jayashree

ଲୋୟର ସୁକତେଲ ବିସ୍ଥାପନ ଓ ଥଇଥାନ ପ୍ରସଙ୍ଗ : ଆର୍‌ପିଡିଏସି ବୈଠକ ଡାକିବାକୁ ଆର୍‌ଡିସିଙ୍କୁ ଚିଠି ଲେଖିଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକତେଲ ବିସ୍ଥାପନ ଓ ଥଇଥାନ ପ୍ରସଙ୍ଗକୁ ନେଇ ଆର୍‌ପିଡିଏସି ବୈଠକ ଡାକିବାକୁ ଆର୍‌ଡିସିଙ୍କୁ ଚିଠି ଲେଖିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଶ୍ରୀ ମିଶ୍ର କହିଛନ୍ତି ଯେ, ଏ ବର୍ଷ ଶେଷ ସୁଦ୍ଧା ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପରେ ପାଣି ଗଚ୍ଛିତ ରଖାଯିବା ପାଇଁ ପ୍ରଶାସନ ଓ ସରକାର ତରଫରୁ ସୂଚନା ଦିଆଯାଇଛି । ଏପରିକି ବର୍ଷ ଶେଷରେ ବଲାଙ୍ଗିରର ଜୀବନରେଖା କୁହାଯାଉଥିବା ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବ ବୋଲି ସରକାରଙ୍କ ଜଳ ସେଚନ ମନ୍ତ୍ରୀ ସୂଚନା ଦେଇଛନ୍ତି । କିନ୍ତୁ ଏହି ପ୍ରକଳ୍ପର ଗ୍ରାଉଣ୍ଡଜିରୋ ରିପୋର୍ଟ ଦେଖିଲେ ଆଜି ମଧ୍ୟ ଏ ପ୍ରକଳ୍ପ ସଂପୂର୍ଣ୍ଣ କରିବା ପାଇଁ ଆଉ ଏକ ବର୍ଷ ଆବଶ୍ୟକ ବୋଲି ଅନୁଭବ ହୁଏ । ସରକାରୀ ସ୍ତରରେ ଏହି ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହେବାକୁ ଥିବା ଲୋକେ ପ୍ରାୟତଃ ସମସ୍ତ ପ୍ରକାର କ୍ଷତି ପୁରଣ ପାଇ ପାରିଛନ୍ତି ବୋଲି ପ୍ରଶାସନ କହୁଛି । ଥଇଥାନକୁ ନେଇ ମଧ୍ୟ ସମସ୍ତ କାମ ସରି ଯାଇଥିବା ସୂଚନା ଦିଆଯାଉଛି । କିନ୍ତୁ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଗାଁକୁ ଯାଇ ଆଲୋଚନା କଲେ ଜଣାଯାଉଛି ଯେ ପ୍ରକଳ୍ପର ଅକ୍ଷ ସ୍ଥଳରେ ଥିବା ଗାଁ ପରଧିଆପାଲିର ଆଜି ବି କିଛି ପରିବାର ଗାଁ ଛାଡି ନାହାନ୍ତି । ଗାଁରେ ଏପରି ବି ଏକ ପରିବାର ଅଛନ୍ତି ଯେଉଁମାନେ କୌଣସି କ୍ଷତି ପୁରଣ ଆଜି ପର୍ଯ୍ୟନ୍ତ ପାଇ ପାରି ନାହାନ୍ତି । ସଂପୂର୍ଣ୍ଣ ବିସ୍ଥାପିତ ଗାଁର ସ୍କୁଲ ଛୁଆ କେଉଁ ଗାଁ ସ୍କୁଲରେ ପଢିବେ, ସେହି ସ୍କୁଲର ଶିକ୍ଷକ କ୍ଷମତା କେତେ, ସ୍କୁଲ କୋଠା ସ୍ଥିତି କ’ଣ , ଆଙ୍ଗନବାଡି କେନ୍ଦ୍ରର ସ୍ଥିତି ଆଜି ପର୍ଯ୍ୟନ୍ତ ସ୍ଥିରିକୃତ ହୋଇପାରି ନଥିବାରୁ ସ୍କୁଲ ଛାତ୍ରାଛାତ୍ରୀମାନଙ୍କ ପଢା, ପଞ୍ଚାୟତ ଓ ଆଙ୍ଗନବାଡି ତରଫରୁ ଛୋଟ ଛୋଟ ଛୁଆ ଓ ମା’ମାନଙ୍କ ପାଇଁ ଚାଲିଥିବା ପୃଷ୍ଟିକର ଖାଦ୍ୟ ଯୋଜନା ସଂପୂର୍ଣ୍ଣ ରୂପେ ବ୍ୟାଘାତ ହେଉଛି । ତା’ସହ ଥଇଥାନ ଓ ପୁନର୍ବାସ କଲୋନୀ ମାନଙ୍କରେ ମଧ୍ୟ ଥଇଥାନ ହୋଇଥିବା ଲୋକଙ୍କ ସମସ୍ତ ମୌଳିକ ଅଧିକାର ପ୍ରତି ଦୃଷ୍ଟି ଦିଆଯାଇ ପାରିନାହିଁ । ତେଣୁ ବଲାଙ୍ଗିର ବିଧାୟକ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳେଇଙ୍କୁ ଚିଠି ଲେଖି ଯେତେ ଶୀଘ୍ର ହେବ ଆର୍‌ପିଡଏସି ବୈଠକ ଡାକିବା ପାଇଁ ଅନୁରୋଧ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଗତ ୩ ତାରିଖରେ ବିଧାୟକ ବୁଡି ଅଂଚଳର ଗଡ ଶଙ୍କର ଡୁଙ୍ଗୁରିପାଲି ଓ ପରଧିଆପାଲି ଗ୍ରାମକୁ ଯାଇ ବିସ୍ଥାପିତଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ସୁକତେଲ ପ୍ରକଳ୍ପର ବିସ୍ଥାପନ ଓ ଥଇଥାନ ପ୍ରକଳ୍ପ ଅଧିକାରୀ ମହେନ୍ଦ୍ର ମହାପାତ୍ର, ସ୍ୱତନ୍ତ୍ର ଭୁ ଅର୍ଜନ ଅଧିକାରୀ ତଥା ଉପଜିଲ୍ଲାପାଳ କୁମାର ନାଗ ଭୂଷଣ ଏବଂ ଉପଖଣ୍ଡ ପୋଲିସ ଅଧିକାରୀ ତୋଫାନ ବାଗ ମଧ୍ୟ ଉପସ୍ଥିତ ଥିଲେ । ପ୍ରକଳ୍ପରେ ବର୍ଷା ଋତୁରେ ପାଣି ଭରିଯିବା ଆଶଙ୍କାରେ ଲୋକେ ଆତଙ୍କିତ ଥିବା ବେଳେ ଥଇଥାନ ଓ କ୍ଷତି ପୁରଣକୁ ନେଇ ମଧ୍ୟ ଅସନ୍ତୋଷ ଥିଲେ । ତେଣୁ ଏସବୁ ସମସ୍ୟାର ସମାଧାନ ପାଇଁ ବିଧାୟକ ଶ୍ରୀ ମିଶ୍ର ଉତ୍ତରାଞ୍ଚ କମିଶନରଙ୍କୁ ଆର୍‌ପିଏସି ବୈଠକ କରିବା ପାଇଁ ଚିଠି ଲେଖିଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.