csstore

ବଲାଙ୍ଗିର ସହରକୁ ସବୁଜ ସୁନ୍ଦର ଓ ସରସ କରିବା ଲକ୍ଷ୍ୟରେ ପୌର ପରିଷଦ ପ୍ରତିଶ୍ରୁତିବଦ୍ଧ : ପୌର ଅଧ୍ୟକ୍ଷା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆକ୍ରୋଶମୂଳକ ଭାବେ ବଲାଙ୍ଗିର ମ୍ୟୁନିସିପାଲିଟିକୁ କାମ କରୁନଥିବା ଆକ୍ଷେପ କରାଯାଉଥିବା ଅଭିଯୋଗ ଆଣିଛନ୍ତି ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ମ୍ୟୁନିସିପାଲିଟିର ଉନ୍ନୟନମୂଳକ କାର୍ୟ୍ୟର ସଂପୂର୍ଣ୍ଣ ବିବରଣୀ ପ୍ରଦାନ ପାଇଁ ଆଜି ଅପରାହ୍ନରେ ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁଙ୍କ ସମେତ ବିଜେଡ଼ି କାଉନ୍‌ସିଲର୍‌ମାନେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଜିଲ୍ଲା ସାମ୍ବାଦିକ ଭବନରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ବଲାଙ୍ଗିର ସହରର ମହାରାଣୀ ସାଗର ପୁନରୁଦ୍ଧାର, ଛଅ ଗୋଟି କଲ୍ୟାଣ ମଣ୍ଡପ ନିର୍ମାଣ ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁଦାନ ଅନୁମୋଦିତ ହୋଇଛି । ସହର ମଧ୍ୟରେ ରହିଥିବା ଐତିହାସିକ ମହାରାଣୀ ସାଗର ପାଇଁ ଗତ ମେ’ ୩୦ରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ତଥା ନିଆରା ଯୋଜନା ଅମୃତ ୨.୦ରେ ୧୨ କୋଟି ୧୮ ଲକ୍ଷ ଟଙ୍କାର ଅନୁଦାନ ଅନୁମୋଦିତ ହୋଇଆସିଛି । ପୂର୍ବରୁ ଯାହାସବୁ ଅନୁଦାନ ଆସିଥିଲା ଟଙ୍କା ପଡ଼ିରହିଛି ଓ ପୌରସଂସ୍ଥା କିଛି କାମ କରୁନାହିଁ ବୋଲି ବିରୋଧୀଙ୍କ ଦ୍ୱାରା କୁହାଯାଉଥିବା ବେଳେ ଏସବୁ ମିଥ୍ୟା ଓ ଗୁଜବ୍‌ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଆହୁରି କୁହାଯାଇଛି ଯେ, ଅନୁମୋଦିତ ଅନୁଦାନରେ ମହାରାଣୀ ସାଗରରର ପଙ୍କୋଦ୍ଧାର ଓ ଉନ୍ନତିକରଣ ପ୍ରଥମ ପର୍ୟ୍ୟାୟରେ ହେବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ସୌନ୍ଦର୍ୟ୍ୟକରଣ ପାଇଁ ଆହୁରି ଅନୁଦାନ ଆସିବ । ଏହା ସହିତ ବଲାଙ୍ଗିର ସହରର ଅନ୍ୟାନ୍ୟ ୧୬ ଗୋଟି ବନ୍ଧର ପୁନରୁଦ୍ଧାର ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ମଂଜୁରୀ ମିଳି ସାରିଥିବା ବେଳେ ତୁରନ୍ତ କାର୍ୟ୍ୟ ଆରମ୍ଭ ହେବ । ସାମ୍ବାଦିକ ସମ୍ମିଳନୀରେ ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ କହୁଛନ୍ତି ଯେ, ବଲାଙ୍ଗିର ସହରର ସମସ୍ତ ୧୭ ଗୋଟି ବନ୍ଧର ପୁନରୁଦ୍ଧାର ପାଇଁ ବଲାଙ୍ଗିରର ପୂର୍ବତନ ସାଂସଦ ତଥା ବର୍ତ୍ତମାନର ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଛଅ ଗୋଟି କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଯୋଗାଇ ଦିଆଯାଇଥିବା ୧୫ କୋଟି ୪୨ ଲକ୍ଷ ଟଙ୍କାରେ ଚଳିତ ବର୍ଷ ଶେଷ ସୁଦ୍ଧା କାର୍ୟ୍ୟ ସମାପ୍ତ କରାଯାଇ ଶୁଭ ଉଦ୍‌ଘାଟନ ହେବ । ଏହା ସହିତ ଆଗାମୀ ଦିନରେ ବଲାଙ୍ଗିର ସହରର ପ୍ରାୟ ସମସ୍ତ ୱାର୍ଡରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପୌର ପରିଷଦ ପକ୍ଷରୁ ଅନୁରୋଧ କରାଯାଇଥିବା ଏଠାରେ ସୂଚନା ଦିଆଯାଇଛି । ବର୍ତ୍ତମାନ ସହରର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଯୋଜନା ମୁତାବକ କଚ୍ଚା ରାସ୍ତା ଥିବା ବଲାଙ୍ଗିର ସହରର ସମସ୍ତ ବସ୍ତି ଅଂଚଳରେ ଡ୍ରେନ୍‌ ଓ ରାସ୍ତାର ଉନ୍ନତିକରଣ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରାଯାଇଛି, ଯାହାକି ଅତିଶୀଘ୍ର କାର୍ୟ୍ୟକାରୀ ହେବ । ପୁଣି ବଲାଙ୍ଗିର ସହରରେ ଥିବା ୯ କିଲୋମିଟର ରାସ୍ତା ଓ ପ୍ରାୟ ୪ କିଲୋମିଟର ଡ୍ରେନ୍‌ ପାଇଁ କାଉନ୍‌ସିଲ୍‌ ରେଜୁଲେସନ୍‌ ସମାପ୍ତ ହୋଇଥିବା ବେଳେ ତନ୍‌ମଧ୍ୟରୁ ପ୍ରାୟ ଅର୍ଦ୍ଧାଧିକ ଡ୍ରେନ୍‌ ଓ ରାସ୍ତାର ଉନ୍ନତିକରଣ ପାଇଁ ଟେଣ୍ଡର ପ୍ରକ୍ରିୟା ସରି ଯାଇଛି ବୋଲି ସୂଚନା ଦିଆଯାଇଥିବା ବେଳେ ବାକିତକ କାମ ପାଇଁ ମଧ୍ୟ ଖୁବ୍‌ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଇଛି । ବଲାଙ୍ଗିର ସହରରେ ଜନସାଧାରଣଙ୍କ ସୁବିଧା ପାଇଁ ବିଭିନ୍ନ ୱାର୍ଡରେ ଓପନ ଏୟାର ଜିମ୍‌, ଶିଶୁ ଉଦ୍ୟାନ ସହିତ ପରିଚୟ ଗୃହ କିଛି ନିର୍ମାଣ ସରିଛି । ଆଉ କିଛି ନିର୍ମାଣ ଜାରି ରହିଛି ଓ ବାକି ଯାହା ରହିଛି ତାହା ଖୁବ୍‌ଶୀଘ୍ର ନିର୍ମାଣ ହେବ । ବଲାଙ୍ଗିର ସହରକୁ ସବୁଜ ସୁନ୍ଦର ଓ ସରସ କରିବା ଲକ୍ଷ୍ୟରେ ବଲାଙ୍ଗିର ପୌର ପରିଷଦ ପ୍ରତିଶ୍ରୁତିବଦ୍ଧ ବୋଲି ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.