ଆଜି ସୁଦ୍ଧା କୌଣସି କ୍ଷେତ୍ରରେ ଗୋଟିଏ ବି ଦାବୀ ସରକାର ପୂରଣ କରିନାହାନ୍ତି । ଅପରପକ୍ଷେ ନିର୍ବାହୀ ଅଧିକାରୀଙ୍କ ସମସାମୟିକ କର୍ମଚାରୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ଓ ଦରମା ହାର ଯଥେଷ୍ଟ ଭାବରେ ସରକାର ବୃଦ୍ଧି କରାଇଛନ୍ତି । ଏସବୁକୁ ଆଧାର କରି ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ଦରମା ହାରର ନ୍ୟୁନତାକୁ ଦୃଷ୍ଟିରେ ରଖି ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ତରଫରୁ ଗତ ନଭେମ୍ବର-୨୦୨୨ରେ ସରକାରଙ୍କ ନିକଟରେ ଚାରି ଦଫା ସମ୍ବଳିତ ଦାବୀ ପୂରଣ ନିମନ୍ତେ ଉପସ୍ଥାପନା କରାଯାଇଥିଲା । ଏହି ଚାରି ଦଫା ସମ୍ବଳିତ ଦାବୀ ମଧ୍ୟରୁ ବିଶେଷ କରି ଦରମା ହାର ସପ୍ତମ ବେତନ କମିଶନର ୫ମ ସାରଣୀର ୨୧୭୦୦ ଟଙ୍କାରୁ ୯ମ ସାରଣୀର ୩୫୪୦୦ ଟଙ୍କାକୁ ଉନ୍ନୀତ କରିବା ଏବଂ ନିର୍ବାହୀ ଅଧିକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଅନ୍ତତଃପକ୍ଷେ ଯୁକ୍ତ ତିନି ରଖାଯିବା ପାଇଁ ସରକାରଙ୍କ ପାଖରେ ବାରମ୍ବାର ନିବେଦନ କରାଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ ।
ସ୍ଥାନୀୟ ହୋଟେଲ ସମ୍ବିତରୟାଲଠାରେ ଅନୁଷ୍ଠିତ ନିର୍ବାହୀ ଅଧିକାରୀମାନଙ୍କ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟର ଶତାଧିକ ପଂଚାୟତରୁ ନିର୍ବାହୀ ଅଧିକାରୀମାନେ ଯୋଗଦେଇ ସଂଘର ବିଭିନ୍ନ ବିଷୟ ସମ୍ପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବିଶେଷ କରି ଚାରୋଟି ଦାବୀ ଉପସ୍ଥାପନ କରିବାକୁ ନିଷ୍ପତି ଗ୍ରହଣ କରିଥିଲେ । ଜନପ୍ରିୟ ଓଡିଶା ସରକାରଙ୍କ ପ୍ରଚଳିତ ଯୋଜନା ଜନବ୍ୟାପୀ ଯୋଜନାର ସଫଳ ରୂପାୟନର ମୁଖ୍ୟ ବିନ୍ଧାଣି ଭାବେ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ନିଶ୍ଚିତ ରୂପେ ପରିଗଣିତ ହୋଇପାରିବେ ବୋଲି ବୈଠକରେ ଦୃଢ଼ ମତପ୍ରକାଶ ପାଇଥିଲା । ରାଜ୍ୟ ସଭାପତି ସୁବାସ ଚନ୍ଦ୍ର କରଙ୍କ ପୌରହିତ୍ୟରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସାଧାରଣ ସମ୍ପାଦକ କମଳକାନ୍ତ ପଣ୍ଡା ସମ୍ପାଦକୀୟ ବିବରଣୀ ପାଠକରିବା ସହ ବିବିଧ ଦାବୀ ସମ୍ପର୍କରେ ଆଲୋଚନା ଆରମ୍ଭ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ସର୍ବଶ୍ରୀ ନାରାୟଣ ସାହୁ, ଧର୍ମେନ୍ଦ୍ର ସାହୁ, ତ୍ରିପତିଶେଖର ସାହୁ, ଉଗ୍ରସେନ ଗୌଡ଼, ମହିଳା ସଂଗଠିକା ଅନୀତା ମହାନ୍ତି, ରାଜେଶ୍ୱରୀ ହାତୀ, ସଂଘର ବିଭିନ୍ନ ଆଂଚଳିକ ସଙ୍ଗଠକବୃନ୍ଦ ଯୋଗଦେଇ ଆଲୋଚନା ଜାରି ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟର ପ୍ରାୟ ପ୍ରତ୍ୟେକ ଜିଲ୍ଳାର ନିର୍ବାହୀ ଅଧିକାରୀମାନେ ଯୋଗଦେଇ ସଂଘର ଆଗାମୀଦିନର କାର୍ଯ୍ୟକ୍ରମ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ଅର୍ଥନୈତିକ କମିଟି ସଦସ୍ୟ ନରେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.