csstore

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ଓ ଏନଡିଆରଏଫ କର୍ମଚାରୀଙ୍କୁ ଦିଆଯିବ ଶ୍ରୀ ଅନ୍ନ (ମିଲେଟ୍ସ)ରେ ପ୍ରସ୍ତୁତ ଭୋଜନ

• ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ-୨୦୨୩ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
• କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଆହ୍ୱାନକ୍ରମେ ସବୁ ବାହିନୀ ସହିତ ବିସ୍ତୃତ ଆଲୋଚନା ପରେ ଭୋଜନରେ ୩୦% ମିଲେଟ୍ସ ଉପଯୋଗ କରିବା ଲାଗି ନିଆଗଲା ନିଷ୍ପତ୍ତି
• ମିଲେଟ୍ସର ଗୁରୁତ୍ୱକୁ ବିବେଚନା କରିବା ସହିତ ଘରୋଇ ଓ ବିଶ୍ୱସ୍ତରରେ ଚାହିଦା ସୃଷ୍ଟି ଏବଂ ଲୋକମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ପ୍ରସ୍ତାବକ୍ରମେ ମିଳିତ ଜାତିସଂଘ ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ ଭାବେ ଘୋଷଣା କରିଛି
• ମିଲେଟ୍ସ ଜାତୀୟ ଶସ୍ୟଗୁଡ଼ିକ ଉଚ୍ଚ ପ୍ରୋଟିନଯୁକ୍ତ, ଗ୍ଲୁଟେନ-ମୁକ୍ତ, ଗ୍ଲାଇସେମିକ ସୂଚକାଙ୍କ (ଜିଆଇ)ରେ କମ୍ ଏବଂ ଫାଇବର ଆହାରରେ ସମୃଦ୍ଧ; ଏଥିରେ କ୍ୟାଲସିୟମ, ଆଇରନ, ଫସଫଟସ ଆଦି ଜରୁରି ସୂକ୍ଷ୍ମ ପୋଷକ ତତ୍ତ୍ୱ ବା ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ରହିଛି, ଯାହାକି ଯବାନମାନଙ୍କ ପୋଷଣ ସମ୍ବନ୍ଧୀୟ ପ୍ରୋଫାଇଲକୁ ମଜବୁତ କରିବ

  • କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ) ଓ ଏନଡିଆରଏଫର ବିଭିନ୍ନ କାର୍ଯ୍ୟକ୍ରମ ଓ ସମାରୋହରେ ମିଲେଟ୍ସର ବ୍ୟାପକ ଉପଯୋଗ କରାଯିବ; ରନ୍ଧନ କ୍ଷେତ୍ରରେ ପ୍ରତିଷ୍ଠିତ ପ୍ରତିଷ୍ଠାନ ଜରିଆରେ ମିଲେଟ୍ସ ଆଧାରିତ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ରୋଷେୟାଙ୍କ ପ୍ରଶିକ୍ଷଣ ଆୟୋଜନ କରିବେ କେନ୍ଦ୍ରୀୟ ବାହିନୀ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ) ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ର କର୍ମଚାରୀଙ୍କୁ ଶ୍ରୀ ଅନ୍ନ (ମିଲେଟ୍ସ)ରେ ପ୍ରସ୍ତୁତ ଭୋଜନ ପରିବେଷଣ କରାଯିବ । ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ-୨୦୨୩ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଆହ୍ୱାନକ୍ରମେ ସବୁ ବାହିନୀ ସହିତ ବିସ୍ତୃତ ଆଲୋଚନା ପରେ ଭୋଜନରେ ୩୦% ମିଲେଟ୍ସ ଉପଯୋଗ କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି ।

ମିଲେଟ୍ସର ଗୁରୁତ୍ୱକୁ ବିବେଚନା କରିବା ସହିତ ଘରୋଇ ଓ ବିଶ୍ୱସ୍ତରରେ ଚାହିଦା ସୃଷ୍ଟି ଏବଂ ଲୋକମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ପ୍ରସ୍ତାବକ୍ରମେ ମିଳିତ ଜାତିସଂଘ ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ ଭାବେ ଘୋଷଣା କରିଛି । ଶ୍ରୀ ଅନ୍ନକୁ ପ୍ରୋତ୍ସାହନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଯାନ ଦେଶର କୋଟି କୋଟି ଲୋକଙ୍କ ପୋଷଣ ଆବଶ୍ୟକତା ପୂରଣ କରିବ ।

ମିଲେଟ୍ସ ବା ମାଣ୍ଡିଆ, ବାଜରା ଜାତୀୟ ଶସ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ ଏବଂ ଚାଷୀଙ୍କ ପାଇଁ ଲାଭଜନକ । ଏହା ମଧ୍ୟ ପରିବେଶ ଅନୁକୂଳ। ମିଲେଟ୍ସରେ ପ୍ରଚୁର ପରିମାଣରେ ଶକ୍ତି ଉତ୍ସ ରହିଛି। ଏହା ମରୁଡ଼ି ନିରୋଧୀ ଏବଂ ଚାଷ ପାଇଁ କମ ପାଣି ଆବଶ୍ୟକ କରିଥାଏ। ଶୁଖିଲା ମାଟି, ପାହାଡ଼ିଆ ଅଞ୍ଚଳରେ ଏହାକୁ ସହଜରେ ଚାଷ କରାଯାଇ ପାରିବ ଏବଂ ଏଥିରେ କୀଟ ଆକ୍ରମଣ କରିବାର ଆଶଙ୍କା ମଧ୍ୟ କମ ରହିଥାଏ ।

