ଓଡ଼ିଆ ଭାଷା ବିକାଶ ମଞ୍ଚର କାର୍ଲମାର୍କସ ଜୟନ୍ତୀ ପାଳନ ଓ ସ୍ୱତନ୍ତ୍ର ପ୍ରଗତିଶୀଳ କାବ୍ୟ ସନ୍ଧ୍ୟା ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲ୍‌ଚରାଲ ଏକାଡେମୀ ପରିସରରେ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ କାର୍ଲମାର୍କସଙ୍କର ଜୟନ୍ତୀ ଅବସରରେ ଏକ ସ୍ମୃତିଚାରଣ ସଭା ସହ ମାର୍କସଙ୍କୁ ସମର୍ପିତ ଏକ ସ୍ୱତନ୍ତ୍ର ପ୍ରଗତିଶୀଳ କାବ୍ୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ରାଉରକେଲାର ହେତୁବାଦୀ ସମାଜତତ୍ୱବିତ୍ ବିଶିଷ୍ଟ ଚିନ୍ତାନାୟକ କେଦାରନାଥ ପ୍ରଧାନ ମୁଖ୍ୟ ଆଲୋଚକ ଏବଂ ଗଗନ ବିହାରୀ ଧଳ, ଡକ୍ଟର ନଗେନ କୁମାର ଦାସ ସମ୍ମାନନୀୟ ବକ୍ତା ରୂପେ ‘ସାଂପ୍ରତିକ ପ୍ରେକ୍ଷାପଟରେ ବୈଜ୍ଞାନିକ ସମାଜବାଦର ପ୍ରାସଙ୍ଗିକତା’ ସମ୍ପର୍କରେ ମାର୍କସଙ୍କର ଅର୍ଥତତ୍ତ୍ୱ ଦର୍ଶନର ବୈଷୟିକ ପ୍ରଭାବକୁ ପ୍ରାଞ୍ଜଳ ଭାବରେ ଅବତାରଣା କରିଥିଲେ । ସଭାପତି ଶ୍ରୀ ପତି ସ୍ୱାଗତ ଭାଷଣ ସହିତ ଏକ ସ୍ୱତନ୍ତ୍ର କାବ୍ୟ ନୈବେଦ୍ୟର ଶ୍ରଦ୍ଧାଞ୍ଜଳି ଭାଷା ବିକାଶ ମଞ୍ଚ ତରଫରୁ ମାର୍କସଙ୍କୁ ଅର୍ପଣ କରିଥିଲେ । ସାଧାରଣ ସମ୍ପାଦକ ମାର୍କସୀୟ ଦର୍ଶନର ଯୁଗାନ୍ତକାରୀ ପ୍ରଭାବ ସହିତ ତାଙ୍କ ସାମଗ୍ରିକ ଜୀବନର ସଂଘାତ ଓ ସଂଘର୍ଷ ସମ୍ପର୍କରେ ଏକ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରି ମାର୍କସଙ୍କ ଦୃଷ୍ଟିକୋଣ ଅତ୍ୟନ୍ତ ବୈଜ୍ଞାନିକ, ଯୁକ୍ତିଅବ୍ୟର୍ଥ ଏବଂ ଲକ୍ଷ୍ୟ ଉଦାର ମାନବତା‌ ବୋଲି କହିଥିଲେ ।
     
ମୁଖ୍ୟ ଆଲୋଚକଙ୍କ ସମେତ ସମସ୍ତ ବରେଣ୍ୟ ବକ୍ତା ମୁକ୍ତ ଅର୍ଥନୀତିର ବିଶଦ ବ୍ୟାଖ୍ୟାନ ପୂର୍ବକ ଇତିହାସର ବିଚିତ୍ର ବିକାଶ, ଅର୍ଥନୈତିକ ସମ୍ପର୍କର ବୈଜ୍ଞାନିକ ବିଶ୍ଳେଷଣ, ଉତ୍ପାଦନ ପ୍ରଣାଳୀର କ୍ରମ ବିବର୍ତ୍ତନ ସମ୍ପର୍କରେ ଆଲୋଚନା ରଖି ପୁଞ୍ଜିବାଦୀ ସମାଜର ଅର୍ଥ ସମ୍ପର୍କର ବିବତ୍ସ ଦୃଶ୍ୟକୁ ମାର୍କସ କିପରି ‘ଦାସ କ୍ୟାପିଟାଲ’ରେ ବିଶ୍ଳେଷଣ କରିଛନ୍ତି, ତାହା ବକ୍ତବ୍ୟରେ ପ୍ରତିପାଦନ କରିଥିଲେ ।
     
