ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପବିତ୍ର ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଗକୁ ଆସୁଛି ପବିତ୍ର ରଥଯାତ୍ରା । ଏଥିପାଇଁ ଟିଟିଲାଗଡ଼ରେ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା – ୨୦୨୩ ଉତ୍ସାହ, ଶାନ୍ତି, ଶୃଙ୍ଖଳାର ସହିତ କିପରି ପାଳନ କରାଯିବ ସେ ନିମନ୍ତେ ଶୁକ୍ରବାର ସନ୍ଧ୍ୟାରେ ଉପଜିଲ୍ଲାପାଳ ଦୟାମୟ ପାଢୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଟ୍ରଷ୍ଟି ସଂଜୀବ ପାଢୀ ସମସ୍ତଙ୍କୁ ସ୍ଵାଗତ ଜଣାଇ ପ୍ରସ୍ତୁତି ବୈଠକର ଆଲୋଚ୍ୟ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇଥିଲେ । ଉପଜିଲ୍ଲାପାଳ ଦୟାମୟ ପାଢୀ ଆଗାମୀ ପବିତ୍ର ରଥଯାତ୍ରା କିପରି ଶାନ୍ତି ଶୃଙ୍ଖଳା ଓ ସଫଳତାର ସହିତ ମହାପ୍ରଭୁଙ୍କର ନୀତିକାନ୍ତି ଅନୁସାରେ ପାଳନ କରାଯିବ, ସେ ଦିଗରେ ସମସ୍ତଙ୍କର ପୂର୍ଣ୍ଣ ସାହାଯ୍ୟ ଓ ସହଯୋଗ କାମନା କରିଥିଲେ ।

ରଥଯାତ୍ରା ସମୟରେ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ସହରରେ ଆବଶ୍ୟକ ଟ୍ରାଫିକ ସମସ୍ୟାର ନିୟନ୍ତ୍ରଣ, ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ନାଳ, ଆବର୍ଜନା ସଫେଇ, ପାନୀୟ ଜଳର ବ୍ୟବସ୍ଥା, ଜରୁରୀ ଚିକିତ୍ସା ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ଆବଶ୍ୟକ ପୋଲିସ ମୁତୟନ, ବିଜୁଳି ସେବାର ବ୍ୟବସ୍ଥା, ଅଗ୍ନିଶମ ସେବାର ପ୍ରସ୍ତୁତି, ଅନ୍ନଭୋଗର ବ୍ୟବସ୍ଥା, ରଥଯାତ୍ରାର ଧାରା ବିବରଣୀ ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା । ସଂପୃକ୍ତ ବିଭାଗର ଅଧିକାରୀମାନେ ବିଭାଗୀୟ ନ୍ୟସ୍ତ ଦାୟିତ୍ଵ ସୁଚାରୁରୂପେ ତୁଳାଇବା ପାଇଁ ଉପଜିଲ୍ଲାପାଳ ସେମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ମଧ୍ୟ କାମନା କରିଥିଲେ । ଏହି ବୈଠକରେ ଏସଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର, ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିପିନ ଦୀପ, ଚନ୍ଦ୍ର ପ୍ରସାଦ ଦେହୁରି, ଭବାନୀ ହୋତାଙ୍କ ସହ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ, ଜଗନ୍ନାଥ ମନ୍ଦିର ପରିଚାଳନା କମିଟିରର ସମସ୍ତ ସଦସ୍ୟ, ସହରର ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.