ଖର୍ସେଲପଡାରେ ବିବାହ ଭୋଜି ଚାଲୁଥିବା ସମୟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ଘଟଣା : ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ମୃତକଙ୍କ ମା’

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖର୍ସେଲପଡାରେ ବିବାହ ଭୋଜି ଚାଲିଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକ ଜୀବନ ହାରିଥିବା ଘଟଣାକୁ ନେଇ ସରକାରୀ ସହାୟତା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତକଙ୍କ ମା’ । ସୂଚନାଯୋଗ୍ୟ ଯେ, ଗତ ୬ ତାରିଖରେ ଖର୍ସେଲପଡାରେ ଏକ ବିବାହ ଚାଲିଥିବା ବେଳେ ଦେଓଗାଁ ବ୍ଲକ ଅର୍ନ୍ତଗତ ବହଲିଗାଁର ଗୋକୁଳ ସାହୁଙ୍କ ପରିବାର ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଆସିଥିଲେ । ଭୋଜି ବାଣ୍ଟୁଥିବା ସମୟରେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ତାଙ୍କ ଗୋଡ ଖସିଯିବା ଯୋଗୁଁ ନିଜକୁ ରକ୍ଷା କରିବାକୁ ଯାଇ ବିଦ୍ୟୁତ୍‌ କରେଣ୍ଟ ଆସୁଥିବା ଖୁମ୍ବକୁ ଧରି ପକାଇଥିଲେ । ଫଳରେ ସେଠାରେ ହିଁ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ତୁରନ୍ତ ତାଙ୍କୁ ଭୀମଭୋଇ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ତାଙ୍କ ଦେହାନ୍ତକୁ ୧୦ରୁ ଅଧିକ ଦିନ ହୋଇଯାଇଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମିଳିନଥିବାରୁ ତାଙ୍କ ମା’ ଆଜି ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କ କହିବା ଅନୁସାରେ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ସେମାନେ ଅସହାୟ ହୋଇପଡିଥିବା ବେଳେ ତାଙ୍କ ପୁଅଙ୍କ ଦେହାନ୍ତକୁ ୧୦ରୁ ଅଧିକ ଦିନ ହୋଇଯାଇଥିଲେ ସୁଦ୍ଧା କୌଣସି ସରକାରୀ ସହାୟତା ମିଳିପାରି ନାହିଁ । ତେଣୁ ସରକାରୀ ସହାୟତା ନିମନ୍ତେ ଆଜି ସେ ଏସ୍‌ପିଙ୍କ ଦ୍ୱାରସ୍ତ ହୋଇଛନ୍ତି ।

Leave A Reply

Your email address will not be published.