ସଭାପତି ଶ୍ରୀ ପତି ସାମଗ୍ରିକ ବକ୍ତବ୍ୟର ନିର୍ଯ୍ୟାସକୁ ଉପସ୍ଥାପନ ପୂର୍ବକ ମାର୍କସଙ୍କ ଜୀବନାଲେଖ୍ୟ ପୁଞ୍ଜିବାଦ ବିରୋଧରେ ଶ୍ରମିକ ଶ୍ରେଣୀର ଗୌରବମୟ ସଂଗ୍ରାମର ଇତିହାସ ବୋଲି ଅଭିହିତ କରି ପ୍ରତିଟି କୁଟୀରକୁ ଶାନ୍ତି ଆଣିବା ଥିଲା ମାର୍କସଙ୍କ ଅନ୍ତିମ ଗବେଷଣା ଲବ୍ଧ ଇସ୍ତାହାର, ଲକ୍ଷ୍ୟ, ଆଭିମୁଖ୍ୟ ତଥା ସମସ୍ତ ପ୍ରକାର ଶ୍ରମିକ ଶ୍ରେଣୀର ମିଳିତ ଉଦ୍ୟମର ପ୍ରବହମାନ ଶ୍ରେଣୀ ସଂଘର୍ଷର ଅନ୍ତଃହୀନ ଯାତ୍ରା ବୋଲି କହିଥିଲେ । ସଭାର ଦ୍ୱିତୀୟାର୍ଦ୍ଧ କାବ୍ୟ ସନ୍ଧ୍ୟାରେ କୁଞ୍ଜବିହାରୀ ରାଉତ, ଡ. କୃପାସିନ୍ଧୁ ନାୟକ, ସୁଶାନ୍ତ କୁମାର ନାୟକ, ଡ. ବିଜୟ ରାୟ, ମୀନକେତନ ପଶାୟତ, ବଳରାମ ରାଉଳ, ତ୍ରିଲୋଚନ ସ୍ୱାଇଁ, ପ୍ରତାପ ପଣ୍ଡା, ବ୍ରଜେନ୍ଦ୍ର ଦାଶ, ବିଭୁ ନାୟକ, ଧୋବେଇ ବେହେରା, ଗୌତମ ଦାସ, ଅକ୍ଷୟ ପଣ୍ଡା ପ୍ରମୁଖ ବହୁ କବି କବିତା ପାଠ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ବେତାର କେନ୍ଦ୍ର ଉଦ୍‌ଘୋଷକ ଯୁବକବି ଅଶୋକ ରାଉତ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀମନ୍ତ ବେହେରା, ବାସୁଦେବ ସାହୁ, ଗଙ୍ଗାଧର ପୁହାଣ, ପଞ୍ଚାନନ ସୁନା, ମହେଶ୍ୱର ଦୀପ୍, ଅବିନାଶ ସାହୁ, ବ୍ରଜବିହାରୀ ଦାସ, ନରେନ୍ଦ୍ର ଗୋପ୍, କାଶୀନାଥ ପାତ୍ର, ରାଜୀବ ପାଣି, ବନିତା ମହାନ୍ତି, ଅପର୍ଣ୍ଣା ରାଉତରାୟ, ସୁପ୍ତି କର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଏବଂ ପରିଶେଷରେ ଚନ୍ଦ୍ରଶେଖର ପାଇକରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.