୫-ଟି ଅନ୍ତର୍ଗତ ମୋ’ ହସ୍ପିଟାଲ କାର୍ଯ୍ୟକାରୀ ଉପରେ ଗୁରୁତ୍ୱାରୋପ

  • ଗଞ୍ଜାମ ଜିଲ୍ଲାର ୧୩ ଗୋଟି ଚିକିତ୍ସାଳୟ ୭୭ କୋଟି ଟଙ୍କା ବ୍ୟୟରେ ରୂପାନ୍ତରୀକରଣ ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୫-ଟି ଅନ୍ତର୍ଗତ ମୋ-ହସ୍ପିଟାଲ କାର୍ଯ୍ୟକାରୀ ଉପରେ ରାଜ୍ୟ ପ୍ରଶାସନ ଗୁରୁତ୍ୱାରୋପ କରିଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲାର ୧୩ ଗୋଟି ଚିକିତ୍ସାଳୟ ଗୁଡିକର ରୂପରେଖ ଖୁବ୍ ଶୀଘ୍ର ବଦଳି ଯିବ । ବ୍ରହ୍ମପୁରସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ, ବୋମକେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, କେଳୁଆପଲ୍ଲୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ, କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ, ଆସ୍କା ଉପଖଣ୍ଡ ଚିକିତ୍ସାଳୟ, ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ନୂତନ ଓପିଡି କୋଠା ନିର୍ମାଣ, ସୋରଡାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ମରାମତି, ସୌନ୍ଦର୍ଯ୍ୟିକରଣ ଏବଂ ଆନୁସଙ୍ଗୀକ ସମସ୍ତ ବ୍ୟବସ୍ଥା ସଜାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ତେରଗୋଟି ଚିକିତ୍ସାଳୟ ଗୁଡିକର ମରାମତି, କୋଠାଗୁଡିକର ଭିତରପାର୍ଶ୍ବ ରୂପରେଖ ପରିବର୍ତ୍ତନ, ନୂତନ କୋଠା ନିର୍ମାଣ, ଡ୍ରେନେଜ୍ ବ୍ୟବସ୍ଥା, ମୁଖ୍ୟଫାଟକ, ଚତୁଃପାର୍ଶ୍ବ ପାଚେରୀ ନିର୍ମାଣ, ସର୍ବସାଧାରଣ ନିମନ୍ତେ ଶୌଚାଳୟ, ଭିତର ଓ ବାହାରପାର୍ଶ୍ବ ଜଳ ବ୍ୟବସ୍ଥା, ଡାକବାଜିଯନ୍ତ୍ରର ବ୍ୟବସ୍ଥା, ସିସି ଟିଭି ବ୍ୟବସ୍ଥା, ଅଗ୍ନିଶମ ବ୍ୟବସ୍ଥା, ଆସବାପତ୍ର, ଏଲ୍ଇଡି ବୋର୍ଡ, ନାମଫଳକ, ପାର୍କିଂ ବ୍ୟବସ୍ଥା, ବର୍ଷାଜଳ ସଂରକ୍ଷଣ ଇତ୍ୟାଦି ସମସ୍ତ ବ୍ୟବସ୍ଥା ରହିତ ଚିକିତ୍ସାଳୟ ଯେପରି ହେବ ସେହି ଦିଗରେ ଧ୍ୟାନ ଦେବାକୁ କୁହାଯାଇଛି । ଗଞ୍ଜାମ ଜିଲ୍ଲାରେ ୫-ଟି ଅନ୍ତର୍ଗତ ମୋ-ହସ୍ପିଟାଲ ଗୁଡିକର ରୂପାନ୍ତରୀକରଣ ଯଥାଶୀଘ୍ର ଶେଷ କରିବା ନେଇ ଗତକାଲି ଆଭାସୀ ବୈଠକ ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଗୁରୁତ୍ୱ ଦେଇଛନ୍ତି । ଆଗାମୀ ଅକ୍ଟୋବର ମାସ ପ୍ରଥମ ସପ୍ତାହ ସୁଦ୍ଧା ଯେମିତି ସମସ୍ତ ୧୩ ଗୋଟି ଚିକିତ୍ସାଳୟ ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରି ସେଗୁଡିକର ଆନୁଷ୍ଠାନିକ ଭାବେ ଆନୁଷ୍ଠାନିକ ଉଦ୍‌ଘାଟନ ହେବା ନିମନ୍ତେ ସେହି ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ସମସ୍ତ ସଂପୃକ୍ତ ଅଧିକାରୀମାନଙ୍କୁ ଅବଗତ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଶ୍ରୀ ପରିଡା ସମୀକ୍ଷା କରିଛନ୍ତି । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟଗୁଡିକ ଶେଷ କରିବାକୁ କହିଛନ୍ତି । ରାଜ୍ୟ ସରକାରଙ୍କୁ ଯେଉଁ ଅନୁଦାନ ମଗା ଯାଇଥିଲା ବିନା ଦ୍ୱିଧାରେ ସେହି ଅନୁସାରେ ୭୭ କୋଟି ଟଙ୍କା ଆସି ଯାଇଛି । ବର୍ତ୍ତମାନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ଥିତି କ’ଣ ଅଛି ସେଗୁଡିକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାର ରିପୋର୍ଟ ପ୍ରଦାନ କରିବେ । ଉପ-ଜିଲ୍ଲାପାଳ ଏବଂ ମୁଖ୍ୟ ଜିଲ୍ଲାଉନ୍ନୟନ ଅଧିକାରୀଙ୍କ ତତ୍ତ୍ବାବଧାନରେ ସେଗୁଡିକ ଯାଞ୍ଚ ହେବ । ଚିକିତ୍ସାଳୟ ଗୁଡିକରେ ରୋଗୀଙ୍କ ଚିକିତ୍ସା ନିମନ୍ତେ ଆସିବା ସମୟରେ ସେମାନଙ୍କର ଯେମିତି କୈଣସି ଅସୁବିଧା ହେବ ନାହିଁ ତାହାକୁ ଦୃଷ୍ଟିରେ ରଖି ସେମାନେ ଯେମିତି ଉତ୍ତମ ସେବା ପାଇବେ ଏବଂ ସେମାନଙ୍କ ସମ୍ପର୍କୀୟ ସେମାନଙ୍କର ଯେମିତି ସମସ୍ତ ସୁବିଧା ହେବ ସେହି ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । କାର୍ଯ୍ୟରେ ନିୟୋଜିତ ଠିକାଦାରୀଗଣ ଯେମିତି ସଠିକ୍ ସମୟରେ ସେମାନଙ୍କ ପ୍ରାପ୍ୟ ପାଇପାରିବେ ସେଥି ନିମନ୍ତେ ସ୍ୱତନ୍ତ୍ର ଆକାଉଣ୍ଟ ଖୋଲାଯାଇ ପ୍ରାପ୍ୟ ପ୍ରଦାନ କରିବାକୁ କୁହାଯାଇଛି । ସମସ୍ତ କାର୍ଯ୍ୟରେ ଯେମିତି ସ୍ୱଚ୍ଛତା ବଜାୟ ରହିବ ସେଥିପ୍ରତି ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ । ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ କିର୍ତ୍ତି ଭାସନ୍ ଭି, ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ସଂପୃକ୍ତ ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉମା ଶଙ୍କର ମିଶ୍ର, ଏନ୍‌ଆର୍‌ଏଚ୍‌ଏମ୍‌ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.