ଦିବ୍ୟସିଂହପୁରରେ ଭିନ୍ନ ପରମ୍ପରା କ୍ରମେ ଶିବ ବିବାହ ଉତ୍ସବ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳଗାଁ ପଞ୍ଚାୟତ ଅଧୀନସ୍ଥ ଦିବ୍ୟସିଂହପୁର ଗାଁରେ ଶିବ ପାର୍ବତୀଙ୍କ ବିବାହ ଏକ ଭିନ୍ନ ପରମ୍ପରା କ୍ରମେ ପ୍ରତିବର୍ଷ ଅନୁଷ୍ଠିତ ହୋଇଆସୁଛି । ଚଳିତବର୍ଷ ସବୁଆଡେ ବୁଧବାର ସନ୍ଧ୍ୟାରେ ଶିବ ବିବାହ ଉତ୍ସବ ସମ୍ପନ୍ନ ହୋଇଥିବା ବେଳେ ଗୋଟିଏ ଦିନ ପରେ ଅର୍ଥାତ ଗୁରୁବାର ଦିନ ଦିବ୍ୟସିଂହପୁର ଗାଁରେ ଶିବ ପାର୍ବତୀ ବିବାହ ଓ ଶୀତଳଷଷ୍ଠୀ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି । ଆଖପାଖ ଗାଁ ଅଞ୍ଚଳ ଉତ୍ସବମୁଖରୀତ ହୋଇଉଠିଥିଲା । ଗୁରୁବାର ପ୍ରତ୍ୟୁଷରୁ ଅନ୍ଧାରରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପନ୍ନ ପରେ ସିଂହାସନରେ ଠାକୁର ବିଜେ ହୋଇଥିଲେ । ଏହା ପୂର୍ବରୁ କନ୍ୟା ପିତାଙ୍କ ପୁତ୍ର ସନ୍ତୋଷ କୁମାର ମିଶ୍ର ମନ୍ଦିରକୁ ଯାଇ ବିବାହ ମଣ୍ଡପକୁ ଆସିବା ପାଇଁ ଭଗବାନ ଶିବଙ୍କୁ ନିମନ୍ତ୍ରଣ କରିଥିଲେ । ବିରାଟ ପଟୁଆର ସହ ବଉଳଗାଁ ଓ ମହାନାଦପୁର ସଂକୀର୍ତ୍ତନ ଦଳକୁ ନେଇ ଭଗବାନ ଶିବ ବିବାହ କରିବା ପାଇଁ ଆସିଥିଲେ । ଦିବ୍ୟସିଂହପୁର ଗାଁର କନକ ମଣ୍ଡପରେ ବୈଦିକ ରୀତିନୀତି, ପରମ୍ପରା ଅନୁଯାୟୀ ଶିବ ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଥିଲା । ଏଥିରେ ବର ପିତା ଭାବେ ରାଧାଗୋବିନ୍ଦ ତ୍ରିପାଠୀ ଓ କନ୍ୟା ପିତା ଭାବେ ବାସୁଦେବ ମିଶ୍ର ଦାୟିତ୍ୱ ନେଇଥିଲେ । ପୁରୋହିତ ପୂର୍ଣ୍ଣଚନ୍ଦ୍ର ଶତପଥୀ ଓ ପିତାମ୍ବର ଶତପଥୀ ଏହି ବିବାହ କାର୍ଯ୍ୟକୁ ସମ୍ପନ୍ନ କରିଥିଲେ । ପରେ ଗାଁରେ ଦାସକାଠିଆ ପରିବେଷିତ ହୋଇଥିଲା । ଆଜି ଗାଁ ପରିକ୍ରମଣ କରିବା ପରେ ଶିବ ଓ ପାର୍ବତୀ ନିଜ ନିଜ ମନ୍ଦିରକୁ ଫେରିବେ ବୋଲି ସୂଚନା ଦିଆଯାଇଛି । ପରିଚାଳନା କମିଟିର ସଭାପତି ସୁଧାଂଶୁ ଶେଖର ମିଶ୍ର, ସମ୍ପାଦକ ସୁଧାଂଶୁ ଶେଖର ଶତପଥୀ, ଗ୍ରାମ୍ୟ କମିଟିର ଦୁର୍ଗା ଚରଣ ଶତପଥୀ, ଦଣ୍ଡପାଣି ଶତପଥୀ, ଲୋକନାଥ ତ୍ରିପାଠୀ, ସତ୍ୟବାଦୀ ଶତପଥୀ, ଶରତ ଚନ୍ଦ୍ର ଶତପଥୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!