ମିଲେଟ୍ସର କେତେକ ଗୁରୁତ୍ୱପୂର୍ଣ୍ଣ ଲାଭ ହେଉଛି – ଏହା ଉଚ୍ଚ ପ୍ରୋଟିନଯୁକ୍ତ, ଗ୍ଲୁଟେନ-ମୁକ୍ତ, ଗ୍ଲାଇସେମିକ ସୂଚକାଙ୍କ (ଜିଆଇ)ରେ କମ୍ ଏବଂ ଫାଇବର ଆହାରରେ ସମୃଦ୍ଧ । ଏଥିରେ କ୍ୟାଲସିୟମ, ଆଇରନ, ଫସଫଟସ ଆଦି ଜରୁରି ସୂକ୍ଷ୍ମ ପୋଷକ ତତ୍ତ୍ୱ ବା ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ରହିଛି, ଯାହାକି ଯବାନମାନଙ୍କ ପୋଷଣ ସମ୍ବନ୍ଧୀୟ ପ୍ରୋଫାଇଲକୁ ମଜବୁତ କରିବ ।

ମିଲେଟ୍ସରେ ପ୍ରସ୍ତୁତ ବ୍ୟଞ୍ଜନ ଥିବା ଭୋଜନ ପରିବେଷଣ ଲାଗି ପଦକ୍ଷେପ ନେବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସବୁ ବାହିନୀକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପ୍ରତି ସବୁ ବାହିନୀଗୁଡ଼ିକ ମଧ୍ୟ ଅଭୂତପୂର୍ବ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ସେମାନଙ୍କ ଖାଦ୍ୟ ସାରଣୀରେ ନିୟମିତ ମିଲେଟ୍ସ ପ୍ରସ୍ତୁତ ଭୋଜନକୁ ସାମିଲ କରିବା ପାଇଁ ଇଚ୍ଛା ଜାହିର କରିଛନ୍ତି । କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ) ଓ ଏନଡିଆରଏଫର ବିଭିନ୍ନ କାର୍ଯ୍ୟକ୍ରମ ଓ ସମାରୋହରେ ମିଲେଟ୍ସର ବ୍ୟାପକ ଉପଯୋଗ କରାଯିବ ।

ସ୍ୱତନ୍ତ୍ର କାଉଣ୍ଟର/କର୍ଣ୍ଣର ପ୍ରତିଷ୍ଠା କରାଯାଇ କେନ୍ଦ୍ରୀୟ ପୁଲିସ କଲ୍ୟାଣ ଭଣ୍ଡାର, କ୍ୟାମ୍ପସରେ ଥିବା ଗ୍ରୋସରୀ ଷ୍ଟୋର ଏବଂ ରାସନ ଷ୍ଟୋରରେ ମିଲେଟ୍ସ ଉପଲବ୍ଧ ହେବ । କେନ୍ଦ୍ରୀୟ ବାହିନୀଗୁଡ଼ିକ ରନ୍ଧନ କ୍ଷେତ୍ରରେ ପ୍ରତିଷ୍ଠିତ ପ୍ରତିଷ୍ଠାନ ଜରିଆରେ ମିଲେଟ୍ସ ଆଧାରିତ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ରୋଷେୟାଙ୍କ ପ୍ରଶିକ୍ଷଣ ଆୟୋଜନ କରିବେ ।

ମିଲେଟ୍ସ ବ୍ୟବହାର କରିବା ଲାଗି କେନ୍ଦ୍ରୀୟ ବାହିନୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆହାର ବିଶେଷଜ୍ଞ ଓ ବିଶେଷଜ୍ଞ ଏଜେନ୍ସିମାନଙ୍କର ସହାୟତା ନିଆଯିବ । ଏହାଛଡ଼ା ‘ନୋ ୟୋର ମିଲେଟ୍ସ’ ବିଷୟବସ୍ତୁ ଉପରେ କର୍ମଶାଳା, ସମ୍ମିଳନୀ, ସେମିନାର, ପ୍ରଦର୍ଶନୀ, ୱେବିନାର ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ବିଶ୍ୱସ୍ତରରେ ମିଲେଟ୍ସ ଉତ୍ପାଦନ, ଦକ୍ଷ ପ୍ରକ୍ରିୟାକରଣ ଏବଂ ଫସଲ ପରିବର୍ତ୍ତନ ତଥା ଖାଦ୍ୟ ସାରଣୀରେ ଏକ ପ୍ରମୁଖ ଉପାଦାନ ଭାବେ ମିଲେଟ୍ସକୁ ପ୍ରୋତ୍ସାହନ ପାଇଁ ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ (ଆଇୱାଇଓଏମ) -୨୦୨୩ ଏକ ସୁଯୋଗ ପ୍ରଦାନ କରିବ ।

jayashree
Leave A Reply

Your email address will not be published.