କଂଟାବାଂଜିରେ ବାଇକ୍‌ ଲୁଟେରା ସକ୍ରିୟ : ଏସ୍‌ବିଆଇ ବଜାର ବ୍ରାଂଚ ସମ୍ମୁଖରୁ ଲୁଟି ନେଲେ ନଗଦ ୩ ଲକ୍ଷ ଟଙ୍କା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରରେ ସୋମବାର ଦିନ ଦୁର୍ବୃତ୍ତମାନେ ଲୁଟି ନେଲେ ୩ ଲକ୍ଷ ଟଙ୍କା । ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୧୧ଟା ବେଳେ ସ୍ଥାନୀୟ ମାଇକଲ ବିଦେଶୀ ମଦ ଦୋକାନର ମ୍ୟାନେଜର ୩ ଲକ୍ଷ ଟଙ୍କା ଷ୍ଟେଟ ବ୍ୟାଙ୍କ ବଜାର ଶାଖାକୁ ଜମା କରିବାକୁ ଯାଇଥିବା ବେଳେ କେତେକ ବାଇକ୍‌ ଲୁଟେରା ଝାମ୍ପି ନେଇ ଫେରାର ମାରିଛନ୍ତି । ପ୍ରତ୍ୟକ୍ଷଦର୍ଶୀମାନଙ୍କଠାରୁ ପ୍ରକାଶ ଯେ, କେତେକ ନମ୍ବର ବିହୀନ ବାଇକ୍‌ ଲୁଟେରା ପୂର୍ବରୁ ସଜାଗ ହୋଇଥିଲେ । ଜମା କରିବାକୁ ଯାଇଥିବା ମ୍ୟାନେଜରଙ୍କ ଠାରୁ ଉକ୍ତ ୩ ଲକ୍ଷ ଟଙ୍କାକୁ ମୁଖା ପିନ୍ଧା ଯୁବକ ନମ୍ବର ବିହୀନ ଗାଡିରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଘଟଣା ପରେ ପୋଲିସ ଖବର ପାଇ ଅଧିକ ଅନୁସନ୍ଧାନ ଜାରି ରଖିଛି । ପ୍ରକାଶ ଥାଉ କି କଂଟାବାଂଜିରେ ସୋମବାର ଏବଂ ଶୁକ୍ରବାର ଦୁଇ ଦିନ ସାପ୍ତାହିକ ବଜାର ହୋଇଥାଏ । ଏହି ଦୁଇ ଦିନ ସହରକୁ ପଡୋଶୀ ବେଲପଡା, ବଙ୍ଗୋମୁଣ୍ଡା, ମୁରିବାହାଲ ଓ ତୁରେକେଲାରୁ ଶହ ଶହ ସଂଖ୍ୟାରେ ଲୋକେ ବଜାର କାମ ଏବଂ ବ୍ୟାଙ୍କ କାମ ପାଇଁ ଆସୁଥିବା ବେଳେ ନିୟମିତ ବାଇକ୍‌ ଲୁଟେରାଙ୍କ ଶିକାର ହେଉଥିବା ଅଭିଯୋଗ ହୋଇଛି । ବାରମ୍ବାର ବାଇକ୍‌ ଲୁଟେରା ସକ୍ରିୟ ହେଉଥିବା ବେଳେ ସ୍ଥାନୀୟ ପୋଲିସ ଦ୍ୱାରା କୌଣସି ଆଖି ଦୃଷିଆ ପଦକ୍ଷେପ କିମ୍ବା ସହରରେ ଥିବା ୧୭/୧୮ଟି ବ୍ୟାଙ୍କ ଅଂଚଳରେ ପୋଲିସ ପେଟ୍ରୋଲିଂ କରାଯାଉ ନାହିଁ । ଫଳରେ ଲୁଟେରାମାନେ ସକ୍ରିୟ ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହି ଘଟଣା ଉପରେ ପୋଲିସ ଏକ ମାମଲା ରୁଜୁ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.

error: Content is protected !!