jayashree

ବିଶ୍ୱ ଏଡସ୍ ଦିବସ ପାଳନ ଅବସରରେ ସଚେତନତା ରଥର ଶୁଭାରମ୍ଭ

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ ) : ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ପରିସରରୁ ଏକ ଏଡ଼ସ୍ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟନାରାୟଣ ଦାଶ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଛନ୍ତି । ଏହି ରଥ ଆଗାମୀ ତିନି ଦିନ ପର୍ୟ୍ୟନ୍ତ ଜିଲ୍ଲାର ପ୍ରତ୍ୟେକ ବ୍ଲକର ପ୍ରମୁଖ ଗ୍ରାମକୁ ପରିକ୍ରମା ସହିତ ଏଡ଼ସ୍ ର ଭୟାବହତା, ଏହାର ନିରାକରଣ ଓ ଜନସାଧାରଣ ଏ ଭୟଙ୍କର ରୋଗ ପ୍ରତି ସଚେତନ ହେବା ସମ୍ୱନ୍ଧରେ ଜନଜାଗରଣ ସୃଷ୍ଟି କରିବ । ଏହି ସଚେତନତା ରଥ ଜିଲ୍ଲାପରିକ୍ରମା କରିବାର ମୁଖ୍ୟ ଉଦେଶ୍ୟ, ଜିଲ୍ଲାରୁ ଏଡ଼ସ୍‌ ରୋଗର ସମ୍ପୂର୍ଣ୍ଣ ମୁଳୋତ୍ପାଟନ କରିବା । ଏହି ପ୍ରଦର୍ଶନୀ ରଥର ଯାତ୍ରା ପରେ ଅତିରିକ୍ତ ଜିଲ୍ଲାପାଳ ଏଚ୍ ଆଇ ଭି ଏବଂ ସିଫିଲିସ ରୋଗ ଚିହ୍ନଟର ଡୁଆଲ କାମ୍ବୋ କୀଟ୍ ବଣ୍ଟନର ଶୁଭାରମ୍ଭ କରି ୧୧ ଜଣ ହିତାଧିକାରୀ ମାଆମାନଙ୍କୁ ପ୍ରଦାନ କରିଥିଲେ । ଆଜି ଏହି କାର୍ୟ୍ୟକ୍ରମ ପ୍ରଥମ ଥର ପାଇଁ ସମଗ୍ର ଦେଶ ତଥା ରାଜ୍ୟରେ କାର୍ୟ୍ୟକାରୀ ହୋଇଛି । ଏହି ସୁବିଧା ଜିଲ୍ଲାର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ସରକାରୀ ଚିକିତ୍ସାଳୟରେ ସମ୍ପୃକ୍ତ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ମାନେ ମଧ୍ୟ ଶୁଭାରମ୍ଭ କରିଛନ୍ତି । ଆଜିର ଏହି କାର୍ୟ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଦିଲୀପ ପଣ୍ଡା, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ.ପ୍ରଦୀପ କୁମାର ଗୁରୁ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ ଡ. ନବକିଶୋର ବେହେରା, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ (ଟି ବି ) ଡ. ପଦ୍ମହଂସକ୍ଷ ଡୋରା, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ପ୍ରମୋଦ ଚନ୍ଦ୍ର ବିଶ୍ୱାଳ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିନିଧି ଡ. ଅବନିନ୍ଦ୍ର ସାହୁ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମକର୍ତା ତାରିଣୀ ଚନ୍ଦ୍ର ପାତ୍ର, ସୁଦାମ ପଧାନ, ସନ୍ତୋଷ କୁମାର ସାହୁ, ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.