ଅଙ୍ଗ ଦାନ ନୀତିର ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ

  • ଅନ୍ତର୍ଜାତୀୟ ମାନଦଣ୍ଡରୁ ଶିକ୍ଷା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି
  • ଆଗାମୀ ଦିନରେ ଆସିବ ଦୂରଦୃଷ୍ଟି ସମ୍ପନ୍ନ ଗଠନମୂଳକ ସଂସ୍କାର
  • ସମଗ୍ର ଦେଶରେ ଅଙ୍ଗ ପ୍ରତିରୋପଣ ସଂଖ୍ୟାରେ ତିନିଗୁଣା ବୃଦ୍ଧି
  • ୨୦୧୩ରେ ୫୦୦୦ରୁ ବୃଦ୍ଧିପାଇ ୨୦୨୨ରେ ୧୫୦୦୦ରୁ ଅଧିକ ହୋଇଛି

ନୂଆଦିଲ୍ଲୀ, (ପିଆଇବି) : ଅଙ୍ଗ ଦାନ ଏବଂ ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଦୂରଦୃଷ୍ଟି ସମ୍ପନ୍ନ ଗଠନମୂଳକ ସଂସ୍କାର ଆସିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାରଙ୍କ ଉପସ୍ଥିତିରେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଅଙ୍ଗ ଦାନ ଏବଂ ପ୍ରତିରୋପଣର ସ୍ଥିତି ସମୀକ୍ଷା କରିବାବେଳେ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ୍ କାର୍ଯ୍ୟକ୍ରମର ୯୯ତମ ଏପିସୋଡରେ ଅନ୍ୟମାନଙ୍କ ଜୀବନ ରକ୍ଷା ପାଇଁ ଅଙ୍ଗ ଦାନ କରିବାକୁ ଆଗେଇ ଆସିବାଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହା ଦେଶରେ ଅଙ୍ଗ ଦାନ ପାଇଁ ଏକ ନୂତନ ଉତ୍ସାହ ସୃଷ୍ଟି କରିଛି । ଦେଶରେ ମୋଟ ଅଙ୍ଗ ପ୍ରତିରୋପଣ ସଂଖ୍ୟା ୨୦୧୩ରେ ୫୦୦୦ରୁ ବୃଦ୍ଧି ହୋଇ ୨୦୨୨ ମସିହାରେ ୧୫୦୦୦ରୁ ଅଧିକ ହୋଇପାରିଛି । ବର୍ତ୍ତମାନ ଜାତୀୟ ସ୍ତରରେ ଅର୍ଗାନ ଆଣ୍ଡ ଟିସୁ ନେଟୱାର୍କ (ଏନ୍ଓଟିଟିଓ), ଆଞ୍ଚଳିକ ସ୍ତରରେ (ଆରଓଟିଟିଓ) ଏବଂ ରାଜ୍ୟ ସ୍ତରରେ (ଏସ୍ଓଟିଟିଓ) ମାଧ୍ୟମରେ ଉନ୍ନତ ସମନ୍ୱୟ ହେତୁ ମୃତଦାତାଙ୍କ ଠାରୁ ମିଳୁଥିବା ଅଙ୍ଗ ବ୍ୟବହାର କରାଯାଉଛି । ୨୦୧୬ ମସିହାରେ ୯୩୦ ମୃତ ଦାତାମାନଙ୍କଠାରୁ ମିଳିଥିବା ୨୨୬୫ ଅଙ୍ଗ ବ୍ୟବହାର କରାଯାଇଥିଲାବେଳେ ୨୦୨୨ ମସିହାରେ ୯୦୪ ମୃତ ଦାତାମାନଙ୍କ ମଧ୍ୟରୁ ୨୭୬୫ ଅଙ୍ଗ ବ୍ୟବହାର କରାଯାଇପାରିଛି ।

ହସ୍ପିଟାଲରେ ଅଙ୍ଗ ଦାନ ଏବଂ ପ୍ରତିରୋପଣ କାର୍ଯ୍ୟକ୍ରମ କରିବା ପାଇଁ ପ୍ରତିରୋପଣ ମାନୁଆଲ ଏବଂ ପ୍ରତିରୋପଣ ସମନ୍ୱୟ ରକ୍ଷାକାରୀଙ୍କ ତାଲିମ ପାଇଁ ଏକ ଷ୍ଟାଣ୍ଡାର୍ଡ ପାଠ୍ୟକ୍ରମରେ ଏନ୍ଓଟିଟିଓ କାର୍ଯ୍ୟ କରୁଛି । ଏହି ଉଭୟ ଦସ୍ତାବିଜ୍ ସଂପୂର୍ଣ୍ଣ ହୋଇ ଖୁବ ଶୀଘ୍ର ପ୍ରକାଶ ପାଇବ । ଯୋଜନାର ଉତ୍ତମ କାର୍ଯ୍ୟକାରିତା ପାଇଁ ଏନଓଟିଟିଓ ରେ ସମନ୍ୱୟ, ଆଇଇସି, ତାଲିମ ଏବଂ ଏଚ୍ଆର / ଆକାଉଣ୍ଟ ପାଇଁ ଚାରୋଟି ସମାନ୍ତରାଳ ବ୍ୟବସ୍ଥା ସୃଷ୍ଟି କରାଯାଇଛି । ସମ୍ପ୍ରତି, ଭାରତ ସରକାର ସେହି କେନ୍ଦ୍ରୀୟ କର୍ମଚାରୀଙ୍କୁ ୪୨ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଛୁଟି ପ୍ରଦାନ କରୁଛନ୍ତି, ଯେଉଁମାନେ ଅନ୍ୟ ମଣିଷକୁ ଜନସାଧାରଣଙ୍କ ସ୍ୱାର୍ଥ ଏବଂ ଏକ ବିଶେଷ କଲ୍ୟାଣକାରୀ ପଦକ୍ଷେପ ଭାବରେ ଅଙ୍ଗ ଦାନ କରିଥାନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟ ଦେଶରେ ଅଙ୍ଗ ଦାନ ବୃଦ୍ଧି ଏବଂ ପ୍ରତିରୋପଣ ଦିଗରେ ନୀତିଗତ ସଂସ୍କାର ପାଇଁ ଅନ୍ତର୍ଜାତୀୟ ସର୍ବୋତ୍ତମ ଅଭ୍ୟାସରୁ ଶିକ୍ଷା ଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.

4 + fourteen =