ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା ଏବଂ ମୃତାହତଙ୍କ ଆତ୍ମାର ଶାନ୍ତି ଓ ସତ୍ଗତି ନିମନ୍ତେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ମା’ ପାଟଣେଶ୍ୱରୀ ମନ୍ଦିରରେ ସମୂହ ଦୀପଦାନ
ବଲାଙ୍ଗିର, (କେପିଏନ୍ଏସ୍) : ବାଲେଶ୍ୱର ବାହାନଗା ଷ୍ଟେସନ ନିକଟରେ ଚେନ୍ନାଇ-ହାୱଡା କରମଣ୍ଡଳ ଏକ୍ସପ୍ରେସ ମିଶି ତିନୋଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେବାରୁ ବହୁ ସଂଖ୍ୟାରେ ଯାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ବିପୁଳ ସଂଖ୍ୟାରେ ଯାତ୍ରୀ ଆହତ ହୋଇଥିବା ଖବର ଶୁଣି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଅତ୍ୟନ୍ତ ବ୍ୟଥିତ ଓ ମର୍ମାହତ ହୋଇଥିବା ପ୍ରକାଶ କରିଛି । ଏହି ଛାତିଥରା ଟ୍ରେନ ଟ୍ରାଜେଡିରେ ମୃତ୍ୟୁବରଣ କରିଥିବା ଯାତ୍ରୀମାନଙ୍କର ଆତ୍ମାର ଶାନ୍ତି ଓ ସଦ୍ଗତି କାମନା ସହିତ ଆହତ ହୋଇ ଚିକିତ୍ସିତ ହେଉଥିବା ସମସ୍ତ ଯାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଗତକାଲି ସନ୍ଧ୍ୟାରେ ବଲାଙ୍ଗିର ସହରସ୍ଥିତ ମା’ ପାଟଣେଶ୍ୱରୀ ଦେବୀ ମନ୍ଦିରରେ ସମୂହ ଦୀପଦାନ କରାଯାଇଥିଲା । ଏହି ଦୁର୍ଘଟଣାରେ ମୃତାହତ ଓ ଆହତ ହୋଇଥିବା ସମସ୍ତ ପରିବାରବର୍ଗଙ୍କ ଧୈର୍ଯ୍ୟ ଓ ସାହସ ବଢାଇବା ନିମନ୍ତେ ଏହି ସମୂହ ଦୀପଦାନରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ସଦସ୍ୟାଙ୍କ ସହିତ ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷା ଲିକା ସାହୁ ଉପସ୍ଥିତ ରହିଥିଲେ । ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ ରୂପକ କୁମାର ପ୍ରଧାନଙ୍କ ନେତୃତ୍ୱରେ ଗୋଟିଏ ଟିମ ଦୁର୍ଘଟଣାସ୍ଥଳରେ ରହି ରାତିତମାମ ଉଦ୍ଧାର କାର୍ଯ୍ୟରେ ଯଥାସମ୍ଭବ ସହଯୋଗ ଜାରି ରଖିଥିବା ସୂଚନା ଦିଆଯାଇଛି ।